ସ୍ୱାସ୍ଥ୍ୟ, ପୋଷକତତ୍ତ୍ୱ, ଭେଷଜ ବିଜ୍ଞାନ ଏବଂ ଆନୁଷଙ୍ଗିକ

 

ସ୍ୱାସ୍ଥ୍ୟ ଓ ପୋଷକତତ୍ତ୍ୱ

ଖାଦ୍ୟ, ବସ୍ତ୍ର, ବାସଗୃହ ପରି ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠାରୁ ମୂଲ୍ୟବାନ ସମ୍ପଦ । ଏକ ସୁସ୍ଥ ଜନସମାଜ ବିନା ରାଜ୍ୟ କିମ୍ବା ଦେଶର ସମଗ୍ର ଉନ୍ନତି ସମ୍ଭବ ନୁହେଁ । ଯେକୌଣସି ରାଜ୍ୟର ସାମାଜିକ ତଥା ଅର୍ଥନୈତିକ ପ୍ରଗତି ପାଇଁ ଏକ ଦୃଢ଼ ସ୍ୱାସ୍ଥ୍ୟବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ । ଓଡ଼ିଶାର ଜନସଂଖ୍ୟା ପ୍ରାୟ ୪୫ ନିୟୁତରୁ ଅଧିକ । ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି । ଅନେକ ପରିବାରର କୃଷି ହେଉଛି ଜୀବିକାର ମୂଳ ଉତ୍ସ, କିନ୍ତୁ ଓଡ଼ିଶାରେ ହେଉଥିବା ଅନିୟମିତ ବର୍ଷା ଏବଂ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପରିବାରର ଖାଦ୍ୟ ସୁରକ୍ଷା ଏବଂ ଆୟ ଉପରେ ପ୍ରଭାବ ପକାଇଥାଏ । ଏହି ସତ୍ୟକୁ ଧ୍ୟାନରେ ରଖି ଦାରିଦ୍ର୍ୟ, କଠିନ ଭୌଗୋଳିକ ଏବଂ ବହୁ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାରେ, ସରକାର ରାଜ୍ୟର ସ୍ୱାସ୍ଥ୍ୟବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗତ କିଛି ବର୍ଷ ଧରି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଆସୁଛନ୍ତି । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ସୁଲଭ, ଶସ୍ତା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଓଡ଼ିଶା ସ୍ୱାସ୍ଥ୍ୟ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ ।

ସ୍ୱାସ୍ଥ୍ୟ ସହିତ ପୋଷଣ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଏକ ସୁସ୍ଥ ଶରୀର ପାଇଁ ସଠିକ୍‍ ପୋଷଣର ଆବଶ୍ୟକତା ରହିଛି । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖି ରୋଗକୁ ରୋକିବାରେ, ଶାରୀରିକ ଓ ମାନସିକ ଅଭିବୃଦ୍ଧି ସୁନିଶ୍ଚିତ କରିବାରେ, ବିଶେଷକରି ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧଙ୍କ ପରି ଦୁର୍ବଳ ଗୋଷ୍ଠୀ ମଧ୍ୟରେ ପୁଷ୍ଟିକର ଖାଦ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ଓଡ଼ିଶା ସରକାର ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ସହିତ ପୋଷଣର ସୁଧାର ପାଇଁ ମଧ୍ୟ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କର ଭୂମିକା ମଧ୍ୟ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ।

 

ସ୍ୱାସ୍ଥ୍ୟ ବ୍ୟବସ୍ଥାର ଗଠନ

ଓଡ଼ିଶାର ସ୍ୱାସ୍ଥ୍ୟବ୍ୟବସ୍ଥାରେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ର ରହିଛି ଏବଂ ଏହା ଗଠନ ଅନୁସାରେ ତିନୋଟି ସ୍ତରରେ ବିଭକ୍ତ––୧) ପ୍ରାଥମିକ ସ୍ତର ୨) ଦ୍ୱିତୀୟ ସ୍ତର ୩) ତୃତୀୟ ସ୍ତର

 

୧) ପ୍ରାଥମିକ ସ୍ତର

ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ତେଣୁ ଓଡ଼ିଶାରେ ଏହି ପ୍ରାଥମିକ ସ୍ତର ସ୍ୱାସ୍ଥ୍ୟ ସେବା ମୁଖ୍ୟତଃ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ପାଇଁ ପ୍ରଥମ ସମ୍ପର୍କ ବିନ୍ଦୁ ଭାବେ କାର୍ଯ୍ୟ କରେ । ଏହା ମାଧ୍ୟମରେ ସାଧାରଣ ଲୋକ, ବିଶେଷକରି ଗ୍ରାମାଞ୍ଚଳର ଗରିବ ଲୋକମାନେ ସହଜରେ ଚିକିତ୍ସା ସୁବିଧା ପାଇପାରନ୍ତି । ପ୍ରାଥମିକ ସ୍ତର ସ୍ୱାସ୍ଥ୍ୟ ସେବା ନିମ୍ନଲିଖିତ ସଂସ୍ଥାମାନଙ୍କ ମାଧ୍ୟମରେ ପ୍ରଦାନ କରାଯାଏ—ଉପ-ସ୍ୱାସ୍ଥ୍ୟକେନ୍ଦ୍ର (Sub-Health Centre), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC), ନୂତନ ସ୍ୱାସ୍ଥ୍ୟ ଓ କୁଶଳତା କେନ୍ଦ୍ର (Health and Wellness Centres)

ଉପ-ସ୍ୱାସ୍ଥ୍ୟକେନ୍ଦ୍ର (Sub-Health Centre) ହେଉଛି ପ୍ରାଥମିକ ସ୍ତରର ସବୁଠାରୁ ତଳ ସ୍ୱାସ୍ଥ୍ୟ ସଂସ୍ଥା ଏବଂ ଏଠାରେ ମୁଖ୍ୟତଃ ଏଏନଏମ୍ (ANM) ଓ ସ୍ୱାସ୍ଥ୍ୟକର୍ମୀମାନେ କାମ କରନ୍ତି । ଏହି କେନ୍ଦ୍ରଗୁଡ଼ିକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ଟୀକାକରଣ, ପରିବାର ନିୟୋଜନ, ପୋଷଣ ସଚେତନତା, ସାଧାରଣ ରୋଗର ଚିକିତ୍ସା ଭଳି ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇଥାଏ । ପ୍ରତ୍ୟେକ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟ ୫,୦୦୦–୮,୦୦୦ ଲୋକଙ୍କୁ ସେବା ପ୍ରଦାନ କରେ ।

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) ପ୍ରାଥମିକ ସ୍ତରର ମୁଖ୍ୟ ଆଧାର । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟତଃ ୫–୬ଟି ଗ୍ରାମ ଅର୍ଥାତ୍‍ ପ୍ରାୟ ୨୦,୦୦୦–୩୦,୦୦୦ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରେ । ଏଠାରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ରହନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ସାଧାରଣ ରୋଗର ଚିକିତ୍ସା, ମାତୃ ସେବା, ସାଧାରଣ ପ୍ରସବ, ପରିବାର କଲ୍ୟାଣ ସେବା, ରୋଗର ପ୍ରାରମ୍ଭିକ ଚିହ୍ନଟ, ପ୍ରାଥମିକ ଲ୍ୟାବ୍ ପରୀକ୍ଷା କରିବା ସହିତ ମାଗଣା ଔଷଧ ବଣ୍ଟନ କରନ୍ତି । ଏଠାରେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା, ଆଶାକର୍ମୀ (ASHA)ମାନେ ନିଯୁକ୍ତ ହୋଇ ଗର୍ଭବତୀ ମହିଳାମାନଙ୍କୁ ମାର୍ଗଦର୍ଶନ କରନ୍ତି । ଓଡ଼ିଶାରେ ହେଉଥିବା ମାଲେରିଆ, ଯକ୍ଷ୍ମା, ଡେଙ୍ଗୁ, ଟିବି, ଡାଏରିଆ ପରି ସଂକ୍ରାମକ ରୋଗ ନିୟନ୍ତ୍ରଣ କରିବାପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହିଁ ପଦକ୍ଷେପ ନିଆଯାଏ । ଏହା ବ୍ୟତୀତ ଟିକାକରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟରକ୍ଷା ଓ ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର ଇତ୍ୟାଦି ସଚେତନମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ ।

ସ୍ୱାସ୍ଥ୍ୟ ଓ କୁଶଳତା କେନ୍ଦ୍ର (Health and Wellness Centres)  ମାଧ୍ୟମରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସକ୍ଷମ, ଓ ଲୋକମୁଖୀ କରିବା ପାଇଁ ବିଭିନ୍ନ ଯୋଜନା ସବୁ ସରକାରଙ୍କ ଦ୍ୱାରା କରାଯାଇଥାଏ  । ଏହି କେନ୍ଦ୍ରଗୁଡ଼ିକ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରାଥମିକ ସେବା ସୁନିଶ୍ଚିତ କରିବା, ରୋଗ ପ୍ରତିରୋଧ ଓ ସ୍ୱାସ୍ଥ୍ୟ ପ୍ରଚାର, ରୋଗର ପ୍ରାରମ୍ଭିକ ଚିହ୍ନଟ, ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ କରି ସୁସ୍ଥ ଜୀବନଶୈଳୀ ପ୍ରତି ପ୍ରେରିତ କରିବା ଇତ୍ୟାଦି କାର୍ଯ୍ୟ କରିଥାଏ ।

ଓଡ଼ିଶାର ପ୍ରାଥମିକ ସ୍ତର ସ୍ୱାସ୍ଥ୍ୟ ସେବା କିଛି ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛି । କେତେକ ଦୁର୍ଗମ ଅଞ୍ଚଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ, ଯାତାୟାତ ସମସ୍ୟା ଦେଖାଯାଉଥିବାବେଳେ ସଠିକ୍‍ ଔଷଧ, ଟେକ୍‍ନିକାଲ୍‍ ଉପକରଣ ଓ ଅତ୍ୟାଧୁନିକ ସୁବିଧା ନଥିବାରୁ ଚିକିତ୍ସାର ଗୁଣତ୍ୱ ପ୍ରଭାବିତ ହେଉଛି । ତଥାପି ସରକାର ନୂତନ କେନ୍ଦ୍ର ସ୍ଥାପନ, ଡିଜିଟାଲ ସ୍ୱାସ୍ଥ୍ୟ ସେବା, ମୋବାଇଲ ମେଡିକାଲ ୟୁନିଟ୍ (ଏମଏମୟୁ)ଓ ମାନବ ସମ୍ପଦ ବୃଦ୍ଧି ମାଧ୍ୟମରେ ଏହି ସମସ୍ୟା ଦୂର କରିବାକୁ ପ୍ରୟାସ କରୁଛନ୍ତି । ଏହିପରି ଭାବରେ ଯଦି ପ୍ରାଥମିକ ସ୍ତରକୁ ଆହୁରି ଶକ୍ତିଶାଳୀ କରାଯାଏ, ତେବେ ଓଡ଼ିଶାର ସମଗ୍ର ସ୍ୱାସ୍ଥ୍ୟବ୍ୟବସ୍ଥା ଆହୁରି ସଫଳ ଓ ଲୋକମୁଖୀ ହେବ ।