ଓଡ଼ିଆ ଭାଷା ଓ ସାହିତ୍ୟ ଆକାଶର ଉଜ୍ଜ୍ଵଳ ଜ୍ୟୋତିଷ୍କ, ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାଷାତତ୍ତ୍ୱବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆ ଗଡ଼ରେ ୧୯୩୧ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଥିଲା ମଧୁସୂଦନ ପଟ୍ଟନାୟକ ଓ ମାତା ଥିଲେ ମୀନମାଳୀ ଦେବୀ । ଖ୍ରୀଷ୍ଟ କଲେଜରୁ ଓଡ଼ିଆ ଭାଷା ସାହିତ୍ୟରେ ବି.ଏ. (ଅନର୍ସ) ଓ ରେଭେନ୍ସା କଲେଜରୁ କୃତିତ୍ଵର ସହ ଏମ୍.ଏ. ପାସ୍ କରି ସେ ବିଶ୍ଵବିଦ୍ୟାଳୟର ଭକ୍ତକବି ମଧୁସୂଦନ ସ୍ଵର୍ଣ୍ଣପଦକ ଲାଭ କରିଥିଲେ । ଏହାପରେ କିଛିକାଳ ସେ ବଲାଙ୍ଗିର ରାଜେନ୍ଦ୍ର କଲେଜରେ ଅସ୍ଥାୟୀ ଅଧ୍ୟାପକ ଓ ପରେ ଶାନ୍ତିନିକେତନସ୍ଥ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ସେଠାରେ ଥିବାବେଳେ ଫରାସୀ ଭାଷାରେ ଡିପ୍ଲୋମା ହାସଲ ସହିତ ଡେକାନ୍ କଲେଜରୁ ଉଚ୍ଚତର ଉପାଧି ନିମନ୍ତେ ଭାଷାବିଜ୍ଞାନ ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ଉଚ୍ଚତର ଗବେଷଣାପାଇଁ ଆମେରିକା ଯାଇ ନିୟୁୟର୍କସ୍ଥିତ କର୍ଣ୍ଣେଲ୍ ୟୁନିଭର୍ସିଟିରୁ ୧୯୬୧ରେ ଭାଷାବିଜ୍ଞାନରେ ପିଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ ।
ପଟ୍ଟନାୟକ ଭାରତୀୟ-ଆମେରିକୀୟ ଗବେଷଣା ସଂସ୍ଥାର ମୁଖ୍ୟ ଭାଷାବିଜ୍ଞାନୀ (୧୯୬୪-୧୯୬୯) ଓ ମହୀଶୂରସ୍ଥିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନର ପ୍ରତିଷ୍ଠାତୃ-ନିର୍ଦ୍ଦେଶକ (୧୯୬୯-୧୯୮୯) ପରି ଗୁରୁତ୍ଵପୂର୍ଣ୍ଣ ପଦପଦବିରେ କାର୍ଯ୍ୟକରି ପରିଶେଷରେ ଭାରତ ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବରେ ସେବା ନିବୃତ୍ତ ହୋଇଥିଲେ । ପୁନା ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରିଟସ୍, ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ କଳାକେନ୍ଦ୍ରର ବରିଷ୍ଠ ପରାମର୍ଶଦାତା ଏବଂ ଟ୍ରାନପ୍ୟାରେନ୍ସି ଇଣ୍ଟରନ୍ୟାସନାଲର ଓଡ଼ିଆ ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଦାୟିତ୍ଵ ନିର୍ବାହ କରିଛନ୍ତି । ଶ୍ରୀ ପଟ୍ଟନାୟକ ଦେଶ, ବିଦେଶର ବହୁ ଭାଷାବିଜ୍ଞାନ ଅନୁଷ୍ଠାନର ସଦସ୍ୟ ବା ପରାମର୍ଶଦାତା ଭୂମିକାରେ ରହି ଏଯାବତ୍ ତାଙ୍କର ଅମୂଲ୍ୟ ଅବଦାନ ଦେଇଚାଲିଛନ୍ତି ।
ଶ୍ରୀ ପଟ୍ଟନାୟକ ଆଫ୍ରିକାର ୧୧ଟି ଦେଶରେ ସେମାନଙ୍କ ଭାଷାର ବିକାଶ ପାଇଁ ଅନେକ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ପ୍ରତିଟି ଦେଶ ପାଇଁ ସ୍ୱତନ୍ତ୍ର ଭାଷାନୀତି ପ୍ରସ୍ତୁତ କରିଛନ୍ତି ଏବଂ ସଂପୃକ୍ତ ସରକାରମାନେ ତାହା ଗ୍ରହଣ କରି ତଦନୁଯାୟୀ ଭାଷା-କାର୍ଯ୍ୟକ୍ରମ ପରିଚାଳନା କରିବା ଫଳରେ ସେମାନେ ବହୁଭାବେ ଲାଭାନ୍ୱିତ ହୋଇପାରିଛନ୍ତି । କିନ୍ତୁ ଶ୍ରୀ ପଟ୍ଟନାୟକଙ୍କର ଏକ ବଡ଼ ଅବଶୋଷ ରହିଗଲା ଯେ କେନ୍ଦ୍ରୀୟ ଭାଷା ସଂସ୍ଥାନରେ ପୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ଦେଶରେ ଏକ ଭାଷାନୀତି ପ୍ରଣୟନ ପାଇଁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ସତ୍ତ୍ୱେ ସେ ସଫଳ ହୋଇପାରିଲେ ନାହିଁ ।
ଓଡ଼ିଆକୁ ଜ୍ଞାନ ଓ ବୃତ୍ତିର ଭାଷାରେ ପରିଣତ କରିବା ପାଇଁ ତାଙ୍କର ଉଦ୍ୟମ ଏପର୍ଯ୍ୟନ୍ତ ଅବ୍ୟାହତ ରହିଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ପଛରେ ତାଙ୍କର ପ୍ରତ୍ୟକ୍ଷ ଭୂମିକା ଏକାନ୍ତଭାବେ ଗୁରୁତ୍ୱପୂର୍ଣ୍ଣ ।
ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପଟ୍ଟନାୟକଙ୍କର ଅନେକ ପୁସ୍ତକ ରହିଛି । ଇଂରାଜୀ ପୁସ୍ତକଗୁଡ଼ିକ ହେଉଛି, Multilingualism in India, Intensive Hindi course: drills, Language and Social Issues: Princess Leelavathi Memorial Lectures, Papers in Indian Sociolinguistics, An Introduction to Tamil Script, Reading & Writing, Multilingualism and mother-tongue education, Language Policy and Programmes, Advanced Tamil Reader - Part 1, An Outline of Kumauni Grammar, Language and Cultural Diversity: The Writings of Debi Prasanna Pattanayak, Volume 2, Language, Education, and Culture, A Controlled Historical Reconstruction of Oriya, Assamese, Bengali, and Hindi, Conversational Oriya, Orissa, Oriya and the Multilingual Context, Multilingualism and Multiculturalism: Britain and India, An Introduction To Tamil Script, Reading & Writing, Rabindra Smaraṇika ।
ଏ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ ହେଉଛି- ସ୍ଵାଧୀନତା ପ୍ରାପ୍ତି ପରେ ସାଂପ୍ରଦାୟିକ ବିଦ୍ଵେଷ ଭଳି ଦେଶ ଯେଉଁ ଭାଷା ବିଭେଦ ସମସ୍ୟାର ସାମ୍ନା କରୁଛି, ତାହାର ନିରାକରଣ ନିମନ୍ତେ, ଭାଷା-ସଂହତି ଭିତ୍ତିରେ ଜାତୀୟ ଏକତା ପ୍ରତିଷ୍ଠା ହେବା ଆବଶ୍ୟକ । ତା’ ସହିତ ରାଷ୍ଟ୍ରଭାଷା ହିନ୍ଦୀ ଓ ଆନ୍ତର୍ଜାତିକ ଯୋଗସୂତ୍ରର ଭାଷା ଇଂରାଜୀର ଚାପରେ ଯେପରି ଭାରତର ଆଞ୍ଚଳିକ ଭାଷା ସମୂହ ବିପନ୍ନ ନହୁଏ, ସେ ଦିଗପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ।
ଶାନ୍ତିନିକେତନରେ ଓଡ଼ିଆ ଅଧ୍ୟାପକ ଥିବାବେଳେ ଶ୍ରୀ ପଟ୍ଟନାୟକଙ୍କର ପ୍ରଥମ ଓଡ଼ିଆ ପୁସ୍ତକ ‘କବିଲିପି' (୧୯୫୭) ପ୍ରକାଶ ପାଏ । ନିଜର ଏକ ଲେଖା (ଓଡ଼ିଆ ଓ ଓଡ଼ିଶା)ରେ ସେ ଏହାକୁ ‘‘ଓଡ଼ିଆରେ ପ୍ରଥମ ପତ୍ରସାହିତ୍ୟ” କହିଥିଲେ ମଧ୍ୟ ତାହାର ଗୋଟିଏ ବର୍ଷ ପୂର୍ବରୁ ପ୍ରକାଶିତ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପତ୍ର ଓ ପ୍ରତିମା’ (୧୯୫୬)କୁ ଏହି ମାନ୍ୟତା ଦିଆଯାଇଥାଏ । ‘କବିଲିପି’ରେ ସଂକଳିତ ହୋଇଛି ସ୍ଵଭାବକବି ଗଙ୍ଗାଧର ମେହେର କବିବର ରାଧାନାଥ ରାୟଙ୍କ ନିକଟକୁ ଲେଖିଥିବା ୪୮ଟି ଚିଠି । ଚିଠିଗୁଡ଼ିକର ପୂର୍ବରୁ ରାଧାନାଥଙ୍କ ସଂପର୍କରେ ଦୀର୍ଘ ଭୂମିକା ଏବଂ ଚିଠିଗୁଡ଼ିକର ପରେ ସେଗୁଡ଼ିକର ଆଲୋଚନା ପୁସ୍ତକର ବୈଶିଷ୍ଟ୍ୟ । ଏହାର ଗୁରୁତ୍ଵ ସୂଚାଇ ନିଜ କଥାରେ ସେ କହିଛନ୍ତି, “ଓଡ଼ିଶାରେ ସାହିତ୍ୟ ଆଲୋଚନାର ଭିତ୍ତି ଏ ପର୍ଯ୍ୟନ୍ତ ପଡ଼ିନାହିଁ । ଏପରିକି ସାହିତ୍ୟ ଆଲୋଚନା ନିମିତ୍ତ ସମସ୍ତ ଉପାଦାନ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ । ତେଣୁ ଯେକୌଣସି ଆଲୋଚନା ବର୍ତ୍ତମାନ ପରିସ୍ଥିତିରେ ସର୍ବଥା ଅସଂପୂର୍ଣ୍ଣ ମନେହେବା ସ୍ଵାଭାବିକ ... କବି ଜୀବନୀ ଓ ସାହିତ୍ୟ ଆଲୋଚନା ନିମିତ୍ତ ଚିଠିପତ୍ରଗୁଡ଼ିକ ଉପାଦାନରୂପେ ବ୍ୟବହୃତ ହୋଇଥାଏ । ମାତ୍ର ସେହିଦୃଷ୍ଟିରୁ ରାଧାନାଥ ପତ୍ରାବଳୀର ବିଚାର ଏ ପର୍ଯ୍ୟନ୍ତ କରାଯାଇନାହିଁ । ଜୀବନର ବିଭିନ୍ନ ଅବସ୍ଥାରେ ଲିଖିତ ପତ୍ରାବଳୀକୁ ବିଚାର କଲେ ବ୍ୟକ୍ତି-ଚରିତ୍ରର ଏକ ପୂର୍ଣ୍ଣାଙ୍ଗ ଚିତ୍ର ମିଳିପାରନ୍ତା ।’’ ସୁଖର କଥା ଯେ ପରବର୍ତ୍ତୀ କାଳରେ ଏ ଦିଗ ପ୍ରତି ଆଲୋଚକ ଓ ସଂକଳକମାନେ ଅଧିକ ଧ୍ୟାନ ଦେଇଛନ୍ତି ।
‘ସାହିତ୍ୟ ବୀକ୍ଷା’ (୧୯୬୫) ଶ୍ରୀ ପଟ୍ଟନାୟକଙ୍କ ସମାଲୋଚନାତ୍ମକ-ପ୍ରବନ୍ଧ । ସେଥିରେ ସଂକଳିତ ‘ଚମ୍ପୂ’ ପ୍ରବନ୍ଧ ସେତେବେଳର ସାହିତ୍ୟ ଆଲୋଚନା କ୍ଷେତ୍ରରେ ଏକ ବ୍ୟତିକ୍ରମ । ସେଥିରେ ଉଭୟ କାବ୍ୟଶାସ୍ତ୍ର ଓ ସଂଗୀତଶାସ୍ତ୍ର ଆଧାରରେ କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ବିଚାର କରି ସେହି କାବ୍ୟକୁ ସେ ଉଭୟ ଦୃଷ୍ଟିରୁ ରସୋତ୍ତୀର୍ଣ୍ଣ ବୋଲି ପ୍ରତିପାଦିତ କରିଛନ୍ତି । ସେହିପରି ଓଡ଼ିଆ ସାହିତ୍ୟର ଆଦିପର୍ବର ରଚନା ‘ରୁଦ୍ର ସୁଧାନିଧି' ଗଦ୍ୟ କି ପଦ୍ୟ – ଏହି ବିବାଦ ପରିପ୍ରେକ୍ଷୀରେ ତାହାକୁ ଗଦ୍ୟ ଓ ସାଂଗୀତିକ ଗଦ୍ୟରୂପେ ସେ ପ୍ରତିପାଦିତ କରିଛନ୍ତି ।
ପରବର୍ତ୍ତୀ କାଳରେ ପ୍ରକାଶ ପାଇଛି ଶ୍ରୀ ପଟ୍ଟନାୟକଙ୍କ ଭାଷାବିଷୟକ ପୁସ୍ତକ ‘ଓଡ଼ିଆ ଭାଷା ଓ ଭାଷାବିଜ୍ଞାନ’ (୧୯୮୫) ସହିତ ଲଘୁ ନିବନ୍ଧ ସଂକଳନ ‘ଲଘୁକଥା’ ଓ ‘କିସ ପୁଣି ଦେଖାନଯାଏ’ (୧୯୯୮) । ତାଙ୍କ ନିଜକଥା ଅନୁସାରେ– ସମାଜରେ ଯେତେ ଗନ୍ଧିଆ ପୋଚରା ବିଚାର ଅଛି, ତାକୁ ସଫା କରିବା ପାଇଁ ସେ ଏହି ଲଘୁକଥା ବା ଲଘୁ ନିବନ୍ଧଗୁଡ଼ିକୁ ଅସ୍ତ୍ର କରିଛନ୍ତି । ସେହି ଲଘୁ ରଚନାର ପରିସର ‘ସଣ୍ଠଣା’ଠାରୁ ‘ସରକାରୀ ମିଛ’ ପର୍ଯ୍ୟନ୍ତ ପ୍ରସାରିତ । ଉଚ୍ଚ ଶ୍ରେଣୀର ଭାଷାବିଜ୍ଞାନ ଶିକ୍ଷାପାଇଁ 'ଓଡ଼ିଆ ଭାଷା ଓ ଭାଷାବିଜ୍ଞାନ’ ପୁସ୍ତକ ପରି ଓଡ଼ିଶାର ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃକ୍ଷଙ୍କ ପାଇଁ ମଧ୍ୟ ସେ ‘ବହୁଭାଷିକ ଶିକ୍ଷା’ ପୁସ୍ତକ ପ୍ରଣୟନ କରିଛନ୍ତି । ଏହି ଭାଷା- ଓ ସାହିତ୍ୟବିଷୟକ ଚିନ୍ତା ଓ ଆଲୋଚନାକୁ ନେଇ ତାଙ୍କର ‘ଓଡ଼ିଆ ସାହିତ୍ୟର ବିବିଧତା’ ଏବଂ ‘ଭାଷା ଓ ସାହିତ୍ୟ’ (୨୦୧୬) ପୁସ୍ତକଦ୍ୱୟ ସଙ୍କଳିତ ହୋଇଛି । ଏହା ବ୍ୟତୀତ ସେ ‘ଅନେକ ଜୀବନ’ (୨୦୦୧) ଶିରୋନାମାରେ ଏକ ସଂକ୍ଷିପ୍ତ ଆତ୍ମଜୀବନୀ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେଥିରେ ବିବିଧ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଓ ଅଭିଜ୍ଞତାର ପ୍ରତିଫଳନ ପରିଲକ୍ଷିତ ହୁଏ ।
ଛାତ୍ର ଅବସ୍ଥାରେ ଶ୍ରୀ ପଟ୍ଟନାୟକ ସମାଜବାଦୀ ଆନ୍ଦୋଳନ ସହ ସକ୍ରିୟଭାବେ ସଂପୃକ୍ତ ରହିଥିଲେ । ସମସାମୟିକମାନଙ୍କ ଭିତରେ ନିଜକୁ ଭିନ୍ନ ଭାବରେ ଦେଖାଇବାର ପ୍ରବଣତାରୁ ସେହି ସମୟରୁ ତାଙ୍କ ଲେଖାଲେଖିର ଆରମ୍ଭ ବୋଲି ସେ ନିଜେ ‘ମୁଁ କାହିଁକି ଲେଖେ’ରେ କହିଛନ୍ତି । ସେହି ସମୟରେ ସେ ‘କୃଷକ' ପତ୍ରିକାରେ ଜବାହରଲାଲ୍ଙ୍କର ଏକ ଲେଖା ‘ସମାଜବାଦ କୁଆଡ଼େ?’ ର ଅନୁବାଦ କରିଛନ୍ତି । ସଦ୍ୟ ଏମ୍.ଏ. ପାସ୍ କରି ଏମ୍.ଏ. ଦ୍ଵିତୀୟ ବର୍ଷର ପିଲାଙ୍କୁ ପଢ଼ାଇବାର ଆହ୍ଵାନ ତାଙ୍କ ଜୀବନରେ ଆସିଥିବାରୁ ସେହି ଆହ୍ଵାନକୁ ଗ୍ରହଣ କରି ନିଜକୁ ଅଧିକ ଯୋଗ୍ୟ କରିବାର ପ୍ରୟାସରେ ସେ ଅଧିକ ଅଧ୍ୟବସାୟ କରିଛନ୍ତି । ପୁଣି ଭାଷାବିଜ୍ଞାନ କ୍ଷେତ୍ରରେ ପ୍ରବେଶ କରିବା ପରେ ଭାରତରେ ଭାଷା-ଶିକ୍ଷକମାନଙ୍କର ନିମ୍ନମାନକୁ ଉନ୍ନତ କରିବା ଲକ୍ଷ୍ୟ ନେଇ ଇଂରାଜୀ ଓ ଓଡ଼ିଆ ଉଭୟ ଭାଷାରେ ଲେଖାଲେଖି କରିଛନ୍ତି । ଏସବୁଭିତରେ ତାଙ୍କର ସାହିତ୍ୟ ପରିଚୟ ଅପେକ୍ଷା ଭାଷା ପରିଚୟ ଅଧିକ ପ୍ରତିଷ୍ଠିତ ହୋଇଛି ।
ତେବେ ଏହି ଉଭୟ କ୍ଷେତ୍ରର ପରିଚିତି ପାଇଁ ସେ କିଛି କମ୍ ସ୍ୱୀକୃତି ପାଇନାହାନ୍ତି । ସେସବୁ ମଧ୍ୟରେ ଅଛି ଭାରତ ସରକାରଙ୍କ ‘ପଦ୍ମଶ୍ରୀ (୧୯୮୭), ‘ଆସାମ ସାହିତ୍ୟ ସଭା ସମ୍ମାନ’ (୧୯୮୨), ‘ଜବାହରଲାଲ ନେହେରୁ ଫେଲୋ’ (୧୯୮୭), କେନ୍ଦ୍ର ଲଳିତ କଳା ଏକାଡେମୀ, ବାଙ୍ଗାଲୋରର ‘ଅଷ୍ଟମ କଳା ମେଳା ସମ୍ମାନ’ (୧୯୯୩), ‘ହିମାଚଳ ପ୍ରଦେଶ ରାଜ୍ୟ ଶିଖର ସମ୍ମାନ’ (୧୯୯୫) ଓ ‘ଜବାହରଲାଲ ନେହେରୁ ସାକ୍ଷରତା ପୁରସ୍କାର’ (୧୯୯୯) ।
ଦେଶ ଭିତରୁ ମିଳିଥିବା ଏହିସବୁ ସମ୍ମାନ ଓ ପୁରସ୍କାର ବ୍ୟତୀତ ସେ ଓଡ଼ିଶାରୁ ପ୍ରଜାତନ୍ତ୍ର ପ୍ରଚାର ସମିତିର ‘ବିଷୁବ ମିଳନ ପୁରସ୍କାର' (୧୯୫୬), ‘ଓଡ଼ିଶା ପାଠକ ସମାଜ ପୁରସ୍କାର’ (୨୦୦୧), ‘ଉତ୍କଳ ସାହିତ୍ୟ ସମାଜ’ର ସମ୍ବର୍ଦ୍ଧନା (୨୦୦୮), ସାରଳା ସାହିତ୍ୟ ସଂସଦର ‘ମାନସିଂହ ସମ୍ମାନ’ (୨୦୦୮) ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଓ ନାଲ୍କୋ ପରି ଅନୁଷ୍ଠାନର ସ୍ଵତନ୍ତ୍ର ସମ୍ମାନ ମଧ୍ୟ ବିଭିନ୍ନ ସମୟରେ ପାଇଛନ୍ତି ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ