ଆବିର୍ଭାବ :-
ଜନ୍ମସ୍ଥାନ :- ଗଡ଼ମଧୁପୁର, ଯାଜପୁର
ଯାଜପୁର ଜିଲ୍ଲା ଗଡ଼ମଧୁପୁର ନିକଟବର୍ତ୍ତୀ ସିଂଘାପୁର ଗ୍ରାମରେ ୧୮୮୬ ମସିହାରେ ଏକ ପ୍ରତିଷ୍ଠିତ, ସଂସ୍କୃତିସମ୍ପନ୍ନ ପରିବାରରେ ପଣ୍ଡିତ ପ୍ରଭାକର ମିଶ୍ର ଜନ୍ମଗ୍ରହଣ କରିଥିଲେ । ଶ୍ରୀ ଆର୍ତ୍ତତ୍ରାଣ ଶତପଥି ବିଦ୍ୟାନିଧିଙ୍କ ଚାରିପୁତ୍ର ବଂଶୀଧର, ହଳଧର, ଦାମୋଦର ଏବଂ ପ୍ରଭାକରଙ୍କ ମଧ୍ୟରୁ କନିଷ୍ଠପୁତ୍ର ପ୍ରଭାକର ବାଲ୍ୟାବସ୍ଥାରେ ପିଉସା ବିଦ୍ୟାଧର ମିଶ୍ରଙ୍କ ପୁତ୍ର ଭାବରେ ମିଶ୍ର ସଂଜ୍ଞା ପ୍ରାପ୍ତ ହେଲେ । ବିଦ୍ୟାଧର ମିଶ୍ର ମଧୁପୁର ରାଜପରିବାରର କୁଳପୁରୋହିତ ଥିଲେ । ବାଲ୍ୟାବସ୍ଥାରୁ ପ୍ରଭାକର ପୂଜାପଦ୍ଧତ୍ତି ଏବଂ ମୌଳିକ ସଂସ୍କୃତ ଶିକ୍ଷା ଲାଭ କଲେ । ମଧୁପୁର ରାଜାଙ୍କ ଆର୍ଥିକ ସହାୟତାରେ ସେ କଲିକତା, ନଦିଆ, ପୁରୀ ଠାରେ ସଂସ୍କୃତ ଅଧ୍ୟୟନ କରିଥିଲେ । ୧୯୧୦ ମସିହାରେ କଲିକତାର ସଂସ୍କୃତ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସଂସ୍କୃତ ଉପାଧି ପରୀକ୍ଷାରେ ପ୍ରାଚୀନ ସ୍ମୃତି ବିଷୟରେ ସ୍ମୃତିତୀର୍ଥ ଉପାଧି ଲାଭ କରିଥିଲେ । ବିହାର ଏବଂ ଓଡ଼ିଶା ସଂସ୍କୃତ ଆସୋସିଏସନ୍ ଦ୍ୱାରା ପରିଚାଳିତ ୧୯୧୯ ମସିହାରେ ସଂସ୍କୃତ ଉପାଧି ଅନୁଷ୍ଠିତ ପରୀକ୍ଷାରେ ସାରସ୍ୱତ ବ୍ୟାକରଣରେ ବ୍ୟାକରଣ ତୀର୍ଥ ଉପାଧି ଲାଭ କରିଥିଲେ । ସେ ପାଣିନୀଙ୍କ ଅଷ୍ଟାଧ୍ୟାୟୀ ସମ୍ବନ୍ଧରେ ଗଭୀର ଅଧ୍ୟୟନ କରିଥିଲେ ଏବଂ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭା ୧୯୩୭ ମସିହାରେ ପ୍ରଭାକର ମିଶ୍ରଙ୍କୁ ସ୍ମୃତିରତ୍ନ ଉପାଧି ପ୍ରଦାନ କରିଥିଲେ ।
ପଣ୍ଡିତ ପ୍ରଭାକର ମିଶ୍ରଙ୍କ ତିନୋଟି ଗ୍ରନ୍ଥ— ଦେବୀ ଭାଗବତ, ଭୌମୀ ଏବଂ କାଳିକା ପୁରାଣର ରଚୟିତା ଥିଲେ । ୧୯୫୩ ମସିହା କାର୍ତ୍ତିକ ମାସ ଗୋଷ୍ଠାଷ୍ଟମୀ ଦିନ ପୁରୀସ୍ଥିତ ତାଙ୍କ ବାସଭବରେ ସେ ପୁଣ୍ୟଗତି ପ୍ରାପ୍ତ ହେଲେ ।