ସ୍ୱନାମଧନ୍ୟ ସାହିତ୍ୟ ସାଧକ ତଥା ଓଡ଼ିଆ ସଂସ୍କୃତିର ବଳିଷ୍ଠ ପୃଷ୍ଠପୋଷକ, ପ୍ରଜାହିତୈଷୀ ପ୍ରଶାସକ ରାଜା ହରିଚନ୍ଦନ ଜଗଦ୍ଦେବ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଧରାକୋଟ ଗ୍ରାମରେ ପିତା ପଦ୍ମନାଭ ବିଦ୍ୟାଧର ସାମନ୍ତ ଓ ମାତା ପାଇଛାମାଳି ଦେବୀଙ୍କ ସୁଯୋଗ୍ୟ ସନ୍ତାନଭାବେ ଜନ୍ମଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ରାଜ୍ୟର ରାଜା କିଶୋର ଚନ୍ଦ୍ର ହରିଚନ୍ଦନ ଜଗଦ୍ଦେବ ଯୌବନରେ ପତ୍ନୀହରା ଓ ନିଃସନ୍ତାନ ଥିବା ଯୋଗୁଁ ଚନ୍ଦ୍ରଚୂଡ଼ାମଣିଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଉତ୍ତରାଧିକାରୀଙ୍କୁ ସୁଶାସକରୂପେ ଗଢ଼ିବା ପାଇଁ ପିତା ତାଙ୍କୁ ରାଜପ୍ରାସାଦରୁ ଦୂରରେ ରଖି ଛତ୍ରପୁର, ବ୍ରହ୍ମପୁର, ମାନ୍ଦ୍ରାଜ ଏବଂ ଆମେରିକାରେ ଅଧ୍ୟୟନର ବ୍ୟବସ୍ଥା କରିଥିଲେ । ଆନୁଷ୍ଠାନିକ ଶିକ୍ଷା ବ୍ୟତୀତ, ସଙ୍ଗୀତ, କଳା, କୃଷି, ସଂସ୍କୃତ ସାହିତ୍ୟ ଇତ୍ୟାଦିରେ ତାଙ୍କୁ ଶିକ୍ଷିତ କରାଇବାର ବ୍ୟବସ୍ଥା କରାଯାଇଥିଲା । ସୁରଙ୍ଗଗଡ଼ ଏବଂ ଇଚ୍ଛାପୁର (ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ)ର ରାଜପ୍ରାସାଦ, ଉପବନ ଏବଂ ଉତ୍ତମ ଶାସନ ପ୍ରତିଷ୍ଠା ତାଙ୍କର ଅକ୍ଷୟ କୀର୍ତ୍ତି । କୃଷିର ଉନ୍ନତିପାଇଁ ସେ ରାଜ୍ୟରେ ବିସ୍ତୃତ ଜଳାଶୟମାନ ଖନନ କରାଇଥିଲେ । କୁଟୀର ଶିଳ୍ପ, ବିଶେଷକରି ବୟନଶିଳ୍ପର ବିକାଶ ପାଇଁ ତାଙ୍କ ପ୍ରଚେଷ୍ଟା ଥିଲା ପ୍ରଶଂସନୀୟ ।
ରାଜା ହରିଚନ୍ଦନ ଜଗଦ୍ଦେବ ଏକାଧାରରେ ଜଣେ ସୁଶାସକ, ସୁସାହିତ୍ୟିକ ଓ ଦେଶଭକ୍ତ ଥିଲେ । ତାଙ୍କ ରଚିତ ବହୁ କବିତା ପୁସ୍ତକ ତତ୍କାଳୀନ ବରିଷ୍ଠ କବିମାନଙ୍କଦ୍ଵାରା ଉଚ୍ଚପ୍ରଶଂସିତ ହୋଇଥିଲା । ‘ରାଧାକାନ୍ତ ଜଣାଣ’, ‘କ୍ରୁରାଶିନୀ ଜଣାଣ’, ‘ବିଶ୍ଵନାଥ ଜଣାଣ’, ‘ପ୍ରାର୍ଥନାବଳୀ’, ‘ଦଶମହାବିଦ୍ୟା ମାଳଶ୍ରୀ’, ‘ମନଜ୍ଞାନ ଚମ୍ପୁ’ ଇତ୍ୟାଦିରେ ତାଙ୍କ ଭକ୍ତିଭାବନା ଏବଂ ‘ଭ୍ରାତୃ ନିବେଦନ’, ‘ତପୋବନ’, ‘ପୁରୀକ୍ଷେତ୍ର’, ‘ଆଶାସ୍ଵପ୍ନ’ ଇତ୍ୟାଦିରେ ତାଙ୍କର ଦେଶହିତୈଷିତା ରୂପାୟିତ ହୋଇଛି । ରାଣୀ ହରିପ୍ରିୟା ଦେବୀଙ୍କ ବିୟୋଗରେ ରଚିତ ‘ଅଶ୍ରୁଧାରା’, ‘ଅର୍ଦ୍ଧାଙ୍ଗ ପକ୍ଷୀ’ ଓ ‘ରାମବିଳାପ’ ପ୍ରଭୃତି ପାଠକ ହୃଦୟକୁ କରୁଣ ରସରେ ପ୍ଲାବିତ କରେ । ‘ସ୍ଵରଷୋଡ଼ଶୀ’ ଓ ‘ସଙ୍ଗୀତ ସର୍ବସ୍ଵ’ ତାଙ୍କ ସଙ୍ଗୀତ ଜ୍ଞାନ ଓ ସ୍ଵରସାଧନାର ପ୍ରାମାଣିକ ଦୃଷ୍ଟାନ୍ତ । ଆଧୁନିକତା ଓ ପ୍ରାଚୀନତାର ସମନ୍ୱିତ ଶୈଳୀରେ ରଚିତ ତାଙ୍କ କବିତାବଳୀ ସରଳ, ସରସ, ହୃଦ୍ୟ ଓ ଭାବଗର୍ଭକ ହୋଇପାରିଛି ।
‘ପାଶ୍ଚାତ୍ୟ ଭ୍ରମଣ’ ତାଙ୍କର ଏକ ଉଲ୍ଲେଖଯୋଗ୍ୟ ଭ୍ରମଣ ବୃତ୍ତାନ୍ତ । ସେ ଜ୍ଞାନ ଅର୍ଜନ, ଦେଶ ଦର୍ଶନ ଏବଂ ନିଜ ରାଜ୍ୟର ଉନ୍ନତି ନିମିତ୍ତ ତତ୍କାଳୀନ କୁସଂସ୍କାରକୁ ଭ୍ରୂକ୍ଷେପ ନକରି ୧୯୧୧ ମସିହାରେ ପଞ୍ଚମ ଜର୍ଜଙ୍କ ମୁକୁଟୋତ୍ସବ କାଳରେ ଇଂଲଣ୍ଡ ଯାତ୍ରା କରିଥିଲେ । ଏହି ଅବସରରେ ସେ ପ୍ୟାରିସ୍, ସ୍କଟଲ୍ୟାଣ୍ଡ, ଆୟର୍ଲାଣ୍ଡ ସହିତ ଆମେରିକା ଭ୍ରମଣ କରିଥିଲେ । ତାଙ୍କର ଏହି ପାଶ୍ଚାତ୍ୟ ଭ୍ରମଣ ସେତେବେଳେ ଓଡ଼ିଶାର ପଣ୍ଡିତମାନଙ୍କ ମଧ୍ୟରେ ଏକ ବିବଦମାନ ବିଷୟରୂପେ ଚର୍ଚ୍ଚାକୁ ଆସିଥିଲା । ଭ୍ରମଣକାଳରେ ସେ ମୁଖ୍ୟତଃ ଶିକ୍ଷାନୁଷ୍ଠାନ, ଗ୍ରନ୍ଥାଗାର, ଚିତ୍ରଶାଳା, ସଙ୍ଗୀତ ଓ ନାଟ୍ୟଶାଳାଗୁଡ଼ିକ ଉପରେ ଗୁରୁତ୍ଵ ଦେଇଥିଲେ । ତାଙ୍କ ଭ୍ରମଣ କାହାଣୀରେ ଏ ସବୁର ବିସ୍ତୃତ ବିବରଣୀ ଦେଖିବାକୁ ମିଳେ । ପାଶ୍ଚାତ୍ୟ ଭ୍ରମଣଦ୍ଵାରା ଯେ ସେ କେବଳ ଆନନ୍ଦଲାଭ କରିଥିଲେ ତା ନୁହେଁ, ନିଜର କ୍ଷୁଦ୍ର ଜମିଦାରି ଏବଂ ବୃହତ୍ତରଭାବେ ସମଗ୍ର ଓଡ଼ିଶାକୁ ସ୍ଵକୀୟ ଅନୁଭୂତିଦ୍ଵାରା ସମୃଦ୍ଧ କରିବା ପାଇଁ ପ୍ରୟାସ କରିଥିଲେ ।
ଉତ୍କଳ ସମ୍ମିଳନୀର ପଞ୍ଚମ ଅଧିବେଶନରେ ସଭାପତିତ୍ଵ କରି ରାଜା ହରିଚନ୍ଦନ ଜଗଦ୍ଦେବ ଯେଉଁ ଅଭିଭାଷଣ ପ୍ରଦାନ କରିଥିଲେ, ସେଥିରୁ ତାଙ୍କ ଦେଶ- ଓ ଜାତିପ୍ରୀତିର ପରିଚୟ ମିଳିଥାଏ । ଏଥିରେ ପ୍ରଦତ୍ତ ପ୍ରସ୍ତାବଗୁଡ଼ିକ ନିଜେ କାର୍ଯ୍ୟରେ ପରିଣତ କରିବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ । ଇଚ୍ଛାପୁରଠାରେ ଏକ ଉଚ୍ଚ ଇଂରାଜୀ ବିଦ୍ୟାଳୟ (ସୁରଙ୍ଗୀ ହାଇସ୍କୁଲ) ସ୍ଥାପନ, ଚନ୍ଦ୍ରଚୂଡ଼ାମଣି ପ୍ରେସ୍ ସ୍ଥାପନ ଓ ‘ଉତ୍କଳବାସୀ’ ସାପ୍ତାହିକ ପତ୍ରିକା ପ୍ରକାଶନ, ସୁରଙ୍ଗୀ ଓ ଇଚ୍ଛାପୁରରେ ନିମ୍ନ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପନ କରି ଗରିବ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପଢ଼ିବାର ସୁଯୋଗ ପ୍ରଦାନ, ନିଜ ରାଜ୍ୟରେ ରଙ୍ଗାଳୟ ସ୍ଥାପନ କରି ସେଥିରେ ନିଜର ଏବଂ ସ୍ଥାନୀୟ ଅନ୍ୟାନ୍ୟ ନାଟ୍ୟକାରମାନଙ୍କ ନାଟକଗୁଡ଼ିକର ମଞ୍ଚନ, ଉଚ୍ଚଶିକ୍ଷା ଏବଂ ଉଚ୍ଚତର ଶିକ୍ଷାପାଇଁ ବିଦେଶ ଯାତ୍ରା ନିମନ୍ତେ ଓଡ଼ିଆ ଛାତ୍ରମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ଆଦି କାର୍ଯ୍ୟାବଳୀ ତାଙ୍କ ମହନୀୟତା ଓ ଜନକଲ୍ୟାଣକାରୀ ଆଭିମୁଖ୍ୟ ପ୍ରତିପାଦନ କରେ ।
ଓଡ଼ିଆ ସାହିତ୍ୟର ଉନ୍ନତିପାଇଁ ସେ ନିଜ ରାଜ୍ୟବାହାରୁ କବିଶେଖର ଚିନ୍ତାମଣି ମହାନ୍ତି, ଶିକ୍ଷାବିତ୍ କପିଳେଶ୍ଵର ଦାସ, ସଙ୍ଗୀତଜ୍ଞ ଚିତ୍ରସେନ ସଙ୍ଗୀତଭୂଷଣ ପ୍ରମୁଖଙ୍କୁ ନିଜ ରାଜସଭାରେ ସ୍ଥାନ ଦେଇ ସାହିତ୍ୟ ସମ୍ମିଳନୀମାନ ଆୟୋଜନ କରିଥିଲେ । ଏପରି ଜଣେ ପ୍ରଗତିବାଦୀ ଓ ଉଦାରହୃଦୟ ବ୍ୟକ୍ତି ରାଜ୍ୟରେ ଶିକ୍ଷା ତଥା ସାହିତ୍ୟ-ସଂସ୍କୃତିର ବିକାଶ ପାଇଁ ଯେଉଁସବୁ ଅବଦାନ ଦେଇଯାଇଛନ୍ତି, ସେଥିପାଇଁ ସେ ରାଜ୍ୟବାସୀଙ୍କ ନିକଟରେ ଚିରସ୍ମରଣୀୟ ହୋଇ ରହିବେ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ