ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର

ଆବିର୍ଭାବ :- ୨୩-୦୨-୧୭୫୭
ତିରୋଧାନ :- ୧୫-୦୬-୧୮୦୬
ଜନ୍ମସ୍ଥାନ :- ବାଲିଆ ଗ୍ରାମ, ଯାଜପୁର

ରୀତିଯୁଗର ପ୍ରମୁଖ କବିମାନଙ୍କ ମଧ୍ୟରେ ଅନ୍ୟତମ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମ ଓଡ଼ିଶାର ଆଧୁନିକ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଆ ଗ୍ରାମରେ । ୧୭୬୦ ମସିହା ଫେବୃଆରୀ ୨୩ ତାରିଖ ମାଘ ସପ୍ତମୀ ତିଥିରେ ଏହି ଅସାଧାରଣ କାବ୍ୟ-ପ୍ରତିଭା ପିତା ଇନ୍ଦ୍ରଜିତ ସାମନ୍ତସିଂହାର ଓ ମାତା ତୁଳସୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । କବିଙ୍କ ଲେଖା ଏବଂ ଜନଶ୍ରୁତିରୁ ଜଣାଯାଏ ଯେ ଇନ୍ଦ୍ରଜିତ ସାମନ୍ତ ସିଂହାର ବାଲିଆର ତତ୍‍କାଳୀନ ରାଜା (ଜମିଦାର?) ଥିଲେ; କିନ୍ତୁ ନିଃସନ୍ତାନ ଥିବାରୁ ସନ୍ତାନ ଆଶାରେ ସପ୍ତମ ପତ୍ନୀ ଗ୍ରହଣ ପରେ ମଧ୍ୟ ବିଫଳ ମନୋରଥ ହେବାରୁ ଅଷ୍ଟମ ପତ୍ନୀ ଗ୍ରହଣ କରିଥିଲେ । କୁହାଯାଏ ଯେ ପରବର୍ତ୍ତୀ ଅବସ୍ଥାରେ ଅଭିମନ୍ୟୁଙ୍କୁ ଘରୋଇ ଶିକ୍ଷକଭାବେ ଶିକ୍ଷାଦାନ କରୁଥିବା ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମଧାରୀ ଜନୈକ ବ୍ରାହ୍ମଣଙ୍କ ପୂଜୋପାସନା ବଳରେ ମାତୃଗର୍ଭରେ ଅଭିମନ୍ୟୁଙ୍କର ସଂଚାର ଘଟିଥିଲା ।

ସାହିତ୍ୟ ପ୍ରତି ଅଭିମନ୍ୟୁଙ୍କ ପ୍ରଗାଢ଼ ଅନୁରାଗର ପ୍ରମାଣ ମିଳିଥିଲା ମାତ୍ର ନ’ବର୍ଷ ବୟସରେ ଯେତେବେଳେ ସେ ଅତ୍ୟନ୍ତ ସରଳ ଓ ମଞ୍ଜୁଳ ଭାଷା ତଥା ଶୈଳୀରେ ତାଙ୍କର ପ୍ରଥମ କବିତା “କରମଙ୍ଗା ଗଛ ଛାଇ ଗୋ...” ରଚନା କରିବା ସହ ୧୪ ବର୍ଷ ବୟସ ପୂରିବା ପୂର୍ବରୁ ତିନୋଟି କବିତା ପୁସ୍ତକ—ବାଘ ଗୀତ, ଚଢ଼େଇ ଗୀତ, ବୋଲେ ହୁଁ—ରଚନା କରିସାରିଥିଲେ । ଫ୍ରଥମେ ପ୍ରଥମେ କବିତା ରଚନାରେ ଏବଂ ପରବର୍ତ୍ତୀ ଅବସ୍ଥାରେ କାବ୍ୟ ରଚନାରେ ବିଦ୍ୟୋତ୍ସାହୀ ପିତା ଇନ୍ଦ୍ରଜିତ ଅଭିମନ୍ୟୁଙ୍କୁ ଉତ୍ସାହିତ କରିଥିବା ଜଣାଯାଏ । ପୁରାଣଶାସ୍ତ୍ର, ବ୍ୟାକରଣ ଏବଂ ଅମରକୋଷ ଆୟତ୍ତ କରିସାରିବା ପୂର୍ବରୁ ଅଭିମନ୍ୟୁ କାବ୍ୟ ରଚନା ଆରମ୍ଭ କରିସାରିଥିଲେ ।

ଭଗବତ ବିଶ୍ଵାସୀ ତଥା ଶ୍ରୀକୃଷ୍ଣପ୍ରେମୀ ହୋଇଥିବାରୁ ଅଭିମନ୍ୟୁଙ୍କର ସମସ୍ତ ରଚନାରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଅମର ପ୍ରେମଗାଥାର ଅତି ସୁନ୍ଦର ପ୍ରତିବିମ୍ବନ ଦେଖିବାକୁ ମିଳେ । ଲଳିତ ଭାଷାରେ ତାଙ୍କର ରସପୂର୍ଣ, ମାଧୁର୍ଯ୍ୟପୂର୍ଣ୍ଣ ଓ ପ୍ରେମରସାପ୍ଳୁତ କାବ୍ୟମାନ ରଚନା କରି ବିଶ୍ଵ ସାହିତ୍ୟ ଦରବାରରେ ସେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛନ୍ତି  । ଉଚ୍ଚକୋଟୀର ଭାଷା ଜ୍ଞାନ ଓ ହୃଦୟସ୍ପର୍ଶୀ ବିଷୟ ବର୍ଣ୍ଣନା ଯୋଗୁଁ ସେ “ବିଦଗ୍ଧ କବି”ର ଗୌରବ ଅର୍ଜ୍ଜନ କରିଛନ୍ତି । ପିଲାଦିନର ତିନୋଟି କବିତା ପୁସ୍ତକକୁ ବାଦ ଦେଲେ ତାଙ୍କର ଅମର ଲେଖାଗୁଡ଼ିକ ମଧ୍ୟରେ ରହିଛି— ବିଦଗ୍‍ଧ ଚିନ୍ତାମଣି, ପ୍ରେମ ତରଙ୍ଗିଣୀ, ପ୍ରେମ ଚିନ୍ତାମଣି, ସୁଲକ୍ଷଣା, ପ୍ରେମକଳା ଓ ରସବତୀ ଆଦି ଅନେକ କାବ୍ୟଗ୍ରନ୍ଥ, ଅସଂଖ୍ୟ ଭକ୍ତିସଂଗୀତ ଓ ଗୀତିକବିତା ।


ରଚନାବଳୀ

Copyright © 2023 Odia Virtual Academy. All rights reserved      Total Visitors-   1

scroll