ନୟାଗଡ଼ ଜିଲ୍ଲାସ୍ଥ ଶରଣକୁଳଠାରେ ୧୯୪୬ ମସିହା ଅକ୍ଟୋବର ୧ ତାରିଖରେ ସୂର୍ଯ୍ୟମଣିଙ୍କ ଜନ୍ମ । ମାତା ସୀତା ସାମନ୍ତରାୟ, ପିତା ହାଡ଼ିବନ୍ଧୁ ସାମନ୍ତରାୟ । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ଲାଭ କରିଛନ୍ତି । ଓଡ଼ିଶା ସରକାରଙ୍କ କୃଷି ଓ ସମବାୟ ବିଭାଗର ଜିଲ୍ଲା କୃଷି ଅଧିକାରୀ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରି ବିଭିନ୍ନ ଜିଲ୍ଲାମାନଙ୍କରେ ଦୀର୍ଘ ତିରିଶ ବର୍ଷରୁ ଅଧିକ କାଳ ଧରି କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି । ପଞ୍ଚମ / ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କାଳରୁ ସେ ଗଳ୍ପ, କବିତା ରଚନାରେ ଆଗ୍ରହ ପ୍ରକାଶ କରିଥିଲେ । ପରବର୍ତ୍ତୀ କାଳରେ ଗୀତିକବିତା ସୃଷ୍ଟିରେ ମନୋନିବେଶ କରୁଥିବା ବେଳେ କିଛି କିଛି ଶିଶୁ କବିତା ରଚନା କଲେ । ଶିଶୁ କବିତାକୁ ଶୁଭେଚ୍ଛୁ, ଲେଖକ ବନ୍ଧୁ ଓ ପାଠକମାନେ ପ୍ରଶଂସା କରିବାରୁ ସେ ଏ ଦିଗରେ ଅଧିକ ଧ୍ୟାନ ଦେଇ ଏଯାବତ୍ ଲେଖନୀ ଚାଳନା କରି ଆସୁଛନ୍ତି । ୧୯୮୬ ମସିହାରେ ‘ମୋ ମଣି ମାଣିକ’ ତାଙ୍କର ପ୍ରଥମ ପ୍ରକାଶିତ ଶିଶୁ ସାହିତ୍ୟ ପୁସ୍ତକ ।
ଉଲ୍ଲେଖନୀୟ ରଚନାବଳୀ : ଶିଶୁ ସାହିତ୍ୟ : ପିଲାଙ୍କ ମହତ କାମ, ଏମିତି ହେଲା କେମିତି, ପାଣିପବନ ଆମ ଜୀବନ, ପିଲାଙ୍କ ମନଛୁଆଁ କାହାଣୀ, ସୁନ୍ଦର ସଂସାର, ରହିଲେ ବନ ବଞ୍ଚେ ଜନ, ଶ୍ରୀଜଗନ୍ନାଥ ଭକ୍ତି ଗୀତିକା, ଖରାବରଷା ଗୀତ ସରସା, ପପିର ସପନ ଇତ୍ୟାଦି ।
ସମ୍ମାନ ଓ ସ୍ୱୀକୃତି : ବାଳକୃଷ୍ଣ ସ୍ମୃତି ପୁରସ୍କାର, ‘ସଂସାର’ ରାମକୃଷ୍ଣ ନନ୍ଦ ପୁରସ୍କାର, ଭୁବନେଶ୍ଵର ପୁସ୍ତକ ମେଳା ପୁରସ୍କାର, ପଠାଣି ସାମନ୍ତ ସମ୍ମାନ, ନନ୍ଦକିଶୋର ସାମଲ ସ୍ମୃତି ପୁରସ୍କାର ଇତ୍ୟାଦି ।
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ