ଗୁରୁ ମାୟାଧର ରାଉତ (୧୯୩୦–୨୦୨୫) ଆଧୁନିକ ଓଡ଼ିଶୀ ନୃତ୍ୟର ଅନ୍ୟତମ ପ୍ରମୁଖ ସ୍ଥପତି ଏବଂ ଜଣେ ବିଶିଷ୍ଟ ନୃତ୍ୟଶିଳ୍ପୀ, ନୃତ୍ୟନିର୍ଦ୍ଦେଶକ ଓ ଗୁରୁ ଥିଲେ । ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ବ୍ୟାକରଣ ଓ ତାତ୍ତ୍ୱିକ ଭିତ୍ତିକୁ ସୁଦୃଢ଼ କରିବାରେ ତାଙ୍କର ପାଣ୍ଡିତ୍ୟ ଓ କଳାଦୃଷ୍ଟିର ଅବଦାନ ଅତୁଳନୀୟ । ୧୯୩୦ ମସିହା ଜୁଲାଇ ୬ ତାରିଖରେ କଟକ ଜିଲ୍ଲାର କଣ୍ଟାପେଣ୍ହରାଠାରେ ତାଙ୍କର ଜନ୍ମ । ପାରମ୍ପରିକ ଗୁରୁ-ଶିଷ୍ୟ ପରମ୍ପରାରେ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ଗ୍ରହଣ କରିବା ପରେ ସେ ରୁକ୍ମିଣୀ ଦେବୀ ଅରୁଣ୍ଡେଲଙ୍କ ନିକଟରେ କଳାକ୍ଷେତ୍ରରେ ଅଧ୍ୟୟନ କରି ଶାସ୍ତ୍ରୀୟ ନୃତ୍ୟର ବ୍ୟବସ୍ଥିତ ତାଲିମ ଲାଭ କରିଥିଲେ । ନାଟ୍ୟଶାସ୍ତ୍ର ଓ ଅଭିନୟ ଦର୍ପଣରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ସୂକ୍ଷ୍ମ ଅଭିନୟ, ମୁଦ୍ରା ବିନ୍ୟାସ ଓ ସଞ୍ଚାରୀ ଭାବର ପ୍ରୟୋଗ ମାଧ୍ୟମରେ ସେ ଓଡ଼ିଶୀ ନୃତ୍ୟକୁ ଅଧିକ ସମୃଦ୍ଧ କରିଥିଲେ । ଆଧୁନିକ ମଞ୍ଚରେ ଜୟଦେବଙ୍କ ଗୀତଗୋବିନ୍ଦର ଅଷ୍ଟପଦୀ ପରିବେଷଣରେ ସେ ଅଗ୍ରଣୀ ଭୂମିକା ନେଇଥିଲେ ଏବଂ ବିଶେଷତଃ ଶୃଙ୍ଗାର ରସର ଅଭିବ୍ୟକ୍ତିକୁ ଗୁରୁତ୍ୱ ଦେଇଥିଲେ । ପଶ୍ୟତି ଦିଶି ଦିଶି ଓ ପ୍ରିୟ ଚାରୁ ଶୀଲେ ତାଙ୍କର ପ୍ରସିଦ୍ଧ ନୃତ୍ୟରଚନା, ଯାହା ଓଡ଼ିଶୀ ରେପର୍ଟୋରୀର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି ।
ପ୍ରମୁଖ ଅବଦାନ :- ଗୁରୁ ମାୟାଧର ରାଉତ ଭାରତ ତଥା ବିଦେଶରେ ଓଡ଼ିଶୀ ନୃତ୍ୟର ବ୍ୟବସ୍ଥିତ ଶିକ୍ଷା, ପରିମାର୍ଜନ ଓ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ତାଙ୍କର ପାଣ୍ଡିତ୍ୟ, ନୃତ୍ୟରଚନା ଓ ଶିକ୍ଷାଦାନ ମାଧ୍ୟମରେ ବହୁ ପିଢ଼ିର ନୃତ୍ୟଶିଳ୍ପୀ ପ୍ରଭାବିତ ହୋଇଥିଲେ । ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ବ୍ୟାକରଣକୁ ସଂରକ୍ଷଣ ଓ ବିଶ୍ୱସ୍ତରରେ ଏହାର ପରିଚିତି ବୃଦ୍ଧି କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ।
ପୁରସ୍କାର ଓ ସମ୍ମାନ :- ଓଡ଼ିଶୀ ନୃତ୍ୟ ପାଇଁ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୫)ରେ ସମ୍ମାନିତ ହୋଇଥିଲେ । ତାଙ୍କର ଅନ୍ୟାନ୍ୟ ସମ୍ମାନ ମଧ୍ୟରେ ସାହିତ୍ୟ କଳା ପରିଷଦ ପୁରସ୍କାର, ଉତ୍କଳ ପ୍ରତିଭା ପୁରସ୍କାର, ବିଜୁ ପଟ୍ଟନାୟକ ସମ୍ମାନ, ରାଜୀବ ଗାନ୍ଧୀ ସମ୍ମାନ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଟାଗୋର ଏକାଡେମୀ ରତ୍ନ ଉଲ୍ଲେଖନୀୟ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ (୨୦୧୦)ରେ ସମ୍ମାନିତ କରିଥିଲେ ।
୨୦୨୫ ମସିହା ଫେବୃଆରୀ ୨୨ ତାରିଖରେ ନୂଆଦିଲ୍ଲୀଠାରେ ଗୁରୁ ମାୟାଧର ରାଉତଙ୍କର ତିରୋଧାନ ଘଟିଥିଲା । ତାଙ୍କର ପାଣ୍ଡିତ୍ୟ, ନୃତ୍ୟରଚନା ଓ ଶିଷ୍ୟ ପରମ୍ପରା ଓଡ଼ିଶୀ ନୃତ୍ୟର ଇତିହାସ ଓ ବିକାଶରେ ଏକ ଅମର ଅଧ୍ୟାୟ ଭାବେ ଚିରସ୍ଥାୟୀ ହୋଇ ରହିଛି ।
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ