‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ପକ୍ଷରୁ ‘ଭାଷାଦାନ ଅଭିଯାନ’ ଶୀର୍ଷକରେ ଏକ ଅଭିନବ କାର୍ଯ୍ୟକ୍ରମର ପରିକଳ୍ପନା ଏବଂ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ସମସ୍ତ ବର୍ଗର ଭାଷାପ୍ରେମୀଙ୍କ ମଧ୍ୟରେ ଭାଷା ସଚେତନତା ସୃଷ୍ଟି କରାଯିବା ସହିତ ଓଡ଼ିଆ ଡିଜିଟାଲ ତଥ୍ୟ ଭଣ୍ଡାରକୁ ଅଧିକ ସଶକ୍ତ କରାଯାଇପାରିବ । ଏହି ଅଭିଯାନରେ ରାଜ୍ୟ, ଦେଶ ଓ ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ସାମିଲ କରାଯିବ । ଉଭୟ ଲେଖା ଏବଂ ଭିଡିଓ ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆ ଏହି ‘‘ଭାଷାଦାନ ଅଭିଯାନ’’ ସହ ନିଜକୁ ଯୋଡ଼ି
ପାରିବେ । ଏହାଦ୍ୱାରା ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ଓ ପରିବର୍ଦ୍ଧନ ସମ୍ଭବ ହୋଇପାରିବ ।
‘ଭାଷାଦନ ଅଭିଯାନ’ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରାଯାଇ ଓଡ଼ିଆ ଡିଜିଟାଲ୍ ଭାଷା ଭଣ୍ଡାରକୁ ସମୃଦ୍ଧ କରାଯାଇପାରିବ । ଏହା ଓଡ଼ିଆ ଜାତି ତଥା ଭାଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ । ଭାଷାଦାନ ଶୀର୍ଷକରେ ଶ୍ରୀ ଜଗନ୍ନାଥ ଐତିହ୍ୟ ଓ ଚେତନା, ‘ବିଶିଷ୍ଟ ବ୍ୟକ୍ତିତ୍ୱ, ସ୍ଥାନ, ପର୍ଯ୍ୟଟନସ୍ଥଳୀ, ପର୍ବପର୍ବାଣୀ, ପାରମ୍ପରିକ ଖାଦ୍ୟ, ସଂସ୍କୃତି, ପ୍ରାକୃତିକ ସମ୍ପଦ, କୃଷି, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିଳ୍ପ, ଅର୍ଥନୀତି, ଚଳଚ୍ଚିତ୍ର, କ୍ରୀଡ଼ା ଓ ପ୍ରଶାସନ ଇତ୍ୟାଦି କ୍ଷେତ୍ର ସମ୍ପର୍କରେ ନାଗରିକ ସମାଜ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଲେଖକ ଲେଖିକା ଓ ସାହିତ୍ୟପ୍ରେମୀମାନେ ଭାଷାଦାନ କରି ଓଡ଼ିଆ କର୍ପସ ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।