ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

ଆବିର୍ଭାବ :- ୧୬-୦୩-୧୯୦୫
ତିରୋଧାନ :- ୦୮-୦୧-୧୯୯୯
ଜନ୍ମସ୍ଥାନ :- ଜଗତସିଂହପୁର, ଶ୍ରୀପୁର ଗ୍ରାମ

ପ୍ରଖ୍ୟାତଯଶା ସାମ୍ବାଦିକ, ଶିଶୁସାହିତ୍ୟିକ, ଟମକକାଙ୍କ କୁଟୀରର ସଫଳ ଅନୁବାଦକ ଉଦୟନାଥ ଷଡ଼ଙ୍ଗୀ ଜଗତ୍‍ସିଂହପୁର ଜିଲ୍ଲା ଶ୍ରୀରାମପୁର ଗ୍ରାମରେ ୧୯୦୫ ମସିହା ମାର୍ଚ୍ଚ ୧୬ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ଭିକାରୀ ଷଡ଼ଙ୍ଗୀ ଓ ମାତା ଥିଲେ ପାସୋରୀ ଷଡ଼ଙ୍ଗୀ ।   ସ୍କୁଲରେ ଅଧ୍ୟୟନକାଳରେ ଗାନ୍ଧିଜୀଙ୍କ ଆହ୍ଵାନରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ ଏବଂ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ ଅଳକା ଆଶ୍ରମରେ ରହି ସୂତାକଟା ଓ ଲୁଗାବୁଣା କାମରେ ତାଲିମ ନେବା ସହ ବିଭିନ୍ନ ଅଞ୍ଚଳରେ ଦେଶହିତ ପାଇଁ ଉତ୍ସର୍ଗୀକୃତ ଯୁବକ-ଯୁବତୀମାନଙ୍କୁ ଏହି ତାଲିମ୍‍ ପ୍ରଦାନ କରିଥିଲେ । ପରବର୍ତ୍ତୀ କାଳରେ ୧୯୨୪ ବେଳକୁ ସତ୍ୟବାଦୀ ବନବିଦ୍ୟାଳୟ ଓ କଟକସ୍ଥ ଭକ୍ତମଧୁ ବିଦ୍ୟାପୀଠରେ ପାଠପଢ଼ା ସତ୍ତ୍ୱେ ପରିସ୍ଥିତିକ୍ରମେ ମାଟ୍ରିକ ସମାପ୍ତ କରିପାରିନଥିଲେ ଏବଂ କିଛିଦିନ ବିଶ୍ଵନାଥ କରଙ୍କଦ୍ଵାରା ପ୍ରତିଷ୍ଠିତ ଉତ୍କଳ ସାହିତ୍ୟ ପ୍ରେସ୍‌ରେ ପ୍ରୁଫ ରିଡରଭାବେ କାର୍ଯ୍ୟ କରିଥିଲେ     ।

ଉଦୟନାଥ ଷଡ଼ଙ୍ଗୀ ୧୯୩୯-୪୦ ମସିହାରେ ‘ସମାଜ’ କାର୍ଯ୍ୟାଳୟରେ ପ୍ରୁଫ୍‍ ରିଡରଭାବେ ଯୋଗଦାନ କରିଥିଲେ । ଉକ୍ତ ଅନୁଷ୍ଠାନରେ ସେ ଦୀର୍ଘ ୪୩ ବର୍ଷ ଧରି ମୁଦ୍ରାକର, ପ୍ରକାଶକ ଏବଂ ଦୁଇବର୍ଷ ପାଇଁ  ସଂପାଦକ ଦାୟିତ୍ୱ ବହନ କରିଥିଲେ । ପରେ ଅବସର ଗ୍ରହଣ ପର୍ଯ୍ୟନ୍ତ ସେ ସମାଜର ବାର୍ତ୍ତା-ସଂପାଦକଭାବେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ।

ଉଦୟନାଥ ଷଡ଼ଙ୍ଗୀ ମୁଖ୍ୟତଃ ଜଣେ ଶିଶୁସାହିତ୍ୟିକ ଥିଲେ । ‘ପିଲାଙ୍କ ପାଇଁ ଓଡ଼ିଶାର ଇତିହାସ କଥା’, ‘ଭାରତର ଇତିହାସ କଥା’, ‘ପାଠ କୁସୁମ’ ଓ ‘ପ୍ରଥମ ସାହିତ୍ୟ’ ଆଦି ତାଙ୍କର ବିଶେଷ କୃତି ।

ତାଙ୍କର ଗଦ୍ୟରଚନା ମଧ୍ୟରେ ରହିଛି— ‘ଟୁଉକୁମୂଷି’, ‘ଜହ୍ନମାମୁଁ’, ‘ଚକାଚକା ଭଉଁରୀ’, ‘କଥାକବିତା’, ‘ଜଳରାକ୍ଷସ’ ଓ ‘ହରଭାଇଙ୍କ ଘରବାହୁଡ଼ା’ ପ୍ରଭୃତି ଉପାଦେୟ ପୁସ୍ତକ । ତାଙ୍କର ବିଜ୍ଞାନସମ୍ବନ୍ଧୀୟ ରଚନା ମଧ୍ୟରେ ‘ଆମ ଗ୍ରହ ଉପଗ୍ରହ’ (୫ ଖଣ୍ଡ), ‘ବଣ ଜଙ୍ଗଲର ଜୀବଜନ୍ତୁ’ (୬ ଖଣ୍ଡ), ‘ଜାଣିବା କଥା’ (୬ ଖଣ୍ଡ), ‘ଜଳଜନ୍ତୁ ସିରିଜ୍’ (୩ ଖଣ୍ଡ) ଓ ‘ବିଚିତ୍ର ମାନବ’ ସିରିଜ (୫ ଖଣ୍ଡ) ଉଲ୍ଲେଖନୀୟ ।

ଅନୁବାଦ କାର୍ଯ୍ୟରେ ଧୂରୀଣ ଶ୍ରୀ ଷଡ଼ଙ୍ଗୀଙ୍କର ଓଡ଼ିଆ ସାହିତ୍ୟକୁ ପ୍ରମୁଖ ଅବଦାନ ହେଉଛି ହାରିୟେଟ ଷ୍ଟା’ଙ୍କର ପ୍ରସିଦ୍ଧ ପୁସ୍ତକ ‘ଅଙ୍କଲ ଟମ୍‍ସ  କ୍ୟାବିନ୍’ର ଓଡ଼ିଆ ଭାଷାନ୍ତର ‘ଟମକକାଙ୍କ କୁଟୀର’ ଏବଂ ସାର୍ ଆର୍ଥର କନାନତାଏଲଙ୍କ ‘ଭ୍ୟାଲି ଅଫ୍ ଫିଅର୍ସ’ର ଓଡ଼ିଆ ଭାଷାନ୍ତର ‘ମରଣ ଦୁଆରେ’ । ଟମକକାଙ୍କ କୁଟୀର ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା ଓ ଓଡ଼ିଆ ପାଠକମାନଙ୍କଦ୍ୱାରା ବିଶେଷ ଭାବରେ ଆଦୃତ ହୋଇଥିଲା । ଆରବ୍ୟ ରଜନୀ, ଆଲିବାବା, ଗୌତମ ବୁଦ୍ଧ ଓ ସିନ୍ଦ୍‍ବାଦ ତାଙ୍କ ଅନୁବାଦ କଳାର ଅନ୍ୟାନ୍ୟ ଅନୁପମ ସୃଷ୍ଟି । 

ସର୍ବୋପରି ତାଙ୍କର ଶ୍ରେଷ୍ଠ କୃତି ହେଉଛି ତାଙ୍କର ଆତ୍ମଜୀବନୀ ‘ଗାନ୍ଧୀ ମହାରାଜଙ୍କ ଶିଷ୍ୟ’ ।

ଶ୍ରୀ ଷଡ଼ଙ୍ଗୀ ତାଙ୍କର ସାହିତ୍ୟିକ କୃତି ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ପାଠକ ସଂସଦ ଏବଂ ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।


ରଚନାବଳୀ
କ୍ଷୁଦ୍ରଗଳ୍ପ
ଶିଶୁ ସାହିତ୍ୟ

Copyright © 2024 Odia Virtual Academy. All rights reserved      Total Visitors-   1

scroll