ଭଗବାନଙ୍କ ପକ୍ଷରେ ଭକ୍ତର ଦୁଃଖ ସହିବା ଅସମ୍ଭବ । ବର୍ତ୍ତମାନ ଶ୍ରୀକୃଷ୍ଣରୂପୀ ଅନ୍ତର୍ଯ୍ୟାମୀ ଭଗବାନ ଜାଣିଲେ, ତାଙ୍କର ପିଲାଦିନର ସଖା ସୁଦାମା ଦୁଃଖରେ, ଦାରିଦ୍ର୍ୟରେ ବଡ଼ କଷ୍ଟ ପାଇ ସୁମତିଠାରୁ ବହୁ ଲାଞ୍ଛନା ଭୋଗି ତାଙ୍କ ପାଖକୁ ଆସିବାଲାଗି ଭାରି ବ୍ୟାକୁଳ—ବାଟରେ ଆସୁ ଆସୁ ନଈକୂଳରେ ବସିଛି—ବଢ଼ିରେ ଭରା ନଈ—ଆଉ ପାରି ହେବାର ଉପାୟ ନ ଦେଖି ବଡ଼ କଷ୍ଟ ଭୋଗୁଛି । ସଖାର—ବିଶେଷତଃ ଭକ୍ତର—ଏ ଦୁଃଖ କଥା ଜାଣିପାରି, କାତର ଆହ୍ୱାନ ଶୁଣିପାରି, ତାଙ୍କ ପ୍ରାଣ ଆକୁଳ ହୋଇ ଉଠିଲା । କିପରି ଭକ୍ତକୁ ରକ୍ଷା କରିବାକୁ ହେବ, ସଖାର ଉପକାର କରିବାକୁ ହେବ, ଏହି କଥା ଭାବି ଭାବି ଶେଷରେ ସମସ୍ତଙ୍କୁ କହିଲେ, ‘‘ଆପଣମାନେ ଟିକିଏ ଅପେକ୍ଷା କରନ୍ତୁ । ମୁଁ ଆସୁଛି ।’’ ଏତିକି କହି ସେ ରାଜସଭାରୁ ଉଠିଗଲେ । ଭିତର ଘରେ ନିଜର ରାଜପୋଷାକ ବଦଳାଇ କେଉଟ ବେଶରେ ନଈକୂଳକୁ ବେଗରେ ଦୌଡ଼ିବାକୁ ଲାଗିଲେ । ପାରିଷଦବର୍ଗ ଏ ସବୁ କଥା କିଛି ଜାଣି ପାରିଲେ ନାହିଁ । ଇଚ୍ଛାମୟଙ୍କର ବିଚିତ୍ରଲୀଳାର କଥା ସାମାନ୍ୟ ଲୋକ ପକ୍ଷରେ ବୁଝିବା କି ସହଜ ?
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ