ଶ୍ରୀ ଗିରିଜାକୁମାର ବଳୀୟାରସିଂହ

ଆବିର୍ଭାବ :- ୦୯-୧୨-୧୯୫୪
ଜନ୍ମସ୍ଥାନ :- ନାରଗୋଦା, ଖୋର୍ଦ୍ଧା

ଶବ୍ଦବିନ୍ୟାସ, ପଦବିନ୍ୟାସ ଓ ଛନ୍ଦରେ ଧୂରୀଣ, ଯମକ ଓ ଯତିପାତରେ କରିତ୍‍କର୍ମା, କବି ଗିରିଜାକୁମାର ବଳିୟାରସିଂହ  ଓଡ଼ିଆ ଭାଷା-ସାହିତ୍ୟରେ ସ୍ନାତକୋତ୍ତର । ଛାତ୍ରାବସ୍ଥାରୁ ଉତ୍କୃଷ୍ଟ କବିତା ଲିଖନର କଳା ସ୍ୱତଃ ଆହରଣ କରିପାରିଥିବା ଗିରିଜାକୁମାର କିଛିକାଳ ଅଧ୍ୟାପନା ପରେ କିଛି ସମୟ ପାଇଁ ସାମ୍ବାଦିକତା କରିଥିଲେ ଓ ନିଜସ୍ୱ ଲେଖାରେ ମନୋନିବେଶ କରିଥିଲେ । ପ୍ରଗତିବାଦୀ, ସମ୍ବାଦ, ପ୍ରଜାତନ୍ତ୍ର, ଆଦି ଓଡ଼ିଆ ଦୈନିକର ସାହିତ୍ୟପତ୍ର ଓ ବିଶେଷ କ୍ରୋଡ଼ପତ୍ର, ତ୍ରୈମାସିକ ପତ୍ରିକା ରେନାଁସାଁ (୧୯୮୦), ସତୀର୍ଥ ସାହିତ୍ୟ : କାବ୍ୟ କବିତା (୧୯୮୧), ସାମୟିକ ପତ୍ରିକା ଜହ୍ନରାତି (୨୦୦୪) ଏବଂ ପାକ୍ଷିକ ପତ୍ରିକା ସାମ୍ମୁଖ୍ୟ ଆଦିର ସେ ସଂପାଦନା କରିଛନ୍ତି ।

କବିତା ପୁସ୍ତକ ‘କ୍ରୌଂଚ ମିଥୁନ’(୧୯୮୨) ତାଙ୍କୁ କବି ଭାବରେ ବିଶେଷ ପ୍ରସିଦ୍ଧି ଆଣିଦେଇଥିଲା । ‘କାଲିର କବିତା’ (୧୯୭୬), ‘ଡାଇରୀର ସାଇରୀ’ (୨୦୦୨), ‘ଭାରତବର୍ଷ’ (୨୦୦୩), ‘ନୀଳ ନିର୍ବାଣ’ (୨୦୦୩) ,ତୃଷ୍ଣା ତର୍ପଣ’(୨୦୦୪), ‘ଚତୁର୍ଦ୍ଦଶୀର ଚଂଦ୍ର’ (୨୦୦୫), ‘ଉତ୍ତରମେଘ’ (୨୦୦୬), ‘ଚିତ୍ର ପ୍ରତିମା’ (୨୦୦୭) , ‘ଶୀତ ଶୀର୍ଷକ' (୨୦୦୮) ଓ ‘ଚାରଣ ଚର୍ଯା’ (୨୦୧୧) ଆଦି ଶୀର୍ଷକରେ ତାଙ୍କର ଆଉ ବାରଟି କବିତା ସଂକଳନ ରହିଛି ।

ଶବ୍ଦ-ସ୍ଥପତି ଗିରିଜାକୁମାର ଅନୁପ୍ରାସ ଓ ଯମକର ଯାଦୁକରୀ କାରୁକାର୍ଯ୍ୟଦ୍ୱାରା ସାବଲୀଳତାସହକାରେ କବିତାକୁ କୋଣାର୍କର ରୂପ ଦେଇପାରନ୍ତି । ଅନନ୍ୟ ପ୍ରତିଭାସଂପନ୍ନ ଏହି ଯୁଗସ୍ରଷ୍ଟା କବି ପ୍ରଣୟ ଓ ପରିତାପକୁ ଶାବ୍ଦରୂପ ଦେବାରେ ଯେପରି ପାଗଳ, ମଣିଷର ଦୈନ୍ୟ ଓ କାତରତାରେ ବିଗଳିତ ହେବାର ନିଶାରେ ଅନୁରୂପଭାବେ ଅବିଚଳ । ତାଙ୍କ ଲିଖିତ ଚତୁର୍ଦ୍ଦଶପଦୀ କବିତା (ସନେଟ୍‍) ଅତ୍ୟନ୍ତ ଉଚ୍ଚ କୋଟୀର । ଭାବମୟତା ଓ ଛାନ୍ଦସିକତା ତାଙ୍କ କବିତାର ପ୍ରମୁଖ ବିଭାବ । ଛାତ୍ର ଅବସ୍ଥାରେ ସେ ଗାନ୍ଧୀ ଶତବାର୍ଷିକୀ ପ୍ରବନ୍ଧ ପୁରଷ୍କାର (୧୯୭୨) ହାସଲ କରିଥିଲେ ଏବଂ ମହାବିଦ୍ୟାଳୟ ସ୍ତରରେ ଲିଟରାରୀ ଚାମ୍ପିଆନ (୧୯୭୧-୭୨) ଘୋଷିତ ହୋଇଥିଲେ । ‘ଭାରତବର୍ଷ’ ପାଇଁ ସେ ୨୦୦୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରଷ୍କାର ଲାଭ କରିଛନ୍ତି । ଏହାବ୍ୟତୀତ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର କବିତା ସମ୍ମାନ (୨୦୦୫) ଏବଂ ଝଙ୍କାର କବିତା ସମ୍ମାନ (୨୦୦୮) ମଧ୍ୟ ପାଇଛନ୍ତି । 


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll