କବି, ଶିକ୍ଷକ ତଥା ଶିକ୍ଷା ପ୍ରଶାସକ ଶ୍ରୀ ପଦ୍ମନାଭ ମିଶ୍ର ୧୯୩୪ ମସିହା ଅକ୍ଟୋବର ୮ ତାରିଖରେ ନୟାଗଡ଼ ଜିଲ୍ଲା ଶରଣକୂଳ ଅନ୍ତର୍ଗତ ବିନାୟକପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅକ୍ଟୋବର ୧୯୫୫ ମସିହାରେ ସି.ଟି. (ସାର୍ଟିଫାଏଡ୍ ଟିଚର) ତାଲିମ ଶେଷ କରିବାପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ବେଲପଡ଼ା ସର୍କଲରେ ସହଶିକ୍ଷା ନିରୀକ୍ଷକରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବାବେଳେ ନିଜ ପ୍ରଚେଷ୍ଟାବଳରେ ନିଜର ଶିକ୍ଷାଗତ ଯୋଗ୍ୟତା ଅଭିବୃଦ୍ଧି କରାଇ ବି. ଏ., ବି.ଏଡ୍. ଡିଗ୍ରୀ ହାସଲ କରିଥିଲେ ।
ଶ୍ରୀ ମିଶ୍ର ଖପ୍ରାଖୋଲ ସର୍କଲରେ ଶିକ୍ଷା ନିରୀକ୍ଷକ ଥିବା ସମୟରେ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଥିବା ‘ହରିଶଙ୍କର’ ମହାଦେବଙ୍କ ଦର୍ଶନ ପାଇଁ ବହୁବାର ଯିବା ଅବସରରେ ନିକଟସ୍ଥ କ୍ଷୁଦ୍ର ପ୍ରପାତପୂର୍ଣ୍ଣ ପାର୍ବତ୍ୟ ଝରଣା ତଥା ସ୍ନିଗ୍ଧ ବନରାଜିର ନୈସର୍ଗିକ ଶୋଭା ଉପଭୋଗ କରିବା ସହ ସେସବୁର ବର୍ଣ୍ଣନା କରି ପାବନ ତୀର୍ଥଭୂମି ହରିଶଙ୍କର ଶିରୋନାମାରେ ଏକ କ୍ଷୁଦ୍ର କାବ୍ୟ ରଚନା କରିଥିଲେ । ଅବସର ପରେ ସମୟର କୁଳଦେବୀ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ‘ଅ’ ଆଦ୍ୟ ଅକ୍ଷରରେ ଦୁଇଟି କ୍ଷୁଦ୍ର ବନ୍ଦନା ପୁସ୍ତକ ରଚନା କରିଥିଲେ । ପରେ ତାଙ୍କର ଆଉ ଏକ ବନ୍ଦନା ପୁସ୍ତକ “ଶକ୍ତି ସ୍ତବ ପଞ୍ଚକ” ଆତ୍ମପ୍ରକାଶ କରିଥିଲା । ତତ୍ ସହିତ ଜଗନ୍ନାଥଙ୍କ ଭଜନ, ଜଣାଣ ଓ ପ୍ରାର୍ଥନା ସମ୍ବଳିତ ଏକ ପୁସ୍ତିକା ମଧ୍ୟ ପ୍ରକାଶିତ ହୋଇଥିଲା । ପରେ ପରେ ଚୋରୀ ଚାତୁରୀ ଶୀର୍ଷକରେ ୧ମ ଓ ୨ୟ ଖଣ୍ଡରେ ଜଗନ୍ନାଥ ଭଜନ ପୁସ୍ତକ ଆତ୍ମପ୍ରକାଶ କରିଥିଲା ।
ବିଭିନ୍ନ ସମୟରେ ବିଭିନ୍ନ ପତ୍ରପତ୍ରିକା, ଯଥା- ଦିଗ୍ବଳୟ, ଆମରି ସତ୍ୟ କଥା, ସ୍ୱାଗତିକା, ଭାବକୁ ନିକଟ ଓ ସାହିତ୍ୟ ଚର୍ଚ୍ଚା ଇତ୍ୟାଦିରେ ତାଙ୍କର ସାମୟିକ ଲେଖାମାନ ପ୍ରକାଶିତ ହୋଇଛି ।
Copyright © 2023 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ ଏକାଡେମୀ