ଓଡ଼ିଆ ବ୍ୟଙ୍ଗ ସାମ୍ବାଦିକତାର ସ୍ଥପତି ତଥା ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରବାଦପୁରୁଷ ଗୋଦାବରୀଶ ମହାପାତ୍ର ଓରଫ ନିଆଁଖୁଣ୍ଟା ମହାପାତ୍ରେ ଆଧୁନିକ ଖୋର୍ଦ୍ଧା ଜିଲାର ବାଣପୁର ଅନ୍ତର୍ଗତ କୁମାରଙ୍ଗ ଶାସନରେ ୧୮୯୮ ମସିହା ଅକ୍ଟୋବର ପହିଲାରେ ଜନ୍ମଗ୍ରହଣ କରିଥିଲେ । ୧୯୨୧ ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରରୋଚନା ତଥା ତତ୍ତ୍ୱାବଧାନରେ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ ହୋଇଥିଲା ସତ୍ୟବାଦୀ ବନବିଦ୍ୟାଳୟରେ । ସେହିଠାରୁ ହିଁ ତାଙ୍କ ମନରେ ଦେଶପ୍ରେମ ଓ ସମାଜ ଉତ୍ଥାନର ପ୍ରେରଣା ମିଳିଥିଲା । ଏହାପରେ ସେ କଟକରେ ତତ୍କାଳୀନ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ହାସଲ କରିଥିଲେ । ୧୯୩୦ ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ର ବାଣପୁରରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ । ମହାପାତ୍ରେ ଏହି ବିଦ୍ୟାଳୟର ପ୍ରଥମ ସଚିବଭାବେ ଦାୟିତ୍ୱରେ ରହିଥିଲେ ଏବଂ ଜଣେ ଶିକ୍ଷକରୂପେ ମଧ୍ୟ କାର୍ଯ୍ୟ କରିଥିଲେ ।
ପରବର୍ତ୍ତୀ ଅବସ୍ଥାରେ ସେ କିଛିଦିନ ପାଇଁ ଶଶିଭୂଷଣ ରଥଙ୍କଠାରୁ 'ଦୈନିକ ଆଶା'ର ସଂପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ସ୍ୱାଧୀନ ଚେତନା ଓ ବ୍ୟଙ୍ଗ ତାଙ୍କ ଲେଖାମାନଙ୍କର ମୂଳଭିତ୍ତି ଥିଲା ଏବଂ କୌଣସି ଘଟଣା, ବ୍ୟକ୍ତିବିଶେଷ ବା ପରିସ୍ଥିତିର ସମାଲୋଚନା ସେ ବ୍ୟଙ୍ଗଧର୍ମୀ ଭାଷା ଓ ଶୈଳୀରେ ଆଲୋଚନା, କବିତା କିମ୍ବା କାହାଣୀ ଆକାରରେ ଅତି ନିର୍ବିକାର, ନିରପେକ୍ଷ ଓ ନିଖୁଣଭାବେ କରିପାରୁଥିଲେ । ମାସିକ ବ୍ୟଙ୍ଗ ପତ୍ରିକା 'ନିଆଁଖୁଣ୍ଟା' ତାଙ୍କ ନିପୁଣ ସାମ୍ବାଦିକତାର ଅପ୍ରତିଦ୍ୱନ୍ଦୀ ଦୃଷ୍ଟାନ୍ତ । 'ନିଆଁଖୁଣ୍ଟା' ସମ୍ପାଦନା କରି ଓଡ଼ିଶାର ଚିରାଚରିତ ସାମାଜିକ ଓ ରାଜନୈତିକ ଦୋଷଦୁର୍ବଳତାକୁ ସେ ମୃଦୁ ଓ କଟୁ ସମାଲୋଚନା ସହ ସର୍ବସାଧାରଣ ସମ୍ମୁଖରେ ଉପସ୍ଥାପିତ କରୁଥିଲେ । ତାଙ୍କର ଚାତୁର୍ଯ୍ୟପୂର୍ଣ୍ଣ ଓ ମାଧୁର୍ଯ୍ୟପୂର୍ଣ୍ଣ ଲିଖନଶୈଳୀ ତାଙ୍କୁ ଖୁବ୍ ଲୋକପ୍ରିୟ କରିପାରିଥିଲା । ମହାପାତ୍ରଙ୍କ ବିଶେଷତ୍ୱ ଥିଲା ଯେ ରାଜନୀତିରେ ଯେତେ ଶକ୍ତିଶାଳୀ ବା ମାରାତ୍ମକ ହେଲେ ମଧ୍ୟ ନିଆଁଖୁଣ୍ଟାର ବ୍ୟଙ୍ଗ, ସମାଲୋଚନା ବା ଭର୍ତ୍ସନାରୁ କେହି ବି ବାଦ୍ ପଡ଼ୁନଥିଲେ । ଏହି ପତ୍ରିକା ୧୯୩୮ରେ ପ୍ରକାଶ ପାଇ ୧୯୬୪ ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ ୨୭ ବର୍ଷ ଧରି ସଫଳଭାବେ ଚାଲିଥିଲା । ନିଜ ଜୀବନର ମୂଲ୍ୟବାନ ପଚାଶ ବର୍ଷ ଦେଇ ମହାପାତ୍ରେ ଓଡ଼ିଆ ଭାଷାକୁ ଗୌରବମଣ୍ଡିତ କରିଥିଲେ । ୧୯୫୭ ମସିହାରେ ସେ 'ଟୁଆଁଟୁଇଁ' ନାମକ ଏକ ଶିଶୁ ପତ୍ରିକା ପ୍ରକାଶ କରିଥିଲେ । ଏହି ପତ୍ରିକାର ଅଧିକାଂଶ ବିଷୟବସ୍ତୁ କାହାଣୀ ଓ କବିତା ହୋଇଥିଲେ ମଧ୍ୟ ସେଗୁଡ଼ିକରେ ସାମାଜିକ ସଚେତନତା ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ପ୍ରୋତ୍ସାହିତ କରାଯାଉଥିଲା । ଜଣେ ପୋଖତ କବିଭାବେ ଗୋଦାବରୀଶଙ୍କ କବିତାଗୁଡ଼ିକ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା ଉପରେ ଆଧାରିତ ଥିଲା । ତାଙ୍କର 'କଣ୍ଟା ଓ ଫୁଲ' ଏବଂ 'ଉଠ କଙ୍କାଳ' ଯଥାକ୍ରମେ ୧୯୫୯ ଓ ୧୯୬୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା । ୧୯୬୫ ନଭେମ୍ବର ୨୫ ତାରିଖରେ ତାଙ୍କର ଦେହାନ୍ତ ହେବାର ବର୍ଷକ ପରେ 'ବଙ୍କା ଓ ସିଧା'କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
ଗୋଦାବରୀଶ ରକ୍ତପାତ, ବିଦ୍ରୋହ, ବନ୍ଦୀର ମାୟା, ବୀର ଯୁବକ, ରାଜଦ୍ରୋହୀ, ପ୍ରେମପଥେ ପରି ଯୁଗୋପଯୋଗୀ ଉପନ୍ୟାସମାନ ମଧ୍ୟ ଲେଖିଯାଇଛନ୍ତି । ତାଙ୍କର ଦୁଇଟି ପ୍ରସିଦ୍ଧ କାହାଣୀ 'ମାଗୁଣିର ଶଗଡ଼' ଓ 'ନୀଳ ମାଷ୍ଟରାଣୀ'କୁ ଚଳଚ୍ଚିତ୍ରର ରୂପ ଦିଆଯାଇଛି ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ