ଓଡ଼ିଆ ଭାଷା ଓ ସଂସ୍କୃତି
ଭାରତର ପ୍ରାଚୀନ ଭାଷାମାନଙ୍କ ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ । ଓଡ଼ିଆ ଭାଷାର ଶବ୍ଦସମୃଦ୍ଧି, ବ୍ୟାକରଣ ଓ ସାହିତ୍ୟର ଗଭୀରତା ଏହାକୁ ଅନ୍ୟ ଭାଷାରୁ ବିଶେଷ କରେ । ଓଡ଼ିଆ ଭାଷାର ଉତ୍ପତ୍ତି ପ୍ରାୟ ୨୫୦୦ ବର୍ଷ ପୂର୍ବେ ହୋଇଥିବା ଜଣାଯାଏ । ଓଡ଼ିଆ ଭାଷାର ବିବର୍ତ୍ତନ-ଇତିହାସ ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ଅଧ୍ୟୟନ କଲେ ଜଣାଯାଏ ଯେ ପୂର୍ବମାଗଧୀ ପ୍ରାକୃତ ସହିତ ଅଷ୍ଟ୍ରିକ ଓ ଦ୍ରାବିଡ଼ ଭାଷାର ମିଶ୍ରଣ ଘଟି ଖ୍ରୀ: ୨୦୦ ବେଳକୁ ‘ଔଡ୍ରୀ ବିଭାଷା’ ବା ‘ଉଡ୍ରଜା’ ନାମକ ପ୍ରାକୃତ ଭାଷାର ବିକାଶ ଘଟିଥିଲା । ଏହି ‘ଉଡ୍ର ବିଭାଷା’ ବା ‘ଉଡ୍ରଜା ପ୍ରାକୃତ’ରୁ ପ୍ରାୟ ୭ମ ଶତାବ୍ଦୀ ବେଳକୁ ‘ଔଡ୍ରୀ ଅପଭ୍ରଂଶ’ର ବିକାଶ ଘଟିଲା; ଯାହାକୁ ‘ପୂର୍ବ-ମାଗଧୀ ଅପଭ୍ରଂଶ’ର ଅନ୍ୟତମ ଶାଖାରୂପେ ଗ୍ରହଣ କରାଯାଏ ଏବଂ ଏଥିରୁ ପ୍ରାୟ ଦଶମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷାର ଏକ ସ୍ୱତନ୍ତ୍ର ରୂପ ଆତ୍ମପ୍ରକାଶ କରିଥିବା ଜଣାଯାଏ । ୧୦୭୩ ମସିହାରେ ଉତ୍କଳର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗ ଦେବ ନିଜକୁ ଓଡ଼ିଆଭାଷାର ରକ୍ଷାକର୍ତ୍ତା ଘୋଷଣା କରି, ଓଡ଼ିଆ ଭାଷାକୁ ତାମିଲ ଓ ସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଇଥିଲେ । ପ୍ରାୟ ପଞ୍ଚଦଶ ଶତାବ୍ଦୀର ଅୟମାରମ୍ଭ ବେଳକୁ ପ୍ରାଚୀନ ଓଡ଼ିଆ ଭାଷାର ଦ୍ରୁତ ବିକାଶ ଘଟିଥିଲା ଏବଂ ଏହା ନୂତନ ସାହିତ୍ୟ ସୃଷ୍ଟି ନିମନ୍ତେ ପ୍ରଚୁର ଶକ୍ତି ଲାଭ କରିଥିଲା । ୧୪୩୬ ମସିହାରେ ଉତ୍କଳୀୟ ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେବ ପ୍ରଥମକରି କେବଳ ଓଡ଼ିଆକୁ ରାଜ୍ୟଶାସନର ଭାଷା ଭାବରେ ଗ୍ରହଣ କଲେ । ଏହାକୁ ଉପଜୀବ୍ୟ କରି ସାରଳା ଦାସ ପ୍ରାୟ ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଅଷ୍ଟାଦଶ ପର୍ବବିଶିଷ୍ଟ ବିରାଟକାୟ ‘‘ମହାଭାରତ’’ ମୂଳଗ୍ରନ୍ଥ ରଚନା କରିଥିଲେ । ଏହାବ୍ୟତୀତ ସେ ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ ଆଦି ଗ୍ରନ୍ଥ ମଧ୍ୟ ରଚନା କରିବାକୁ ସମର୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ––ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ––ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପଞ୍ଚସଖା (ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସ) ଭକ୍ତିରସାତ୍ମକ କାବ୍ୟ ରଚନା କରିଥିଲେ । ସେମାନଙ୍କ କୃତି ମଧ୍ୟରୁ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଓ ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟସଂହିତା ଆଦି ପ୍ରମୁଖ । ଏହି ଗ୍ରନ୍ଥଗୁଡ଼ିକ ପ୍ରାଚୀନ ଓଡ଼ିଆ ଭାଷାର ଯଥାର୍ଥ ମର୍ଯ୍ୟାଦା ଲାଭ କରିପାରିଥିଲା ।
ଅଷ୍ଟାଦଶ ଶତାବ୍ଦୀ (୧୮୬୬)ଠାରୁ ଆରମ୍ଭ କରି ଊନବିଂଶ ଶତାବ୍ଦୀ (୧୯୦୩) ପର୍ଯ୍ୟନ୍ତ ଓଡ଼ିଶା ଇଂରେଜ ଶାସନ ଅଧିନରେ ଥିଲା । ୧୮୬୬ ମସିହାରେ ଇଂରେଜ ଶାସନାଧିୀନ ଥିବା ସମୟରେ ଓଡ଼ିଶାରେ, ଓଡ଼ିଆ ଭାଷାର ଉନ୍ନତି ଏବଂ ରକ୍ଷା ନିମିତ୍ତ ଲୋକମାନଙ୍କଦ୍ୱାରା ନାନା ଆନ୍ଦୋଳନର ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନଗୁଡ଼ିକ ଓଡ଼ିଆ ଭାଷା ଆନ୍ଦୋଳନ ନାମରେ ଜଣା ଏବଂ ଏହା ଓଡ଼ିଶା ଏକତ୍ରୀକରଣ ଓ ଆଧୁନିକ ସାହିତ୍ୟ ରଚନାର ବାଟ ଫିଟାଇଥିଲା । ଇଂରେଜ ଶାସନାଧୀନ ଓଡ଼ିଶାରେ ଓଡ଼ିଆ ଭାଷା ଆନ୍ଦୋଳନ ତିନୋଟି ପର୍ଯ୍ୟାୟରେ ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଥିଲା ଏବଂ ଏହା ୧୯୦୩ ମସିହାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଲା । ପରିଣତିସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା । ୧ ଅପ୍ରେଲ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଓ ଶାସନକାର୍ଯ୍ୟପାଇଁ ପଦକ୍ଷେପ ନିଆଗଲା । ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ ଓଡ଼ିଆ ପ୍ରଶାସନିକ ଶବ୍ଦକୋଷ ପ୍ରସ୍ତୁତ କରାଯିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଆ ଭାଷାକୁ ସ୍ୱାଧୀନ ଭାରତର ସାମ୍ବିଧାନିକ ଭାଷା ଭାବରେ ଗ୍ରହଣ କରାଗଲା ଏବଂ ୧୯୫୪ ମସିହାରେ ଓଡ଼ିଆ ଭାଷା ପ୍ରଥମଥର ପାଇଁ ଓଡ଼ିଶା ବିଧାନସଭାରେ ଗୃହୀତ ହେଲା । ଓଡ଼ିଆରେ ସରକାରୀ କାମ, ଓଡ଼ିଶାର ସମସ୍ତ ନିଯୁକ୍ତି ପରୀକ୍ଷା ଓଡ଼ିଆରେ କରିବା, ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଅନ୍ୟ ଭାରତୀୟ ଭାଷା ଭଳି ଓଡ଼ିଆରେ କରିବା ଆଦି ଦାବି ନେଇ ‘‘ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ’’ ନାମରେ ୧୦ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିଳିତହୋଇ ମଞ୍ଚ ଗଠନକଲେ ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ବିଚାରାଧୀନ । ତେଣୁ ଗତ କିଛି ବର୍ଷ ହେଲା ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟବହାର କିଛିମାତ୍ରାରେ ବୃଦ୍ଧି ପାଇଛି । ଏହି କ୍ରମରେ କମ୍ପ୍ୟୁଟର୍ ଓ ଇଣ୍ଟରନେଟ୍ରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ବଢ଼ିବାରେ ଲାଗିଛି । ୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଏହା ଗୃହୀତ ହୋଇ ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଉଛି ଷଷ୍ଠଭାଷା । ୨୦୧୫ ମସିହାଠାରୁ ମାର୍ଚ୍ଚ ୧୧ ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ଓଡ଼ିଶାରେ ପାଳନ କରାଯାଉଛି ।