ଶ୍ରୀ ରାମଶଙ୍କର ରାୟ

ଆବିର୍ଭାବ :- ୨୫-୦୫-୧୮୫୭
ତିରୋଧାନ :- ୧୩-୦୯-୧୯୩୧
ଜନ୍ମସ୍ଥାନ :- ଦୀକ୍ଷିତପଡ଼ା, ଅସୁରେଶ୍ଵର, କଟକ

ନାଟ୍ୟକାର ରାମଶଙ୍କର ରାୟ ୧୮୫୭ ମସିହା ଜ୍ୟେଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ କଟକ ଜିଲ୍ଲା ଅନ୍ତର୍ଗତ ଅସୁରେଶ୍ଵରସ୍ଥ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ବେଳୁ ସେ ବଡ଼ଭାଇ କର୍ମବୀର ଗୌରୀଶଙ୍କରଙ୍କ ଦିବ୍ୟ ଜୀବନଶୈଳୀର ଅନୁସରଣ କରି ଜଣେ ସରଳ ତଥା ସଚ୍ଚୋଟମନା କର୍ମଯୋଗୀରେ ପରିଣତ ହୋଇଥିଲେ । ନିଜର ସ୍ଵତନ୍ତ୍ର ତଥା ସମାଜୋପଯୋଗୀ ସୃଜନଶୀଳତା ଯୋଗୁଁ ଓଡ଼ିଆ ନାଟ୍ୟ ଜଗତରେ ସେ  ଆଦର୍ଶ ନାଟ୍ୟକାରରୂପେ ଅଗ୍ରଗଣ୍ୟ ହୋଇପାରିଛନ୍ତି । ନଟବର ରାମଶଙ୍କର ରାୟ ରୂପରେ ବେଶ ଚର୍ଚ୍ଚିତ ଏହି ନାଟ୍ୟକାର ‘କାଞ୍ଚି କାବେରୀ’ ପରି କାଳଜୟୀ ନାଟକ ରଚନା କରି ଓଡ଼ିଆ ସାହିତ୍ୟ ଜଗତରେ ଅମର ହୋଇ ରହିଛନ୍ତି  । ବୁଢ଼ାବର, କଂସବଧ, ବିଷମୋଦକ, ଚୈତନ୍ୟଲୀଳା, ଯୁଗଧର୍ମ, ଲୀଳାବତୀ, କାଞ୍ଚନମାଳି, ବିଶ୍ୱଯଜ୍ଞ, ରାମାଭିଷେକ, ବନବାଳା, କଳିକାଳ ଓ ରାମ ବନବାସ ପ୍ରଭୃତି ପୌରାଣିକ ଓ ସମାଜ-ସଂସ୍କାରମୂଳକ ନାଟକ ରଚନା ନାଟ୍ୟଶାସ୍ତ୍ରରେ ତାଙ୍କ ଅଗାଧ ପ୍ରବେଶର ପରିଚୟ ଦିଏ ।

ଓଡ଼ିଶାର ପ୍ରଥମ ଔପନ୍ୟାସିକଭାବେ ରାମଶଙ୍କର ବେଶ୍‍ ଖ୍ୟାତିଲାଭ କରିଥିଲେ । ତାଙ୍କ ରଚିତ ପ୍ରଥମ ଉପନ୍ୟାସ ‘ସୌଦାମିନୀ’ ମନକୁ ଛୁଇଁଲା ଭଳି ହୋଇଥିଲେ ମଧ୍ୟ ତାହାକୁ ଧାରାବାହିକଭାବେ ପ୍ରକାଶ କରୁଥିବା ଉତ୍କଳ ମଧୁପ ପତ୍ରିକା ବନ୍ଦ ହୋଇଯିବାରୁ ତାହା ଅସମ୍ପୂର୍ଣ୍ଣ ରହିଗଲା । ଅନୁରୂପ ପରିସ୍ଥିତିରେ ତାଙ୍କର ଅନ୍ୟତମ ଉପନ୍ୟାସ ‘ଉନ୍ମାଦିନୀ’ ମଧ୍ୟ ଅସମ୍ପୂର୍ଣ୍ଣ ରହିଯାଇଛି ।  ‘ବିବସନୀ’ ତାଙ୍କ ଲିଖିତ ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ । ଏହାଛଡ଼ା ‘ପ୍ରେମତରୀ’ ନାମକ ଏକ ଗାଥାକାବ୍ୟ ରଚନା ସହ ସେ ପ୍ରମୁଖ ବେଦ, ଉପନିଷଦ୍‍ ଓ ଶ୍ରୀମଦ୍‍ ଭାଗବତ ଗୀତାର ମଧ୍ୟ ଓଡ଼ିଆ ଅନୁବାଦ କରିଥିଲେ ।


ରଚନାବଳୀ
କାବ୍ୟ
ଉପନ୍ୟାସ

Copyright © 2024 Odia Virtual Academy. All rights reserved      Total Visitors-   1

scroll