ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ଦିଗ୍ଗଜ ଅନନ୍ତ ପ୍ରସାଦ ପଣ୍ଡା ୧୯୦୬ ମସିହା ଜୁଲାଇ ୧୮ ତାରିଖ ଦିନ ବାଲେଶ୍ଵର ଜିଲ୍ଲାର ବାହାନଗା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ରମାକାନ୍ତ ଓ ମାତା ଥିଲେ ଗେହ୍ଲାମଣି ।
ଶ୍ରୀ ପଣ୍ଡା ବୃତ୍ତିରେ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିଲେ ମଧ୍ୟ ତାଙ୍କର ପ୍ରବୃତ୍ତି ଥିଲା ସାହିତ୍ୟସାଧନା । ଗଳ୍ପ, ଉପନ୍ୟାସ, କବିତା, ନାଟକ, ଅନୁବାଦ, ପ୍ରବନ୍ଧ ଓ ଆତ୍ମଜୀବନୀ ରଚନାରେ ସେ ସିଦ୍ଧି ଯାସଲ କରିଥିଲେ । ତାଙ୍କ ଗଳ୍ପଗ୍ରନ୍ଥଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ‘ତୃଣଗୁଚ୍ଛ', ‘ସଭ୍ୟତାର ତଳେ’, ‘ମନଶି ଭୂତ ବାରମଜା’, ‘ନୈଶ ସୁନ୍ଦରୀ’, ‘ଯୁଗରହସ୍ୟ’; ଉପନ୍ୟାସ ମଧ୍ୟରେ ‘ଭାଗ୍ୟଚକ୍ର’, ‘ନୂଆଦୁନିଆ’, ‘କୁଲି’, ‘ମୁକ୍ତ ଆକାଶର ବିହଙ୍ଗ’; କବିତା ପୁସ୍ତକ ମଧ୍ୟରେ ରହିଛି ‘ନୀହାରିକା’, ‘ଝଙ୍କାର’, ‘ମୋ କବିତା’, ‘କବିତାର ବିଳାପ’; ଏକାଙ୍କିକା ଓ ନାଟକ ମଧ୍ୟରେ ରହିଛି ‘ତୁଳସୀ’, ‘ଯୁଗ ରହସ୍ୟ’, ‘ସତ୍ୟଯୁଗ’, ‘ତାରାବାଈ’; ଶିଶୁସାହିତ୍ୟ କ୍ଷେତ୍ରରେ ତାଙ୍କର କୃତିସମୂହ ହେଉଛି ‘ପ୍ରକୃତି' (ଗଳ୍ପ ସଂକଳନ); ଭ୍ରମଣ କାହାଣୀ ମଧ୍ୟରେ ରହିଛି ‘ପାଶ୍ଚାତ୍ୟ ଅନୁଭୂତି’, ‘ଡାଏରୀରୁ କେତେକ ପୃଷ୍ଠା’, ‘ବୁଦ୍ଧଖୋଲ’, ‘ଚିଲିକା ବକ୍ଷେ’, ‘ବଡ଼ଦିନ ଛୁଟିର ଆଦ୍ୟ ଚାରିଦିନ’; ଅନୁବାଦ ଗ୍ରନ୍ଥ ମଧ୍ୟରେ ‘ଓମର ଚୟନିକା’, ‘ଯୋଗବାଶିଷ୍ଠ ରାମାୟଣ’ ଏବଂ ଆତ୍ମଜୀବନୀ ମଧ୍ୟରେ ‘ମୋ ଜୀବନ ସ୍ମୃତି’, ‘ମୋର କେନ୍ଦ୍ରପଡ଼ା ସ୍ମୃତି’ ଓ ‘ଗଞ୍ଜାମ ଅନୁଭୂତି’ ଆଦି ଅନ୍ତର୍ଭୁକ୍ତ । ଅନନ୍ତ ପ୍ରସାଦ ଓଡ଼ିଆ ସାହିତ୍ୟର ଭିନ୍ନ ଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ବି କ୍ଷୁଦ୍ରଗଳ୍ପ-ସ୍ରଷ୍ଟା ଭାବରେ ସେ ଅଧିକ ପରିଚିତ । ସମବାୟ ବିଭାଗରେ ଅନେକ ଦିନ ଧରି କାର୍ଯ୍ୟ କରୁଥିବାରୁ ସମବାୟ ଆଦର୍ଶ ତାଙ୍କ ରଚନାରେ ପ୍ରତିଫଳିତ । କେବଳ ସାହିତ୍ୟ ଦୃଷ୍ଟିରୁ ନୁହେଁ, ସାମାଜିକ ଆଦର୍ଶ ପ୍ରତିଷ୍ଠା ଦୃଷ୍ଟିରୁ ମଧ୍ୟ ତାଙ୍କ ସାରସ୍ଵତ ସୃଷ୍ଟଗୁଡ଼ିକ ମୂଲ୍ୟବାନ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ