ଲେଖକଙ୍କ ନାମ : ଡ. ହରେକୃଷ୍ଣ ମହତାବ
ଗାନ୍ଧିଜୀଙ୍କ ଅହିଂସା କେବଳ ଇଂରେଜଙ୍କ ସାଙ୍ଗରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ନଥିଲା । ସେ ସ୍ପଷ୍ଟ କହୁଥିଲେ ଯେ ତାଙ୍କର ଅହିଂସା ମୁଖ୍ୟତଃ ଭାରତର ସମାଜର ସଙ୍ଗଠନ ପାଇଁ । ସେତେବେଳକାର ଫ୍ରଣ୍ଟିଅର ଗାନ୍ଧି ଅବଦୁଲ ଗଫୁର ଖାଁ ପ୍ରମାଣ ଦେଇଥିଲେ ଅହିଂସାର କାର୍ଯ୍ୟକ୍ରମ ଫଳରେ ପ୍ରଣ୍ଟିଅରର ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଶାନ୍ତି ସ୍ଥାପନ ହୋଇ ପାରିଛି । ଅହିଂସାର ବାୟୁମଣ୍ଡଳ ସୃଷ୍ଟି କରିବାକୁ ହେଲେ ଯେଉଁମାନେ ଅଧିକାରରେ ଅଛନ୍ତି ସେମାନଙ୍କ ବ୍ୟବହାରିକ ଦୃଷ୍ଟିରୁ ଅହିଂସାକୁ ମାନି କାମ କରିବା ଉଚିତ । ଶାସନ କ୍ଷେତ୍ରରେ ଅହିଂସାର ରୂପରେଖ ହେଉଛି, ଆଇନର ଶାସନ ଓ ଶାସନର ନିରପେକ୍ଷତା । ଏତିକି ହେଲେ ସମାଜରେ ସାଧାରଣ ଭାବରେ ଅହିଂସାର ବାୟୁମଣ୍ଡଳ ସୃଷ୍ଟି ହେବାର ଅବସ୍ଥା ଆସିଯିବ । ଶାସନ କ୍ଷେତ୍ରରେ ପକ୍ଷପାତ ବିଚାର ଓ ଅବିଚାରକୁ ପ୍ରଶ୍ରୟ ଦେଲେ ସାଧାରଣଙ୍କ ଭିତରେ ହିଂସାର ଭାବ ବଢ଼ି ବଢ଼ି ଚାଲିବ ଏଥିରେ ସନ୍ଦେହ ନାହିଁ ।
https://ova.gov.in/de/ReadEbooks?bid=4WPZ7cwqMV8=
Page No:15
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ