ମହାପାତ୍ର ନୀଳମଣି ସାହୁ

ଆବିର୍ଭାବ :- ୨୨-୧୨-୧୯୨୬
ତିରୋଧାନ :- ୨୫-୦୬-୨୦୧୬
ଜନ୍ମସ୍ଥାନ :- ପ୍ରାଚୀନଦୀ ତଟବର୍ତ୍ତୀ ନିଆଳି, କଟକ

ବହୁବିଧ ସୃଜନ ପ୍ରତିଭାର ଅଧିକାରୀ, ପ୍ରଖ୍ୟାତ କଥାକାର, ହାସ୍ୟ-ରସିକ ମହାପାତ୍ର ନୀଳମଣି ସାହୁ କଟକ ଜିଲ୍ଲାର ପ୍ରାଚୀନଦୀ ତଟବର୍ତ୍ତୀ ନିଆଳିରେ୧୯୨୬ମସିହା ଡିସେମ୍ବର ୨୨ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମହେଶ୍ଵର ମହାପାତ୍ର ଓ ମାତା ଥିଲେ ରଙ୍ଗଲତା ଦେବୀ । କିନ୍ତୁ ନିକଟବର୍ତ୍ତୀ ନୂଆଗାଁର ମହାପାତ୍ର-ବଂଶୀୟ ବୀରବର ସାହୁ ଓ ରାଧିକାଦେବୀ ତାଙ୍କୁ ପୋଷ୍ୟପୁତ୍ର କରିନେବା ଫଳରେ ସେ ମହାପାତ୍ର ନୀଳମଣି ସାହୁରୂପେ ପରିଚିତ ହେଲେ ।ଆଜୀବନ ସେ ସେହି ନାମରେ ହିଁ ପରିଚିତ ହେବାସହ ସାହିତ୍ୟ ସୃଜନ କ୍ଷେତ୍ରରେ ଓଡ଼ିଆ ସାହିତ୍ୟଜଗତକୁ ମହିମାମଣ୍ଡିତ କରିଥିଲେ । ନିଆଳି ମାଇନର ସ୍କୁଲରୁ ଉଚ୍ଚପ୍ରାଥମିକ ଓ ମଧ୍ୟଇଂରାଜୀ, ଭିଙ୍ଗାରପୁର ବକ୍ରେଶ୍ଵର ହାଇସ୍କୁଲରୁ ମାଟ୍ରିକ୍ ଏବଂ ରେଭେନ୍ସା କଲେଜରୁ ଆଇ.ଏ., ବି.ଏ. ଏବଂ ଓଡ଼ିଆରେ ଏମ.ଏ. ପାସ୍‍ କରି ଭଦ୍ରକ ମହାବିଦ୍ୟାଳୟରୁ ଅଧ୍ୟାପନା ଆରମ୍ଭ କରିଥିଲେ ଏବଂ ଭୁବନେଶ୍ଵରର ବିଜେବି ସାନ୍ଧ୍ୟ କଲେଜର ଅଧ୍ୟକ୍ଷ ଭାବରେ ୧୯୮୪ରେ ଅବସର ଗ୍ରହଣ କରିଥିଲେ । ଏହି ଅବଧି ମଧ୍ୟରେ ‘ଝଙ୍କାର’ (୧୯୬୫-୬୯)‘ଓଡ଼ିଆ ଆରୋଭିଲିଆନ୍’ (୧୯୭୦-୭୮), ‘ଉତ୍କଳ ପ୍ରସଙ୍ଗ’ ଓ‘ଓଡ଼ିଶା ରିଭ୍ୟୁ’ (୧୯୭୫-୭୮)ର ସଂପାଦକ ଭାବରେ କାର୍ଯ୍ୟ କରିବା ସହିତ ରାମକୃଷ୍ଣ ମିଶନ, ଭୁବନେଶ୍ଵର ପକ୍ଷରୁ ‘ବିବେକାନନ୍ଦ ବାଣୀ ଓ ରଚନା’ର ସଂପାଦକ ଏବଂ ନିଖିଳ ଓଡ଼ିଶା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ‘ନିଉ ଲାଇଫ୍ ଏଜୁକେସନାଲ ଟ୍ରଷ୍ଟ’ର ଉପସଭାପତି ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

            ମହାପାତ୍ର ନୀଳମଣିଙ୍କ ସାରସ୍ଵତ ସାଧନାର ପରିସର ବ୍ୟାପକ ଏବଂ ସାରସ୍ଵତ କୃତି ବିପୁଳ ତଥା ବିଚିତ୍ର । ସେଥିପାଇଁ ସେ ନିଜ ଘରର ନାମ ‘ଆକାଶ-ପାତାଳ’ ରଖିଥିଲେ। ମାତ୍ର ସାତ-ଆଠବର୍ଷ ବୟସରେ ‘ସାଧବ ବୋହୂ’ ‘ଅନ୍ଧଲୋକ’ ଓ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ପରି କବିତାରୁ ତାଙ୍କ ସୃଜନ ପ୍ରତିଭାର ପରିଚୟ ମିଳିଥିଲା ।କଲେଜ ଅଧ୍ୟୟନ କାଳରେ ଏହା ଏକ କ୍ଷୀଣ ପ୍ରବାହରେ ପରିଣତ ହୋଇ ପରେ ତ୍ରିପଥଗା ଗଙ୍ଗାର ରୂପ ନେଇଥିଲା

            ରେଭେନ୍ସା କଲେଜରେ ଅଧ୍ୟୟନ ସମୟରେ‘ବାଜିରାଉତ’ଶୀର୍ଷକଗଳ୍ପ ଲେଖି ଅନ୍ତର୍ମହାବିଦ୍ୟାଳୟ ଗଳ୍ପ ପ୍ରତିଯୋଗିତାରେ ସେ ପ୍ରଥମ ପୁରସ୍କାର ପାଇଥିଲେ । ପୁଣି ୧୯୪୬-୪୭ ମସିହାରେ ସଂଘଟିତ ହିନ୍ଦୁ-ମୁସଲମାନ ଦଙ୍ଗାରେ କଲିକତାର ମାଟିଆ ବୁରୁଜଠାରେ ନିହତ ପ୍ରାୟ ପାଞ୍ଚଶହ ଓଡ଼ିଆ ଶ୍ରମିକଙ୍କୁ ନେଇ ‘ଡଗର’ଓ ‘ସହକାର’ପତ୍ରିକାରେ ଲେଖିଥିଲେ‘ସମାଧାନ’ଓ‘ଦାୟୀ କିଏ??’ଗଳ୍ପ । ସୃଜନର ଏହି ଆଦ୍ୟକାଳରେ କଟକ ଆକାଶବାଣୀରୁ ପ୍ରସାରିତ ହୋଇଥିଲା ତାଙ୍କର ଏକ ଗୀତିକବିତା । ସେଥିରେ ତାଙ୍କ ମାନବିକ ସମ୍ବେଦନଶୀଳତା ପ୍ରକାଶ ପାଇଥିଲା । ଏହି ସମ୍ବେଦନଶୀଳତା ହିଁ ତାଙ୍କ ପରବର୍ତ୍ତୀ ସାହିତ୍ୟ-ସୃଷ୍ଟିର ମୁଖ୍ୟ ସ୍ଵର ହୋଇଥିଲା ।

ସ୍ଵାଧୀନତାର ପରବର୍ତ୍ତୀ କାଳରେ 'ଝଙ୍କାର-ପ୍ରଜାତନ୍ତ୍ର’ ଗୋଷ୍ଠୀର ଜଣେ ଉଦୀୟମାନ କଥାଶିଳ୍ପୀ ଭାବରେ ଉଭା ହୋଇଥିଲେ ମହାପାତ୍ର ନୀଳମଣି ସାହୁ । ‘ପ୍ରେମ ଓ ତ୍ରିଭୁଜ’ (୧୯୫୨)ଠାରୁ ‘ବାଇଧରଙ୍କ ରାଜଯୋଗ (୨୦୦୪) ପର୍ଯ୍ୟନ୍ତ ତାଙ୍କର ୨୧ଟି ଗଳ୍ପ ସଂକଳନ ପ୍ରକାଶ ପାଇଛି । ଏଥିମଧ୍ୟରୁ ‘ଆକାଶ ପାତାଳ’(୧୯୭୬)ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୮୧) ଏବଂ ‘ଅଭିଶପ୍ତ ଗନ୍ଧର୍ବ’ (୧୯୮୧)ପାଇଁ ଶାରଳା (୧୯୮୩) ଓ କେନ୍ଦ୍ର ସାହିତ୍ୟ ଏକାଡେମୀ (୧୯୮୪) ପୁରସ୍କାର ପାଇଥିଲେ । ଏହି ପୁରସ୍କୃତ ଗଳ୍ପ ସଂକଳନ ଦୁଇଟି ବ୍ୟତୀତ ତାଙ୍କର ଅନ୍ୟ ପୁସ୍ତକଗୁଡ଼ିକ ହେଉଛି — ‘ମିଛବାଘ’ (୧୯୫୫), ‘ଶ୍ରୁଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ’(୧୯୫୭)‘ଗଞ୍ଜେଇ ଓ ଗବେଷଣା’ (୧୯୬୧), ‘ସୁମିତ୍ରାର ହସ’ (୧୯୬୧), ‘ବିଷ୍ଣୁମାୟା’,‘ଏକ ଭୌତିକ ରଜନୀର ଟ୍ରାଜେଡ଼ି’ (୧୯୬୨), ‘କପୋତପକ୍ଷୀ ଗୁରୁ ମୋର’ (୧୯୬୩),‘ଅନ୍ଧରାତିର ସୂର୍ଯ୍ୟ’ (୧୯୭୧), ‘ଅନ୍ୟରୂପ ରୂପାନ୍ତର’(୧୯୭୪),‘ପିଙ୍ଗଳା ସେ ଅନ୍ୟ ଜଣେ’ (୧୯୭୭), ‘ସେକାଳ ପଖାଳ’(୧୯୭୮), ‘ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ’ (୧୯୮୩), ‘ଯା ଦେବୀ ମମ ଗୃହେଷୁ’ (୧୯୭୮),‘ଶେଷ ଧୂପ’(୧୯୮୩), ‘ଲୌକିକ ଅଲୌକିକ’(୧୯୮୩), ‘ନିବେଦିତାରନୈଶାଭିସାର’ (୧୯୮୬) ଏବଂ ‘ପାପ ଓ ମୁକ୍ତି’ (୧୯୮୮) । କିନ୍ତୁ ‘ବାଇଧରବାବୁଙ୍କ ରାଜଯୋଗ’ ସଂକଳନର ଦୀର୍ଘ ପନ୍ଦରବର୍ଷ ପୂର୍ବରୁ ସେ ଗଳ୍ପଲେଖା ଛାଡ଼ିଦେଇଥିଲେ । ‘ପ୍ରେମ ଓ ତ୍ରିଭୁଜ’ ଥିଲା ତାଙ୍କର ପ୍ରଥମ ଗଳ୍ପ ସଂକଳନ । ମାତ୍ର ପାଞ୍ଚଟି ଗଳ୍ପକୁ ନେଇ ଏହି ସଂକଳନ । କିନ୍ତୁ ଲେଖାଗୁଡ଼ିକରେ ଗଳ୍ପ କମ୍, ରମ୍ୟରଚନା ବେଶି । ଏହା ତାଙ୍କର ପରବର୍ତ୍ତୀ ଗଳ୍ପ ଗୁଡ଼ିକପାଇଁ ଏକ ଭିତ୍ତି ପ୍ରସ୍ତୁତ କରିଥିଲା ।

ଶ୍ରୀ ସାହୁଙ୍କର ଉପନ୍ୟାସ ମାତ୍ର ଦୁଇଟି। ‘ଧରା ଓ ଧାରା’ (୧୯୬୧) ଓ ‘ତାମସୀ ରାଧା’ (୧୯୬୪) । ସମ୍ଭବତଃ ଗଳ୍ପର ଦାବି ଉପନ୍ୟାସ ପରି ସମୟସାପେକ୍ଷ ସର୍ଜନାର ପଥରୋଧ କରିଛି ଏବଂ ଆଦ୍ୟ ସୃଷ୍ଟିକାଳ ପରେ ସେ ଆଉ ଉପନ୍ୟାସ ଲେଖିନାହାନ୍ତି ।

ପ୍ରବନ୍ଧ, ଆଲୋଚନା ଓ ରମ୍ୟରଚନା ମଧ୍ୟରେ ତାଙ୍କର ସାରସ୍ୱତ ସାଧନା ନୂତନ ପରିଚୟ ପାଇଥିଲା । ଏହି ପର୍ଯ୍ୟାୟର ରଚନା ବିପୁଳ ଏବଂ ତାହାର ସଂକଳନ ଗଳ୍ପ ଓ ଉପନ୍ୟାସ ସଂଖ୍ୟା ସହ ସମାନ । ସେଗୁଡ଼ିକ ହେଉଛି-‘ଧ୍ୱନି ଧ୍ୱନି ପ୍ରତିଧ୍ୱନି’ ୧୯୭୫), ‘କିଛି ସୂତ୍ର କିଞ୍ଚିତ୍ ବ୍ୟାଖ୍ୟା’ (୧୯୭୬), ‘ମନୁଷ୍ୟ ସ୍ଵାଧୀନ କି ?’ (୧୯୭୬), ‘ସ୍ଵପ୍ନ ସ୍ୱପ୍ନ ଅନେକ ସ୍ଵପ୍ନ’ (୧୯୭୮), ‘ଯା ନିଶା ସର୍ବଭୂତେଷୁ’ (୧୯୮୦), ‘ଆମେ ଓଡ଼ିଆ, ଓଡ଼ିଆ କିଏ?’ (୧୯୮୦), ଏବଂ ‘ଧର୍ମ ନିରପେକ୍ଷ ଧାର୍ମିକ’ (୧୯୮୧), ‘ଦେବଦାସର ଦୃଷ୍ଟିପାତ’ (ପ୍ରଥମ ଖଣ୍ଡ, ୧୯୮୬, ଦ୍ୱିତୀୟ ଖଣ୍ଡ ୧୯୮୮), ‘ସାହିତ୍ୟର ପାରାପାର’ (୧୯୯୩), ‘ଡହରାନନ୍ଦଙ୍କ ପ୍ରବଚନମାଳା’ (୧୯୯୩), ‘କିଛି ହସ, କିଛି ପ୍ରଜ୍ଞ।’ (୧୯୯୪), ‘ଆମ କଥାସାହିତ୍ୟର କଥା ଓ ରମ୍ୟରଚନା’ (୧୯୯୪), ‘କଳିଯୁଗର ଶେଷ ବେଳାରେ’ (୧୯୯୮), ‘ସନାତନ ଧର୍ମର ସାରକଥା’ (୧୯୯୯), ‘ଉଦ୍ଧବ କେତେ ତୁ ପଚାରୁ?’ (୨୦୦୧), ‘ପ୍ରେମଭକ୍ତିର ମର୍ମକଥା’ (୨୦୦୩), ‘ଅତିମାନବସମ୍ଭାବନା ଓ ପ୍ରତିଶ୍ରୁତି’ (୨୦୦୪), ‘କିଛି ଲୌକିକ କିଛି ଅଲୌକିକ’ (୨୦୦୫), ‘ଆମ ଢଗଢମାଳିର ପଲ୍ଲୀ ପ୍ରଜ୍ଞା’ (୨୦୦୭) ଓ ‘ଚାଣକ୍ୟ ନୀତି ରତ୍ନମାଳା’ (୨୦୧୧) ।

ଏସବୁ ସହିତ ୧୯୫୬ରେ ‘ପ୍ରଭାତର ଜୟଯାତ୍ରା’ରୁ ଆରମ୍ଭ ହୋଇଥିବା ଶିଶୁସାହିତ୍ୟର ସର୍ଜନା ପରିବର୍ଦ୍ଧିତ ରୂପ ନେଇଛି । ‘ହଜି ଯାଇଥିଲେ ଖୋଜି ଆଣିବି’ (୧୯୮୦), ‘କିଛି ହସ କିଛି ରସ’ (ପ୍ରଥମ ଓ ଦ୍ୱିତୀୟ ଭାଗ, ୧୯୯୪), ‘ଅଜବ ସିଂହ ଶିକାରୀ’(୧୯୯୮) ଓ‘ବିହଙ୍ଗ ବିପ୍ଳବ’ (୨୦୦୫) ।

ଅନୁରୂପଭାବେ ମହାପାତ୍ର ନୀଳମଣିଙ୍କ ଅନୁବାଦ କୃତି ମଧ୍ୟରେ ରହିଛି ‘ଅରବିନ୍ଦଙ୍କ ଯୋଗ’ (ଷଷ୍ଠ ଖଣ୍ଡ, ୧୯୬୭), ପଶୁପତି ଭଟ୍ଟାଚାର୍ଯ୍ୟଙ୍କ ‘ଦିବ୍ୟ ଜୀବନର ସନ୍ଧାନେ’ (୧୯୬୮), ସ୍ଵାମୀ ବିବେକାନନ୍ଦଙ୍କ ‘ଭକ୍ତିଯୋଗ’ (୧୯୮୭), ଶ୍ରୀମାଙ୍କ ‘ଚିରନ୍ତନୀ’ (୧୯୯୨), ଶ୍ରୀ ଅରବିନ୍ଦଙ୍କ ‘ଭବାନୀ ଭାରତୀ’ (୧୯୯୬) ଏବଂ ପ୍ରେମ ଓ ମୃତ୍ୟୁର ମହାକାବ୍ୟ ‘ସାବିତ୍ରୀ’ର ଗଦ୍ୟାନୁସରଣ (୧୯୯୩) । ସାହିତ୍ୟ ଏକାଡେମୀ ପ୍ରକାଶିତ ମନୋଜ ଦାସଙ୍କ ଇଂରାଜୀ-ଲିଖିତ‘ଶ୍ରୀ ଅରବିନ୍ଦ’ର ଓଡ଼ିଆ ଅନୁବାଦ (୧୯୯୨) ମଧ୍ୟ ସେ କରିଛନ୍ତି । ଏସବୁ ବ୍ୟତୀତ ରହିଛି ‘ମହାପାତ୍ର ନୀଳମଣିଙ୍କ ଲଘୁ ରଚନାବଳୀ’ (୨୦୦୭) ଓ ‘ମହାପାତ୍ର ନୀଳମଣିଙ୍କ କବିତା ନୁହେଁ, କବିତା ଭଳି’ (୨୦୦୭) ।

ଏହିସବୁ ବିବିଧତା ଯୋଗୁଁ ସେ ବିଭିନ୍ନ ସମୟରେବହୁ ପ୍ରମୁଖ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।‘ଆକାଶ ପାତାଳ’ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୧) ଏବଂ‘ଅଭିଶପ୍ତ ଗନ୍ଧର୍ବ’ ପାଇଁ 'ଶାରଳା (୧୯୯୩) ଓ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୪) ବ୍ୟତୀତସମ୍ବଲପୁର ବିଶ୍ଵବିଦ୍ୟାଳୟର ‘ଭରତ ଚନ୍ଦ୍ର ନାୟକ ସମ୍ମାନ’ (୧୯୮୪), ‘ପଣ୍ଡିତ ନୀଳକଣ୍ଠ ସମ୍ମାନ’ (୧୯୮୮), ‘ଉତ୍କଳମଣି ସମ୍ମାନ’ (୧୯୯୫), ଭାରତୀୟ ଭାଷା ପରିଷଦ ପ୍ରଦତ୍ତ ‘କୋଣାର୍କ ସମ୍ମାନ’ (୨୦୦୦), ‘କାନ୍ତକବି ସମ୍ମାନ’ (୨୦୦୧), ‘ସାହିତ୍ୟ ଭାରତୀ ସମ୍ମାନ’ (୨୦୦୬) ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ (୨୦୦୮)ରେ ସେ ସମ୍ମାନିତ ହୋଇଥିଲେ ।


ରଚନାବଳୀ
ପ୍ରବନ୍ଧ

Copyright © 2024 Odia Virtual Academy. All rights reserved      Total Visitors-   1

scroll