ଆବିର୍ଭାବ :- ୦୧-୦୧-୧୯୪୯
ଜନ୍ମସ୍ଥାନ :- ବ୍ରହ୍ମପୁର, ଗଞ୍ଜାମ
ଶ୍ରୀମତୀ ଅମିୟବାଳା ପଟ୍ଟନାୟକ ଏକାଧାରରେ ଜଣେ ପ୍ରସିଦ୍ଧ ଅନୁବାଦିକା ଓ କବୟିତ୍ରୀ । ବାଲ୍ୟକାଳରୁ ତାଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅହେତୁକ ଆକର୍ଷଣ ଥିଲା । ଦୀର୍ଘ ୬ ଦଶକରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ରତ ଥିଲେ। ବୃତ୍ତିରେ ଶିକ୍ଷକ ଥିଲେ ମଧ୍ୟ ଅମିୟବାଳା ତାଙ୍କର ଉଚ୍ଚକୋଟୀର ଭାଷାଜ୍ଞାନ ଓ ଅନୁବାଦ କଳା ପାଇଁ ସମଗ୍ର ଦେଶରେ ସମ୍ମାନିତ ହୋଇପାରିଛନ୍ତି । ଏପର୍ଯ୍ୟନ୍ତ ସେ ବିଭିନ୍ନ ଭାଷାର ବିଶିଷ୍ଟ ଲେଖକମାନଙ୍କର ୨୨ଟିରୁ ଅଧିକ ପୁସ୍ତକ ଓଡ଼ିଆ ଭାଷାରେ ଅନୁବାଦ କରିବା ସହିତ ଅନ୍ୟୂନ ୮ଟି କବିତା ଗ୍ରନ୍ଥ ରଚନା କରିଛନ୍ତି । ଅମିୟବାଳା ଓଡ଼ିଆ ବ୍ୟତୀତ ହିନ୍ଦୀ, ଇଂରାଜୀ, ବଙ୍ଗଳା, ତେଲୁଗୁ ଭଳି ଅନେକ ଭାଷାରେ ପାରଙ୍ଗମ ଥିଲେ । ଅନୁବାଦ କଳାର ଶ୍ରେଷ୍ଠ ପ୍ରଦର୍ଶନ ‘ରେଣୁ ରଚନା’ ସଂଚୟନ ପାଇଁ ୨୦୧୦ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା । ନିଃସ୍ଵାର୍ଥ ସାହିତ୍ୟ ସାଧନା ପାଇଁ ତାଙ୍କୁ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର, ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର, ଝଙ୍କାର ଅନୁବାଦ ପୁରସ୍କାର ଏବଂ ଶତାବ୍ଦୀ ସମ୍ମାନରେ ସମ୍ମାନିତ କରିଥିଲେ । ଅମିୟବାଳାଙ୍କର ପ୍ରଥମ କବିତା ୧୯୭୬ ମସିହାରେ ଦୈନିକ ପ୍ରଜାତନ୍ତ୍ରର ସାହିତ୍ୟ ପୃଷ୍ଠାରେ ପ୍ରକାଶ ପାଇଥିଲା । ସେହିଦିନଠାରୁ ସେ ଆଉ ପଛକୁ ଫେରି ଚାହିଁନଥିଲେ । ଅମିୟବାଳା ହୁଏତ ଓଡ଼ିଶାର ପ୍ରଥମ ମହିଳା ଲେଖକ ଯାହାଙ୍କ ଲେଖନୀ ମୁନରୁ ୫୦ରୁ ଉର୍ଦ୍ଧ୍ୱ ପୁସ୍ତକ ଜନ୍ମଲାଭ କରିଛି । ଜଣେ ନବ୍ୟ ରୋମାଣ୍ଟିକ କବି ହିସାବରେ ବିଶ୍ୱ-ଚେତନା ତାଙ୍କ କବିତାର ମୁଖ୍ୟ ଆଧାର । ସାହିତ୍ୟ କ୍ଷେତ୍ରରେ ପରିଦୃଷ୍ଟ ବିଭିନ୍ନ ବାଦ ଏବଂ ଗୋଷ୍ଠୀବାଦ ତଥା ଆଞ୍ଚଳିକତାବାଦର ବହୁ ଉର୍ଦ୍ଧ୍ୱରେ ରହି ସେ ନିଜର ବଳିଷ୍ଠ ସ୍ଥିତି ଜାହିର୍ କରିପାରିଥିଲେ । ତାଙ୍କର ଅଧିକାଂଶ କାହାଣୀର ପ୍ରଧାନ ଚରିତ୍ର ସମାଜର ବଞ୍ଚିତ ବର୍ଗର ମହିଳା ।
କବିତା ସଂଚୟନ : ନୀରବର ସ୍ଵରଲିପି, ଅମୃତାକ୍ଷର, ଚିତ୍ରିତ ଶାମୁକା, ହୃଦୟ ଗଙ୍ଗା, ଏକତ୍ର ଏବଂ ଅମିୟ ପଦାବଳୀ ଇତ୍ୟାଦି । ·
ଅନୁବାଦ : ରେଣୁ ରଚନା, ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରେମପତ୍ର, ରାଗ ବିରାଗ, ବସନ୍ତ ରାଗ, କଲ୍ୟାଣୀ, ନରକର ନ୍ୟାୟ ଓ ଅନ୍ୟାନ୍ୟ ଗଳ୍ପ, ତୃତୀୟ ପ୍ରତିଜ୍ଞା ଓ ନିର୍ବାସନ, ଜୟନ୍ତିଆ, ବିନୀତା, ଅପରାଜିତା, ବିପ୍ଳବୀ ଭଗତ ସିଂହ, ଅମୃତା, ତ୍ରିଶୂଳ, ଜାଲ, ଦ୍ଵନ୍ଦ୍ଵ, ଅଲେଖା କାଗଜ, କମଳା, ଭାଗ୍ୟ, ରାଜଶ୍ରୀ, ଭବିତବ୍ୟ, ଅନ୍ନଦାଶଙ୍କର ପୋଥି ।