କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ମହିଚଲା ଗ୍ରାମରେ ୧୯୩୮ ମସିହା ଜୁନ ୧୩ ତାରିଖରେ ରାସବିହାରୀଙ୍କ ଜନ୍ମ । ମାତା ବିଦ୍ୟୁତ୍ଲତା ବେହେରା, ପିତା ପ୍ରସନ୍ନ କୁମାର ବେହେରା । ଭବାନୀପାଟଣା ବି.ଏମ୍ ହାଇସ୍କୁଲରୁ ମାଟ୍ରିକ ଶିକ୍ଷା ପରେ ବ୍ରହ୍ମପୁରସ୍ଥ ଖଲ୍ଲିକୋଟ ମହାବିଦ୍ୟାଳୟରୁ କଳାରେ ସ୍ନାତକ ତଥା ମଧୁସୂଦନ ଆଇନ କଲେଜରୁ ଆଇନରେ ସ୍ନାତକ ଉପାଧି ହାସଲ କରିଛନ୍ତି । କିଛିକାଳ ଶିକ୍ଷକତା, ସାମ୍ବାଦିକତା ପରେ ସମାଜସେବା ସହ ରାଜନୀତିରେ ଯୋଗଦେଇ ବିଧାୟକ ଓ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଭାବରେ କିଛିକାଳ କାର୍ଯ୍ୟ କରି ଯଶସ୍ୱୀ ହୋଇଛନ୍ତି । କିଶୋରାବସ୍ଥାରୁ ଓଡ଼ିଆ ସାହିତ୍ୟରେ ଲେଖନୀ ଚାଳନ କରି ବିଭିନ୍ନ ପ୍ରକାର ବୃତ୍ତି ସତ୍ତ୍ଵେ ସେ ସାରସ୍ଵତ ସାଧନାରୁ କେବେହେଲେ ଓହରି ଯାଇନାହାନ୍ତି । ଲେଖକୀୟ ଜୀବନର ଗୌରବୋଜ୍ଜ୍ଵଳ ସତୁରି ବର୍ଷ ମଧ୍ୟରେ ସେ ଅସୁମାର ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଆତ୍ମଜୀବନୀ, ସ୍ତମ୍ଭରଚନା କରି ଓଡ଼ିଆବାଣୀ ଭଣ୍ଡାରକୁ ବହୁଭାବରେ ଋଦ୍ଧିମନ୍ତ କରିଛନ୍ତି ୧୯୫୯ ମସିହାରେ ‘ପ୍ରବନ୍ଧ ମଞ୍ଜରୀ’ ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ସମ୍ପ୍ରତି ‘ସାଗର’ ସାହିତ୍ୟ ପତ୍ରିକା ଓ ‘ଅର୍ଜି’ ସାପ୍ତାହିକ ପତ୍ରିକା ସମ୍ପାଦନାରେ ସେ ବ୍ରତୀ ଅଛନ୍ତି । ଯେଉଁ ଘଟଣା ତାଙ୍କ ମନଗହନକୁ ଚହଲାଇ ଦେଇଛି ତାକୁ ନେଇ ସେ ଚମତ୍କାର ଭାବରେ ତାଙ୍କ ସୃଷ୍ଟିରେ ରୂପ ଦେଇଛନ୍ତି । ପ୍ରତ୍ୟେକ ରଚନାରେ ସେ ସମୟକୁ ପ୍ରକାଶ କରିବାକୁ ଉଦ୍ୟମ କରିଛନ୍ତି । ମାନବୀୟ ମୂଲ୍ୟବୋଧକୁ ବ୍ୟାପକ କରିବାରେ ରାସବିହାରୀ ବ୍ରତନିଷ୍ଠ ।
ଉଲ୍ଲେଖନୀୟ ରଚନାବଳୀ : ପ୍ରବନ୍ଧ : ପ୍ରବନ୍ଧ ମଞ୍ଜରୀ, ପ୍ରବନ୍ଧ ମଞ୍ଜୁଷା
ଉପନ୍ୟାସ : ବିଜୟୀ, ଅଧିକାର, ସେଇ ପାହାଡ଼ ତଳ, ରକ୍ତତୀର୍ଥ, ସ୍ମୃତି ଅନୁଭୂତି ଇତ୍ୟାଦି ।
ସମ୍ମାନ ଓ ସ୍ୱୀକୃତି : ବିଦ୍ୟାଭୂଷଣ ସମ୍ମାନ, ସାହିତ୍ୟ ସମ୍ମାନ, କବି ବ୍ରଜରାଜ ସାହିତ୍ୟ ସମ୍ମାନ ଇତ୍ୟାଦି ।
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ