ସ୍ୱାଧୀନତା ସଂଗ୍ରାମୀ, ଶ୍ରମିକ ନେତା, ବିପ୍ଳବୀ କବି, ବିଶିଷ୍ଟ ସାହିତ୍ୟ ସାଧକ ମନମୋହନ ମିଶ୍ର ତତ୍କାଳୀନ ପୁରୀଜିଲ୍ଲା ଅନ୍ତର୍ଗତ ବୀରନରସିଂହପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ପିତା ଶ୍ରୀ ନୀଳକଣ୍ଠ ଓ ମାତା ହରପ୍ରିୟା ଦେବୀଙ୍କର ସୁଯୋଗ୍ୟ ସନ୍ତାନ ଥିଲେ । ଓଡ଼ିଶାରେ ପ୍ରଥମକରି ଭଗବତୀଚରଣ ପାଣିଗ୍ରାହୀ, ପ୍ରାଣନାଥ ବଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକଙ୍କୁ ନେଇ କମ୍ୟୁନିଷ୍ଟ ପାର୍ଟି ଗଠିତ ହେଲାପରେ ସେଥିରେ କବି ଅନନ୍ତ ପଟ୍ଟନାୟକ ଓ ବୈଦ୍ୟନାଥ ରଥ ଯୋଗ ଦେଇଥିଲେ । କିନ୍ତୁ ଅନନ୍ତ ପଟ୍ଟନାୟକ ପ୍ରଭୃତି ୧୯୪୨ରେ ଜେଲ୍ରୁ ମୁକ୍ତି ପାଇ ଫେରିବା ପରେ ବୈପ୍ଳବିକ ଭାବଧାରାର ତଥା ସାଧାରଣ ମଣିଷକୁ ମନ୍ତ୍ରମୁଗ୍ଧ କଲାଭଳି ଆହ୍ୱାନଭରା ଉଗ୍ର ସ୍ଵର ମନମୋହନ ମିଶ୍ରଙ୍କ କଣ୍ଠରୁ ହିଁ ଶୁଣିବାକୁ ପାଇଥିଲେ ।
ଭଗବତୀଚରଣଙ୍କ ସ୍ମୃତିଚାରଣ କରି ମନମୋହନଙ୍କ କବିତା ସଂକଳନ ‘କୋଟି କଣ୍ଠେ’ ପ୍ରକାଶ ପାଇବା ପରେ ଏହି ଗୁରୁଗମ୍ଭୀର ସ୍ଵରର ପରିଚୟ ମିଳିଥିଲା । ତାଙ୍କ ରଚିତ ଚାରିଗୋଟି କବିତା ଗ୍ରନ୍ଥ ହେଉଛି: ‘କୋଟି କଣ୍ଠେ’, ‘ଜନତାର ଡାକ’, ‘ନୂଆ ଗପଟିଏ ଲେଖ’ ଓ ‘ଆବାଜ’– ଏ ସମସ୍ତ ଥିଲା ସାମ୍ୟବାଦୀ ଅନୁଚିନ୍ତା, ଶ୍ରମିକମାନଙ୍କ ପ୍ରତି ଦରଦ, ଶୋଷଣ ବିରୋଧରେ ପ୍ରତିବାଦ ଓ ପ୍ରଚଳିତ ସାମାଜିକ ବ୍ୟବସ୍ଥା ପ୍ରତି ଉପହାସର ସ୍ଵରୋତ୍ତୋଳନ । ପ୍ରଥମ କବିତାଗ୍ରନ୍ଥ ‘କୋଟି କଣ୍ଠେ'ରେ ସେ ଶ୍ରମିକମାନଙ୍କୁ ସଂଗ୍ରାମ କରିବାପାଇଁ ଆହ୍ଵାନ ଜଣାଇଥିଲେ । ୧୯୩୪ ମସିହାରେ ସଚ୍ଚିଦାନନ୍ଦ ରାଉତରାୟ ଲେଖିଥିବା ‘ଶ୍ରମିକ କବି’ କବିତାର କାବ୍ୟସ୍ଵରରେ ଥିବା ସୂକ୍ଷ୍ମ କଳା ମନମୋହନଙ୍କ ପାଖରେ ଦୃଷ୍ଟିଗୋଚର ହୋଇନଥିଲା । କିନ୍ତୁ ତାଙ୍କ ସ୍ଵର ଆନ୍ତରିକତା ଓ ମାନବବାଦୀ ସମ୍ବେଦନାରେ ପରିପୂର୍ଣ୍ଣ ଥିଲା ।
୧୯୩୫ ମସିହାରେ 'ନବଯୁଗ ସାହିତ୍ୟ ସଂସଦ’ର ପ୍ରତିଷ୍ଠା ପରେ ଓଡ଼ିଆ ସାହିତ୍ୟ ମାର୍କ୍ସୀୟ ଚିନ୍ତାଧାରାକୁ ଆପଣେଇ ନେଇଥିଲା । ପ୍ରଗତିବାଦୀ କବିମାନେ ଶିଳ୍ପ ସଂସ୍କୃତିକୁ ଯୁଗଧର୍ମ ହିସାବରେ ଧରିନେଇ ଲେଖନୀ ଚାଳନା କରିଥିଲେ । ପୁନଶ୍ଚ ଓଡ଼ିଆ ସମାଜରେ ସାମ୍ୟବାଦୀ ଚିନ୍ତାର ଆଦର ଥିବାଯୋଗୁଁ ଏହି ପ୍ରଗତିଧର୍ମୀ କବିତାକୁ ସମ୍ମାନ ମିଳିଥିଲା । ସେହି ଦୃଷ୍ଟିରୁ କବି ମନମୋହନ ମିଶ୍ର ଜଣେ ପ୍ରଗତିବାଦୀ କବି ରୂପରେ ସ୍ଵୀକୃତ । ଏହାଛଡ଼ା ମନମୋହନ ମିଶ୍ର ଯେ ଜଣେ ଉତ୍ତମ ଗଦ୍ୟ ଲେଖକ, ଏଥିରେ ସନ୍ଦେହ ନାହିଁ । ‘ଗଲା ମହାଯୁଦ୍ଧ ଓ ତା’ ପରେ’ରେ ସନ୍ନିବେଶିତ ରମ୍ୟରଚନାଗୁଡ଼ିକ ବହୁ ତଥ୍ୟ ଓ ତତ୍ତ୍ଵପୁଷ୍ଟ ମନେହୁଏ । ‘ଚଳନ୍ତି ଭାଷାର ପ୍ରୟୋଗ’ ଏବଂ ‘ଚଳନ୍ତି ହୁ ଭାଷାର ବିଜ୍ଞାନ’ ଭଳି ଭାଷାତାତ୍ଵିକ ଗ୍ରନ୍ଥ ମଧ୍ୟ ସେ ଲେଖିଯାଇଛନ୍ତି ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ