ଖ୍ୟାତିସଂପନ୍ନ ସାହିତ୍ୟ ସ୍ରଷ୍ଟା କୃଷ୍ଣପ୍ରସାଦ ମିଶ୍ର ଗଞ୍ଜାମ ଜିଲା ଅନ୍ତର୍ଗତ ବ୍ରହ୍ମପୁରର ନରସିଂହପୁର ଶାସନରେ ୧୯୩୩ ମସିହା ଏପ୍ରିଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଅନନ୍ତ ମିଶ୍ର । ଓଡ଼ିଆ ଗଦ୍ୟ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ କୃତିତ୍ଵ ପ୍ରଦର୍ଶନ କରିଥିଲେ । ମୁଖ୍ୟତଃ ଜଣେ କଥାଶିଳ୍ପୀ ତଥା ବିଶ୍ଵବିଦ୍ୟାଳୟରେ ଦର୍ଶନଶାସ୍ତ୍ର ଶିକ୍ଷକରୂପେ ଖୁବ୍ ଲୋକପ୍ରିୟ ଥିଲେ କୃଷ୍ଣପ୍ରସାଦ ମିଶ୍ର । ଗଳ୍ପ ଓ ପ୍ରବନ୍ଧ ରଚନାରୁ ସେ ନିଜର ସାରସ୍ଵତ ଜୀବନ ଆରମ୍ଭ କରିଥିଲେ ।
୧୯୫୬ ମସିହାରୁ ଧାରାବାହିକଭାବେ ସେ ପ୍ରବନ୍ଧ ରଚନା କରିଚାଲିଥିଲେ । ଆଦ୍ୟ ତାରୁଣ୍ୟରେ ପରିପକ୍ୱ ଦୃଷ୍ଟିଭଙ୍ଗୀ ଓ ଭାଷାଶୈଳୀର ପରିପ୍ରକାଶ ହେଉଛି ତାଙ୍କର ତିନିଗୋଟି ଉପନ୍ୟାସ ‘ମୃଗତୃଷ୍ଣା’ (୧୯୫୭), ‘ସିଂହକଟୀ’ (୧୯୫୯) ଓ ‘ନେପଥ୍ୟେ’ (୧୯୬୦) । ‘ମୃଗତୃଷ୍ଣା’ରେ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ପ୍ରଦର୍ଶନ ସହିତ ବିଶୃଙ୍ଖଳ ଓ ଉଦ୍ଭ୍ରାନ୍ତ ଯୁବମାନସର ମନସ୍ତତ୍ତ୍ଵ ରୂପ ପାଇଛି । ‘ସିଂହକଟୀ’ ଆଧୁନିକ ବ୍ୟକ୍ତି-ମଣିଷର ସ୍ଵାର୍ଥସର୍ବସ୍ଵ ଓ ପ୍ରବୃତ୍ତିଅନୁଗାମୀ ଚିନ୍ତନର ଏକ ଦସ୍ତାବିଜ ସଦୃଶ । ଏଥିରେ ମୂଲ୍ୟବୋଧର ବିପର୍ଯ୍ୟୟ, ପୁଞ୍ଜିବାଦୀ ଶାସନ ବ୍ୟବସ୍ଥା, ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରତି ରହିଛି ବେଶ୍ ସୁନ୍ଦର ବିଦ୍ରୂପ ।
‘ନେପଥ୍ୟେ’ରେ ସମକାଳୀନ ପରିବେଷ୍ଟନୀ ଓ ଅଭାବ ଅନଟନର ପୃଷ୍ଠଭୂମିରେ ସଂଗ୍ରାମରତ ତରୁଣର ସାଧନା, ଦ୍ଵନ୍ଦ୍ଵ, ଦହନ ଓ ଜୀବନ ଜିଇଁବାର ପ୍ରୟାସ ରୂପାୟିତ ହୋଇଛି । ଉପନ୍ୟାସଗୁଡ଼ିକର କାହାଣୀ ସାମାଜିକ କଥାବସ୍ତୁ ଉପରେ ଆଧାରିତ, ମାତ୍ର ଚରିତ୍ରମାନଙ୍କର ମନସ୍ତାତ୍ତ୍ଵିକ ବିଶ୍ଳେଷଣ ବିଶେଷ ପ୍ରାଧାନ୍ୟ ପାଇଛି । ଗାନ୍ଧିଚିନ୍ତନ, ସାମ୍ୟବାଦୀ ଦର୍ଶନ, ଭାରତୀୟ ସଂସ୍କୃତିରେ କର୍ମବାଦ, ଭାଗ୍ୟବାଦ, ପୁନର୍ଜନ୍ମ ସଂପର୍କିତ ବିଶ୍ଵାସବୋଧ ଅତ୍ୟନ୍ତ ସରଳ, ସାବଲୀଳ, ଉପମାପ୍ରଯୁକ୍ତ, ଚିତ୍ରମୟ ଭାଷା, ନାଟକୀୟ ବିନ୍ୟାସ ମାଧ୍ୟମରେ ମୂର୍ତ୍ତ ହୋଇଛି । କୃଷ୍ଣପ୍ରସାଦ ଉପନ୍ୟାସ ରଚନାରୁ ସମ୍ପୂର୍ଣ୍ଣ ବିରତ ହୋଇ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵକାଳ ଧରି ଗଳ୍ପ ରଚନାରେ ମନୋନିବେଶ କରିଥିଲେ ।
ଗଳ୍ପର ସଂଖ୍ୟା ଦୁଇ ଶହରୁ ଅଧିକ । ‘ଶ୍ରେଷ୍ଠ ଗଳ୍ପ’ (୧୯୯୩) ସମେତ ତାଙ୍କର ଅନ୍ୟ ଗଳ୍ପଗ୍ରନ୍ଥଗୁଡ଼ିକ ହେଲା ‘ମୌନାବତୀ ରାତ୍ରି’ (୧୯୬୩), ‘ନାଏଗ୍ରା ଓ ଦେବଯାନୀ’ (୧୯୬୮), ‘ଅରଣ୍ୟ ଓ ଉପବନ’ ( ୧୯୭୦), ‘ଭୃଗୁ ସଂହିତା’ ( ୧୯୭୩), ‘ନିଜକୁ ନାୟକ କରି’ (୧୯୭୫), ‘ପଶ୍ଚିମା’ (୧୯୭୮), ‘ସନାତନ ଓଝା ଗଲେ କୁଆଡ଼େ’ (୧୯୮୧), ‘ଚିତ୍ରିତ ଚାଦର’ ( ୧୯୮୩), ‘ପର୍ବତାରୋହଣ’ (୧୯୮୩), ‘ମାଣିକ ସନ୍ଧାନ’ (୧୯୮୯), ‘ଡାଫୋଡିଲ୍ ଓ ଗଙ୍ଗଶିଉଳି’ (୧୯୯୧) ।
ଗଳ୍ପଗୁଡ଼ିକର ପୃଷ୍ଠଭୂମି ହେଉଛି ଭାରତୀୟ ଓ ପାଶ୍ଚାତ୍ୟ ସଂସ୍କୃତି ଓ ଚଳଣି ଏବଂ ସମକାଳୀନ ବିଶ୍ଵର ଯାବତୀୟ ସାମାଜିକ-ଅର୍ଥନୈତିକ-ସାଂସ୍କୃତିକ ସଂକଟରୁ ଆରମ୍ଭ କରି ଆଞ୍ଚଳିକ ବା ସ୍ଥାନୀୟ ଜୀବନଧାରା ଓ ସମସ୍ୟା, ସଙ୍କଟ, ଧର୍ମୀୟ ବିଶ୍ଵାସ । ନାଟକୀୟ କଥାବିନ୍ୟାସ, ରହସ୍ୟମୟ ପରିମଣ୍ଡଳ ସୃଷ୍ଟି, ବ୍ୟଞ୍ଜନାଧର୍ମୀ ଚିତ୍ରକଳ୍ପମୟ ଭାଷା ତାଙ୍କ ଗଳ୍ପକୁ ଅଧିକ ବୌଦ୍ଧିକ କରିପାରିଛି । ସଂକଳନର ଶୀର୍ଷକ ଗଳ୍ପଗୁଡ଼ିକ ଅଧିକ ଶକ୍ତିଶାଳୀ । ‘କାନାଡ଼ା ଡାଏରୀ’ ଏକ ଭିନ୍ନ ସ୍ଵାଦର ଭ୍ରମଣକାହାଣୀ ଏବଂ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ତୁଳନାତ୍ମକ ଚିତ୍ର । ଏତଦ୍ଭିନ୍ନ ଦର୍ଶନ, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ସ୍ଵତନ୍ତ୍ର ପୁସ୍ତକ କଥାଶିଳ୍ପୀଙ୍କ ପାଣ୍ଡିତ୍ୟ, ବହୁଶାସ୍ତ୍ରଦର୍ଶିତା ଓ ସଂସ୍କୃତିସମ୍ପନ୍ନତାର ପରିଚୟ ବହନ କରେ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ