ଶ୍ରୀ ରଣଧୀର ଦାସ

ଆବିର୍ଭାବ :- ୨୩-୦୯-୧୯୩୮
ତିରୋଧାନ :- ୦୭-୦୨-୨୦୨୨
ଜନ୍ମସ୍ଥାନ :-

ରାଜ୍ୟର ଜଣାଶୁଣା ଲେଖକ, ସିନେ-ସମୀକ୍ଷକ ଏବଂ ମାସିକ ଜୀବନ ରଙ୍ଗ ପତ୍ରିକାର ସଂପାଦକ ରଣଧୀର ଦାସ କଟକ ସହରରେ ୧୯୩୮ ମସିହା ସେପ୍ଟେମ୍ବର ମାସ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ନରେନ୍ଦ୍ର ପ୍ରସାଦ ଦାସ ଓ ମାତା କଲ୍ୟାଣୀ ଦେବୀ । ରେଭେନ୍‍ସା କଲେଜିଏଟ ସ୍କୁଲରେ ଅଧ୍ୟୟନ ସାରିବା ପରେ ରେଭେନ୍‍ସା କଲେଜରେ ସ୍ନାତକ ଶିକ୍ଷା ସମାପନ କରିଥିଲେ ଓ ତତ୍‍ପରେ ମାଡ୍ରାସ ଯାଇ ସିଭିଲ  ଇଞ୍ଜିନିଅରିଂ ଅଧ୍ୟୟନ କରିଥିଲେ ।

ସାହିତ୍ୟ ଓ ଚଳଚ୍ଚିତ୍ର ପ୍ରତି ଶ୍ରୀ ଦାସଙ୍କର ବିଶେଷ ଆଗ୍ରହ ରହିଥିଲା । କଥା ସାହିତ୍ୟ ତାଙ୍କ ସୃଜନ-ବ୍ୟକ୍ତିତ୍ଵର ଚାରଣ ଭୂମି ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୯୬୩ ମସିହାରୁ ଆରମ୍ଭ କରି ଏଯାବତ୍‍ ତାଙ୍କର ୮ ଖଣ୍ଡ ଗଳ୍ପ ସଂକଳନ ଓ ୩ ଖଣ୍ଡ ଉପନ୍ୟାସ ପ୍ରକାଶ ପାଇଛି । ସେଗୁଡ଼ିକ ମଧ୍ୟରେ ‘ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ', ‘ଲୋହିତ ସନ୍ଧ୍ୟା’, ‘ଗଳ୍ପ : ଆଜି ଓ କାଲି’, ‘ଝଡ଼ ଓ ଝଙ୍କାର’, ‘ଶେଷ ପାହାଚ’, ‘ରଣଧୀର ଦାସଙ୍କ କଥା ଓ କାହାଣୀ’ ପ୍ରଧାନ । ତାଙ୍କର ଖଣ୍ଡିଏ ପ୍ରବନ୍ଧ ସଂକଳନ ଓ ଚଳଚ୍ଚିତ୍ର ସମ୍ପର୍କରେ ବହୁ ସମୀକ୍ଷାମୂଳକ ଆଲୋଚନା ରହିଛି ।  ଆକାଶବାଣୀ ଓ ଦୂରଦର୍ଶନରେ ତାଙ୍କର ଗଳ୍ପ ମଧ୍ୟ ପ୍ରସାରିତ ହୋଇଥିଲା । ଅନେକେ ତାଙ୍କୁ ସଫଳ ଚଳଚ୍ଚିତ୍ର ସମୀକ୍ଷକର ସମ୍ମାନ ଦିଅନ୍ତି ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ, ସେ ଜଣେ ସୁସଂଗଠକ ଓ ସମ୍ପାଦକ ଥିଲେ । ତାଙ୍କ ସମ୍ପାଦନାରେ ‘ଜୀବନରଙ୍ଗ’ ସାହିତ୍ୟ ପତ୍ରିକା ପ୍ରାୟ ୪୫ ବର୍ଷ ଧରି ପ୍ରକାଶ ପାଇଥିଲା । ନୂଆ ଲେଖକ ଗଢ଼ିବାରେ ଏହି ପତ୍ରିକାର ଭୂମିକା ସର୍ବସ୍ୱୀକୃତ । ପତ୍ରିକା ଆନୁକୂଲ୍ୟରେ ସେ ସାହିତ୍ୟ ଓ ପ୍ରଦର୍ଶନଧର୍ମୀ କଳା କ୍ଷେତ୍ରରେ କୃତବିଦ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଆସୁଥିଲେ । ଚଳଚ୍ଚିତ୍ର ସମୀକ୍ଷା କ୍ଷେତ୍ରରେ ଏହି ପତ୍ରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଆଗ୍ରହୀ ଓଡ଼ିଆ ଯୁବକମାନଙ୍କୁ ଅଭିନୟରେ ତାଲିମ ଦେବା ପାଇଁ ପରବର୍ତ୍ତୀ ଜୀବନରେ ସେ ଏକ ବିଦ୍ୟାଳୟ ଖୋଲିଥିଲେ ।

ସାହିତ୍ୟ ସାଧନା ଓ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପ୍ରତି ତାଙ୍କର ଅବଦାନ ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି, ଚିତ୍ରପୁରୀ, ଇଣ୍ଟରନ୍ୟାସନାଲ ଥିଏଟର ଆଦି ବହୁ ଅନୁଷ୍ଠାନଦ୍ୱାରା ସେ ପୁରସ୍କୃତ ଓ ସଂବର୍ଦ୍ଧିତ ହୋଇଥିଲେ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଦୀର୍ଘଦିନ ଧରି ତାଙ୍କ ଡଗରପଡ଼ା ବାସଭବନରେ ଚିକିତ୍ସାଧୀନ ରହିବା ପରେ ସେ ୨୦୨୨ ଫେବୃଆରି ୭ ତାରିଖ ଦିନ ୮୪ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll