ନୃତ୍ୟ, ସଂଗୀତ, ସିନେମା, କ୍ରୀଡ଼ା ଓ ମନୋରଞ୍ଜନ

ନୃତ୍ୟ, ସଂଗୀତ, ସିନେମା, କ୍ରୀଡ଼ା ଓ ମନୋରଞ୍ଜନ

ଓଡ଼ିଶାର ସଂସ୍କୃତିରେ ନୃତ୍ୟ, ସଙ୍ଗୀତ, ସିନେମା, କ୍ରୀଡ଼ା ଓ ମନୋରଞ୍ଜନର ଅଲଗା ଅଲଗା ଅବଦାନ ରହିଛି । ଏଥିରେ ପୁରାତନ ପରମ୍ପରା ଓ ଆଧୁନିକ ପ୍ରବୃତ୍ତିର ସମନ୍ୱୟ ଦେଖିବାକୁ ମିଳେ ।

 

ନୃତ୍ୟ

ଓଡ଼ିଶାରେ ନୃତ୍ୟକଳାର ଐତିହ୍ୟ ବହୁତ ପୁରାତନ ଓ ସମୃଦ୍ଧ । ଏଠାରେ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟରୁ ଆରମ୍ଭ କରି ଘୁମୁରା, ଛଉ, ସମ୍ବଲପୁରୀ ଭଳି ଲୋକନୃତ୍ୟ ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର ନୃତ୍ୟ ଦେଖିବାକୁ ମିଳେ । ନୃତ୍ୟ ଏକ ଭାଷା ଭଳି ଯାହା ଭାରତୀୟ ସଂସ୍କୃତି ଓ ଭାଷାର ସ୍ୱାଭାବିକ ଅଂଶବିଶେଷ । ଓଡ଼ିଶାର ନୃତ୍ୟକଳା, ଧର୍ମ, ସାହିତ୍ୟ, ସାମାଜିକ ପରମ୍ପରା ସହିତ ଓତପ୍ରୋତଭାବେ ଜଡ଼ିତ । ନୃତ୍ୟ ମଧ୍ୟରୁ ପ୍ରମୁଖ ନୃତ୍ୟ ହେଲା ଓଡ଼ିଶୀ, ଗୋଟିପୁଅ, ଛଉ, ଡାଲଖାଇ, ଘୁମୁରା

 

ଓଡ଼ିଶୀ ନୃତ୍ୟ

ଓଡ଼ିଶା ଏପରି ଏକ ରାଜ୍ୟ ଯାହା ଭାରତର ଆଠଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଅନ୍ୟତମ ନୃତ୍ୟ ‘ଓଡ଼ିଶୀ’ ପାଇଁ ପ୍ରସିଦ୍ଧ । ସବୁଠାରୁ ପୁରୁଣା ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ହେଉଛି ଗୋଟିଏ, ଯାହାର ଉତ୍ପତ୍ତି ୨,୦୦୦ ବର୍ଷରୁ ଅଧିକ ପୁରୁଣା । ଓଡ଼ିଶୀ ଭାରତୀୟ ମନ୍ଦିର ପରମ୍ପରା, ମୂର୍ତ୍ତିକଳା, ସଙ୍ଗୀତ ଏବଂ ଆଧ୍ୟାତ୍ମିକ ଦର୍ଶନ ସହିତ ଗଭୀର ଭାବରେ ଜଡ଼ିତ । ସୁନ୍ଦର ଶୈଳୀ, ଅଭିବ୍ୟକ୍ତିକ କାହାଣୀ ବର୍ଣ୍ଣନ ଏବଂ ପ୍ରାଚୀନ ମନ୍ଦିରରେ ବିଦ୍ୟମାନ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିକଳାସଦୃଶ ଭଙ୍ଗୀ ପାଇଁ ଏହି ନୃତ୍ୟ ଜଣାଶୁଣା । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ନୃତ୍ୟର ବିକଶିତ ହୋଇଥିଲା । ଓଡ଼ିଶୀ ଏକ ପ୍ରାଚୀନ, ପାରମ୍ପରିକ ନୃତ୍ୟ । ଐତିହାସିକ ଭାବରେ ଓଡ଼ିଶାରେ ପୂଜା ପାଉଥିବା ଭଗବାନ ବିଷ୍ଣୁଙ୍କ ଏକ ରୂପ ପ୍ରଭୁ ଜଗନ୍ନାଥଙ୍କୁ ନୈବେଦ୍ୟରୂପେ ମାହାରୀ (ମନ୍ଦିର ନର୍ତ୍ତକୀ) ନୃତ୍ୟ ପରିବେଷଣ କରୁଥିଲେ । ଏହାକୁ ଭାରତର ସବୁଠାରୁ ପୁରୁଣା ନୃତ୍ୟ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଭୁବନେଶ୍ୱର ନିକଟସ୍ଥ ଉଦୟଗିରି ଏବଂ ଖଣ୍ଡଗିରି ଗୁମ୍ଫାରୁ ଆବିଷ୍କୃତ ଖ୍ରୀଷ୍ଟପୂର୍ବ ପ୍ରଥମ ଏବଂ ଦ୍ୱିତୀୟ ଶତାବ୍ଦୀର ଶିଳାଲେଖରୁ ଏହାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳେ । ଓଡ଼ିଶୀ ମୁଖ୍ୟତଃ ଧାର୍ମିକ କାହାଣୀ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା, ବିଶେଷକରି ଦେବୀ ରାଧା ଏବଂ ଭଗବାନ କୃଷ୍ଣଙ୍କ ଅନନ୍ତ ପ୍ରେମର କଳାତ୍ମକ ପରିପ୍ରକାଶ । ଦ୍ୱାଦଶ ଶତାବ୍ଦୀର କବି ଜୟଦେବଙ୍କ ଗୀତଗୋବିନ୍ଦରେ ମଧ୍ୟ ରାଧା-କୃଷ୍ଣଙ୍କର ଏହି ଲୀଳା ଅତ୍ୟନ୍ତ ମନୋହର ଢଙ୍ଗ ଓ ଶୈଳୀରେ ବର୍ଣ୍ଣିତ । ଓଡ଼ିଶୀ ନୃତ୍ୟ ଏକ ଦିବ୍ୟ ଭାଷାର କାମ କରେ, ଯାହା ଶାରୀରିକ ଭଙ୍ଗୀ ସହ ଅଭିନୟ ଓ ଇଙ୍ଗିତ ମାଧ୍ୟମରେ କଥା କହେ । ଏହି ନୃତ୍ୟର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ “ତ୍ରିଭଙ୍ଗୀ” ଓ “ଚୌକ” ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ତ୍ରିଭଙ୍ଗୀ

ତ୍ରିଭଙ୍ଗୀ ଓଡ଼ିଶୀ ନୃତ୍ୟର ସବୁଠାରୁ ସୁନ୍ଦର, ନାରୀସୁଲଭ ଓ ଲଳିତ ଅଙ୍ଗଭଙ୍ଗୀ ଭାବରେ ପରିଚିତ । “ତ୍ରିଭଙ୍ଗୀ” ଶବ୍ଦଟି ସଂସ୍କୃତରୁ ଆସିଛି– ‘ତ୍ରି’ ଅର୍ଥାତ୍ ତିନି ଏବଂ ‘ଭଙ୍ଗୀ’ ଅର୍ଥାତ୍ ମୋଡ଼ କିମ୍ବା ବାକ । ଅର୍ଥାତ୍, ଶରୀରର ତିନୋଟି ଅଂଶରେ ମୋଡ଼ ସୃଷ୍ଟି କରି ଯେଉଁ ଭଙ୍ଗୀ କରାଯାଏ, ସେ ହେଉଛି ତ୍ରିଭଙ୍ଗୀ । ଏହି ତିନୋଟି ଅଂଶ ହେଲା– ମୁଣ୍ଡ, ଶରୀରର ମଧ୍ୟଭାଗ (କଟି/ଧଡ଼) ଏବଂ ଗୋଡ଼ । ଏହି ତିନୋଟି ସ୍ଥାନରେ ବିପରୀତ ଦିଗକୁ ମୋଡ଼ ସୃଷ୍ଟି କରି ଏକ ସର୍ପିଳ, ସୁମଧୁର ଓ ସୌନ୍ଦର୍ୟମୟ ଭଙ୍ଗୀ ଗଢ଼ାଯାଏ । କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଜଗନ୍ନାଥ ମନ୍ଦିରର ଦେବାଲରେ ଖୋଦିତ ନୃତ୍ୟମୁଦ୍ରାଗୁଡ଼ିକ ମଧ୍ୟରେ ତ୍ରିଭଙ୍ଗୀ ବହୁଳ ଭାବେ ଦେଖାଯାଏ । ତ୍ରିଭଙ୍ଗୀ କେବଳ ଏକ ଶାରୀରିକ ଭଙ୍ଗୀ ନୁହେଁ, ଏହା ଏକ ଭାବାତ୍ମକ ଭାଷା । ନୃତ୍ୟଶିଳ୍ପୀ ତ୍ରିଭଙ୍ଗୀ ମାଧ୍ୟମରେ ଲଜ୍ଜା, ପ୍ରେମ, ଅଭିମାନ, ଆକାଂକ୍ଷା, ଭକ୍ତି ଓ ଆନନ୍ଦ ପରି ଭାବଗୁଡ଼ିକୁ ଦର୍ଶକଙ୍କ ସାମ୍ନାରେ ସଜୀବ କରିଦେଇଥାନ୍ତି ।

 

ଚୌକ

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭଙ୍ଗୀ ହେଉଛି ଚୌକ । ଚୌକକୁ ଓଡ଼ିଶୀ ନୃତ୍ୟର ମୂଳ ଭଙ୍ଗୀ ବୋଲି କୁହାଯାଏ, କାରଣ ଏହା ଉପରେ ନୃତ୍ୟର ଅନେକ ଚାଳନା, ପଦଚାଳନା ଓ ତାଳ ନିର୍ଭର କରେ । ନୃତ୍ୟ ଶିକ୍ଷାର ପ୍ରାରମ୍ଭିକ ଅବସ୍ଥାରୁ ଶିଷ୍ୟମାନେ ପ୍ରଥମେ ଚୌକ ଅଭ୍ୟାସ କରନ୍ତି । ଏହାଦ୍ୱାରା ଶରୀରର ସମତୁଳନ, ପାଦଶକ୍ତି ଓ ତାଳବୋଧ ବିକାଶ ପାଏ । “ଚୌକ” ଶବ୍ଦଟି ‘ଚତୁରସ୍ର’ ଅର୍ଥାତ୍ ଚାରିକୋଣ ଆକୃତିର । ଏହି ଭଙ୍ଗୀରେ ନୃତ୍ୟଶିଳ୍ପୀଙ୍କ ଶରୀର ଏକ ସମତୁଳିତ, ଚତୁରସ୍ର ଆକୃତି ଧାରଣ କରେ । ଦୁଇ ପାଦ କିଛିଟା ଅଲଗା ରଖି ଆଣ୍ଠୁ ମୋଡ଼ାଯାଏ, କଟି ସିଧା ରହେ, ଧଡ଼ ଓ କାନ୍ଧ ସମ ଅବସ୍ଥାରେ ଥାଏ ଏବଂ ଦୁଇ ହାତ ସମାନ ଭାବରେ ପ୍ରସାରିତ ହୋଇ ଏକ ସଂପୂର୍ଣ୍ଣ ଚୌକାକାର ଆଭାସ ସୃଷ୍ଟି କରେ । ବିଶେଷକରି ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣ, ଦୁର୍ଗା ପରି ଦେବତାଙ୍କ ଶକ୍ତିଶାଳୀ ରୂପକୁ ଦର୍ଶାଇବା ପାଇଁ ଚୌକ ଅତ୍ୟନ୍ତ ଉପଯୋଗୀ । ଏହି କାରଣରୁ ଚୌକକୁ “ପୁରୁଷ ଭଙ୍ଗୀ” ବୋଲି ମଧ୍ୟ କୁହାଯାଏ, ଯଦିଓ ମହିଳା ନୃତ୍ୟଶିଳ୍ପୀମାନେ ମଧ୍ୟ ଏହାକୁ ସମାନ ଦକ୍ଷତାରେ ପ୍ରଦର୍ଶନ କରନ୍ତି । କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଅନ୍ୟାନ୍ୟ ପୁରାତନ ମନ୍ଦିରର ଭିତ୍ତିଚିତ୍ର ଓ ଶିଳ୍ପକଳାରେ ଚୌକ ଅବସ୍ଥାରେ ଦଣ୍ଡାୟମାନ ନୃତ୍ୟମୂର୍ତ୍ତିଗୁଡ଼ିକ ଦେଖିବାକୁ ମିଳେ ।

ଓଡ଼ିଶୀ ନୃତ୍ୟ ପାରମ୍ପରିକ ଭାବରେ ଓଡ଼ିଶୀ ସଙ୍ଗୀତ ସହିତ ପରିବେଷଣ କରାଯାଏ, ଯାହା ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକୀ ଧାରାଠାରୁ ଭିନ୍ନ ଏକ ଶାସ୍ତ୍ରୀୟ ସଙ୍ଗୀତ ଶୈଳୀ । ଏହି ସଙ୍ଗୀତରେ ଓଡ଼ିଶାର ଅନନ୍ୟ ରାଗ ଏବଂ ତାଳ ଅନ୍ତର୍ଭୁକ୍ତ । ସାଧାରଣତଃ ବ୍ୟବହୃତ ବାଦ୍ୟଯନ୍ତ୍ରଗୁଡ଼ିକ ମଧ୍ୟରେ ହାରମୋନିୟମ୍‍, ତବଲା, ମୃଦଙ୍ଗ, ବଂଶୀ, ଭାୟୋଲିନ୍ ଏବଂ କରତାଳ ଅନ୍ତର୍ଭୁକ୍ତ । ତାଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ନୃତ୍ୟଶିଳ୍ପୀମାନେ ସୌଷ୍ଠବ ଏବଂ ସନ୍ତୁଳନ ବଜାୟ ରଖି ଜଟିଳ ତାଳମୟ ଢାଞ୍ଚାକୁ ପ୍ରତିଫଳିତ କରିବା ପାଇଁ ପଦଚାଳନା କରନ୍ତି । ଓଡ଼ିଶୀ ପୋଷାକଗୁଡ଼ିକ ଓଡ଼ିଆ ସଂସ୍କୃତିର ଜୀବନ୍ତ ପ୍ରତିବିମ୍ବ ଏବଂ ଅଧିକ ଆକର୍ଷଣୀୟ । ସେମାନେ ସାଧାରଣତଃ ପାଟ ବା ସିଲ୍‍କ କପଡ଼ାରେ ତିଆରି ପୋଷାକ ପିନ୍ଧନ୍ତି । ଏହି ପୋଷାକରେ ସମ୍ବଲପୁରୀ, ବୋମକାଇ, କଟକି ପାଟ ଭଳି ପାରମ୍ପରିକ ଓଡ଼ିଆ ବୁଣାକାମର ବ୍ୟବହାର ହୁଏ । ଓଡ଼ିଶୀ ନୃତ୍ୟ ପୋଷାକର ଏକ ଅଭିନ୍ନ ଅଂଶ ହେଉଛି ମୁକୁଟ ଏହି ମୁକୁଟଟି ସାଧାରଣତଃ ଚାନ୍ଦିରେ ତିଆରି ହୁଏ ଏବଂ ଏହାକୁ ଟାହିଆ କୁହାଯାଏ । ଟାହିଆର ଆକୃତି ଜଗନ୍ନାଥ ସଂସ୍କୃତି ସହ ସଂପୃକ୍ତ ଓ ଏହା ଓଡ଼ିଶୀ ନୃତ୍ୟର ଏକ ଅଲଗା ପରିଚୟ । ଟାହିଆ ମୁଣ୍ଡରେ ପିନ୍ଧିବା ସହ ନୃତ୍ୟଶିଳ୍ପୀଙ୍କ ମୁହଁ ଏକ ଦେବୀମୟ ଆଭା ପାଏ । ଅଳଙ୍କାରଗୁଡ଼ିକ ସାଧାରଣତଃ ରୂପାରେ ତିଆରି ହୋଇଥାଏ ଏବଂ ଏଥିରେ ଗଳାରେ ହାର, କାନରେ କୁଣ୍ଡଳ, ନାକରେ ନଥ, ହାତରେ ବାଲା ଓ ଗୋଡ଼ରେ ଘୁଂଘୁର ଏସବୁ ଗହଣା ସାଧାରଣତଃ ଚାନ୍ଦିରେ ତିଆରି ହୁଏ । ଓଡ଼ିଶୀ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ପ୍ରାଚୀନ ପରମ୍ପରାର ସଂରକ୍ଷଣ ସହ ସାରା ବିଶ୍ୱରେ ଦର୍ଶକମାନଙ୍କୁ ସମ୍ମୋହିତ କରିଥାନ୍ତି । ଆଜି ଓଡ଼ିଶୀକୁ ଅନ୍ତର୍ଜାତୀୟ ସ୍ତରରେ ଭାରତର ଆଠଟି ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ମଧ୍ୟରୁ ଅନ୍ୟତମ ଭାବରେ ସ୍ୱୀକୃତି ଦିଆଯାଇଛି ।