ଶ୍ରୀ ରାମକୃଷ୍ଣ ନନ୍ଦ

ଆବିର୍ଭାବ :- ୧୫-୦୨-୧୯୦୬
ତିରୋଧାନ :- ୨୮-୧୦-୧୯୯୪
ଜନ୍ମସ୍ଥାନ :- ବାଇରୋଇ, ଗୋବିନ୍ଦପୁର, କଟକ

ଉତ୍କଳ ଶିଶୁସାହିତ୍ୟ ଆକାଶର ଜ୍ୟୋତିଷ୍କ ରାମକୃଷ୍ଣ ନନ୍ଦ ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ଗୋବିନ୍ଦପୁର ଅନ୍ତର୍ଗତ ବାଇରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଯୋଗୁଁ  ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି ବହୁ ଓଡ଼ିଆ ଶିଶୁସାହିତ୍ୟ ପୁସ୍ତକ ଓ ଶିଶୁପତ୍ରିକା ସଂସାର ପ୍ରକାଶନ କରିଥିଲେ । ରାମକୃଷ୍ଣଙ୍କ ରଚିତ ‘ଆହେ ଦୟାମୟ ବିଶ୍ୱ ବିହାରୀ’ ପ୍ରାର୍ଥନା ଏ ଯୁଗର ସର୍ବାଧିକ ଲୋକପ୍ରିୟ ତଥା ଶ୍ରେଷ୍ଠ ଭକ୍ତିଭାବପୂର୍ଣ୍ଣ ପ୍ରାର୍ଥନା କହିଲେ ଅତ୍ୟୁକ୍ତି ହେବ ନାହିଁ । ଆର୍ଥିକ ଅବସ୍ଥା ଭଲ ନଥିବା ଯୋଗୁଁ, ରାମକୃଷ୍ଣ ଶିକ୍ଷା ଛାଡ଼ି ଜୀବିକା ନିର୍ବାହରେ ମନୋନିବେଶ କରିଥିଲେ । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆଗରୁ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ । ବିବାହ ପରେ ଚାକିରି ଛାଡ଼ି ପୁଣି ପାଠ ପଢ଼ିବା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପାଠ ପଢ଼ିଥିଲେ ସୁଦ୍ଧା ଅଭାବ ଅନଟନ ଯୋଗୁ ସମାପ୍ତ କରିପାରି ନଥିଲେ । ପରବର୍ତ୍ତୀ କାଳରେ ରାମକୃଷ୍ଣ କଟକ ଅନ୍ତର୍ଗତ ତେଲେଙ୍ଗା ବଜାରରେ ସ୍ଵଗୃହ ନିର୍ମାଣ କରିଥିଲେ  ଓ ସେଠାରେ ପାରିଜାତ ଛାପାଖାନା ବସାଇଥିଲେ । କିନ୍ତୁ ପରିସ୍ଥିତିକ୍ରମେ ତାହା ବନ୍ଦ ହୋଇଯାଇଥିଲା । ତା ପରେ ସେ ସଂସାର ପ୍ରେସ ସ୍ଥାପନା କରିଥିଲେ । ଏହି ପ୍ରେସରୁ ଶିଶୁସାହିତ୍ୟ ପତ୍ରିକା ‘ସଂସାର’ର ପ୍ରକାଶନ ଆରମ୍ଭ ହୋଇଥିଲା । ପାଠ୍ୟପୁସ୍ତକର ଜାତୀୟକରଣ ପୂର୍ବରୁ ସେ ଅଗଣିତ ପାଠ୍ୟପୁସ୍ତକ ରଚନା କରିଥିଲେ ଏବଂ ସ୍କୁଲମାନଙ୍କରେ ସେ ସବୁ ପ୍ରଚଳିତ ହୋଇଥିଲା । ୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ ସେ ‘ଆହେ ଦୟାମୟ ବିଶ୍ୱ ବିହାରୀ’ ପ୍ରାର୍ଥନା ସଂଗୀତ ରଚନା କରିଥିଲେ ଯାହାକି ପରବର୍ତ୍ତୀ ସମୟରେ ସମଗ୍ର ବିଦ୍ୟାର୍ଥୀ ସମାଜରେ ତାଙ୍କୁ ଅତି ପ୍ରିୟ କରିପାରିଥିଲା । ସେ ପିଲାମାନଙ୍କ ପାଇଁ କେତେକ ପୁସ୍ତକ ମଧ୍ୟ ଇଂରାଜୀରୁ ଅନୁବାଦ କରିଥିଲେ ।        ‘ଡନ୍‍ କୁସ୍ତି’ ତନ୍ମଧ୍ୟରୁ ଅନ୍ୟତମ । ତା ଛଡ଼ା ସେ ‘ବିଶ୍ୱ ପରିଚୟ’ ନାମରେ ଏକ ଓଡ଼ିଆ ଭାଷାକୋଷ ମଧ୍ୟ ପ୍ରଣୟନ କରିଥିଲେ । ୩୦ରୁ ଉର୍ଦ୍ଧ୍ୱ ପୁସ୍ତକ ତାଙ୍କ ସୃଷ୍ଟିସମ୍ଭାରର ଅନ୍ତର୍ଗତ ।  ଜଣେ ଅସାଧାରଣ ଶିଶୁସାହିତ୍ୟିକଭାବେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll