ଆବିର୍ଭାବ :- ୦୧-୦୬-୧୯୧୫
ତିରୋଧାନ :- ୦୬-୧୧-୧୯୯୫
ଜନ୍ମସ୍ଥାନ :- ଝାଞ୍ଜିରିମଙ୍ଗଳା, କଟକ
ଓଡ଼ିଆ ଭାଷା ସାହିତ୍ୟର ପୃଷ୍ଠା ଲେଉଟାଇଲେ ଯେଉଁ କେତେଜଣ ହାସ୍ୟ ତଥା ବ୍ୟଙ୍ଗଭାବାତ୍ମକ କବି ବା ଲେଖକଙ୍କ ନାମ ଉନ୍ମୋଚିତ ହୁଏ, ସେମାନଙ୍କ ମଧ୍ୟରୁ ବିଶିଷ୍ଟ ହାସ୍ୟରସ ଲେଖକ ହେଉଛନ୍ତି ଡଃ ରାମଚନ୍ଦ୍ର ମିଶ୍ର ଓରଫ ତୁରାନନ୍ଦ । ସେ କଟକ ସହରର ଝାଞ୍ଜିରିମଙ୍ଗଳାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ମିଶ୍ର ଓ ମାତାଙ୍କ ନାମ ଥିଲା ସୁଭଦ୍ରା ମିଶ୍ର । ପିଲାଦିନେ ସେ ଐତିହାସିକ ଦିନ ଏବଂ ତାରିଖ ମନେରଖି ପାରୁନଥିଲେ । ଫଳରେ ଶିକ୍ଷକଙ୍କଠାରୁ ସବୁବେଳେ ବେତମାଡ଼ ଖାଉଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ମସିହାରେ ଆରମ୍ଭ ହୋଇଥିଲା ବୋଲି, ସେ କୌଣସି ପ୍ରକାରେ ମନେରଖି ପାରିଥିଲେ । ବର୍ଷକ ପରେ ୧୯୧୫ ମସିହାରେ ତାଙ୍କର ଜନ୍ମ । ଏହି କଥାକୁ ନେଇ ସେ ନିଜ ଆତ୍ମଜୀବନୀ ‘ମୋ ଫୁଟା ଡଙ୍ଗାର କାହାଣୀ’ରେ ଏକ ବ୍ୟଙ୍ଗ ଆଖ୍ୟାନର ଅବତାରଣା କରିଛନ୍ତି । ପୃଥିବୀବ୍ୟାପି ସର୍ବପ୍ରଥମ ମହାସମର ଲାଗିଥିବା ଦେଖି ଜନ୍ମ ପୂର୍ବରୁ ତାଙ୍କୁ ଈଶ୍ୱର କହିଲେ - "ଯା’ବେ’ ଏଠି ବସି ଦାନ୍ତ ନେଫେଡୁଛୁ କ’ଣ ? ଯାଆ, ପୃଥିବୀରେ ବଢ଼ିଆ ଯୁଦ୍ଧ ଚାଲିଛି ଦେଖିବୁ ।" ତାଙ୍କ ଭାଷାରେ ଭଗବାନଙ୍କ କଥାମାନି, ସେ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଫତୁରାନନ୍ଦଙ୍କ ବାଲ୍ୟଜୀବନ ଦୁଃଖକଷ୍ଟ ଭିତରେ କଟିଥିଲା ।
ଡାକ୍ତରୀ ପଢୁଥିବାବେଳେ ଫତୁରାନନ୍ଦ ରୋଗର ଶିକାର ହୋଇ କିଛିବର୍ଷ ଭିତରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ଏହାସତ୍ତ୍ୱେ ୧୯୩୮ ମସିହାରେ ମେଡ଼ିକାଲ ସ୍କୁଲରୁ ଏଲ୍.ଏମ୍.ପି ଡିଗ୍ରୀ ହାସଲ କରିଥିଲେ । ଅବିବାହିତ ରହି ସେ ଜୀବନବ୍ୟାପି ନିଜକୁ ସାହିତ୍ୟ ସେବାରେ ନିମଗ୍ନ ରଖିଥିଲେ । ୧୯୯୫ ମସିହାରେ ଫତୁରାନନ୍ଦଙ୍କର ତିରୋଧାନ ଘଟିଥିଲା । ଫତୁରାନନ୍ଦଙ୍କ ଆତ୍ମଜୀବନୀ ‘ମୋ ଫୁଟା ଡଙ୍ଗାର କାହାଣୀ’ ବ୍ୟତୀତ ୩୦ରୁ ଉର୍ଦ୍ଧ୍ୱ ଗ୍ରନ୍ଥ ରଚନା କରିଛନ୍ତି । ନିଜ ସମ୍ପାଦନାରେ ସେ ମାସିକ ସାହିତ୍ୟ ପତ୍ରିକା ‘ଡଗର’ ମଧ୍ୟ ପ୍ରକାଶ କରିଥିଲେ । ସାହିତ୍ୟ ରଚନା ସହିତ ସେ ଜଣେ ବ୍ୟଙ୍ଗଚିତ୍ରକର ଭାବରେ ବ୍ୟଙ୍ଗ ଚିତ୍ରମାନ ଅଙ୍କନ କରୁଥିଲେ । ତାଙ୍କ ବ୍ୟଙ୍ଗଚିତ୍ର ଜାତୀୟ ସ୍ତରର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ହାସ୍ୟ ସାହିତ୍ୟ, କଳା ଓ ଅଭିନୟର ବିକାଶ ପାଇଁ ସେ 'ସରସ ସାହିତ୍ୟ ସମିତି' ଓ 'ହାସ୍ୟ ବିକାଶ କେନ୍ଦ୍ର' ଆଦି ଅନୁଷ୍ଠାନର ସ୍ଥାପନ କରିଥିଲେ ।
ଫତୁରାନନ୍ଦଙ୍କ ସୃଷ୍ଟିସମୂହ: ‘ମୋ ଫୁଟା ଡଙ୍ଗାର କାହାଣୀ’ (ଆତ୍ମଜୀବନୀ), ‘ନାକଟା ଚିତ୍ରକର’ (ଉପନ୍ୟାସ), ‘ସାହି ମହାଭାରତ’ (ଗୀତିକବିତା), ‘ହେରେଷା’, ‘ସାହିତ୍ୟ ଚାଷ’, ‘ବିଦୂଷକ’, ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’, ‘ହସକୁରା’, ‘ବୃହତ୍ ଭାଣ୍ଡ’, ‘ଅମୃତବେହିଆ’, ‘ଭୋଟ୍’, ‘ନିଦାବେହେଲ’, ‘ଗମାତ’, ‘ସାହିତ୍ୟ ବେଉଷଣ’, ‘ନବଜିଆ’, ‘ଥଟଲିବାଜ’, ‘ସାହିତ୍ୟ ବଛାବଛି’, ‘ମସ୍କରା’, ‘ଟାହୁଲିଆ’, ‘ଟାପୁରିଆ’, ‘ମୁଚୁକୁନ୍ଦିଆ’, ‘ଖିଲିଖିଲିଆ’ ଏବଂ ‘ଓଡ଼ିଶାର ସ୍ପିନ୍ ବୋଲର’ (ଗଳ୍ପ ସଂକଳନ), ‘ନିଲଠା କବି’ (କବିତା ସଂକଳନ), ‘କଲିକତି ଚେଙ୍କ’ (ନାଟକ), ‘ଅଜଗବି ଶିକାର’ ଏବଂ ‘ନାଲୁର ଚନ୍ଦ୍ରଯାତ୍ରା’ (ଶିଶୁସାହିତ୍ୟ), ‘ଆଦର୍ଶ ହିନ୍ଦୁ ହୋଟେଲ’ (ବିଭୂତିଭୂଷଣ ଚଟ୍ଟୋପାଧ୍ୟାୟ) ଏବଂ ‘ଭାରତର ଶ୍ରେଷ୍ଠ ହାସ୍ୟଗଳ୍ପ’ (ମୁଜ୍ତବା ହୋସେନ) – (ଅନୁବାଦ), ‘ଫମାଲୋଚନା ଏବଂ ‘ଫତୁରାନନ୍ଦଙ୍କ ଦୁଷ୍ପ୍ରାପ୍ୟ ରଚନା’ ।
ନିଜର ଅଗଣିତ ହାସ୍ୟରସ-ସମ୍ବଳିତ ରଚନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ଯଦୁମଣି ସାହିତ୍ୟ ସଂସଦ (ନୟାଗଡ଼), ରାଧାନାଥ ପାଠାଗାର (ସୋର), ଶାରଳା ସାହିତ୍ୟ ସଂସଦ (କଟକ) ଏବଂ ଉତ୍କଳ ପାଠକ ସଂସଦ (କଟକ) ପକ୍ଷରୁ ତାଙ୍କୁ ସମ୍ମାନିତ ଓ ସଂବର୍ଦ୍ଧିତ କରାଯାଇଥିଲା ।