ଓଡ଼ିଆ ଭକ୍ତି-ସଂଗୀତ ସାହିତ୍ୟର ସ୍ୱନାମଧନ୍ୟ ବିନ୍ଧାଣି ଗୋପାଳକୃଷ୍ଣ ପଟ୍ଟନାୟକ ତତ୍କାଳୀନ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଶ୍ରୀ ବନବାସୀ ଓ ମାତା ଶ୍ରୀମତୀ ଲୀଳାବତୀ ।
ଓଡ଼ିଆ ଭକ୍ତିମୂଳକ ଗୀତିକବିତା ରଚୟିତାମାନଙ୍କ ମଧ୍ୟରେ ଗୋପାଳକୃଷ୍ଣ ଥିଲେ ଅଗ୍ରଣୀ । ମଧ୍ୟଯୁଗୀୟ ସାହିତ୍ୟ ବା କାବ୍ୟଯୁଗର ସାୟାହ୍ନରେ ଜନ୍ମ ହୋଇ ସେ ପ୍ରାୟ ଆଠ ଶହ ବିବିଧ ଗୀତିକା ରଚନା କରିଯାଇଛନ୍ତି । କଥିତ ଅଛି, ସେ ଶ୍ରୀଚୈତନ୍ୟଙ୍କଦ୍ଵାରା ସ୍ଵପ୍ନାଦିଷ୍ଟ ହୋଇ ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ପରେ ଧରାକୋଟର ବିଶିଷ୍ଟ ସାଧୁ ଲୋକନାଥ ଦାସ ଗୋସ୍ଵାମୀଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ଏହା ପୂର୍ବରୁ ତାଙ୍କଠାରେ କବିତ୍ଵର ସ୍ଫୁରଣ ଘଟିଥିଲା ଓ ସେ ଲୌକିକ ପ୍ରେମମୂଳକ ଗୀତ ରଚନା କରିଥିଲେ । ମାତ୍ର ବୈଷ୍ଣବ ହେବା ପରେ, ସେ ଲୋକ-ଭାବନାରୁ ଦୂରେଇଯାଇ ରାଧାକୃଷ୍ଣ ଲୀଳା ଉପରେ ପଦାବଳୀ ରଚନାରେ ମନୋନିବେଶ କରିଥିଲେ । ଗୋପାଳକୃଷ୍ଣ ହେଉଛନ୍ତି ମଞ୍ଜରୀ ଭାବର କବି । ମଞ୍ଜରୀମାନେ ସଖୀଙ୍କ ଅନୁଗତ । ଏମାନେ ବିଭିନ୍ନ ସଖୀ ବ୍ୟୁହରେ ଥାଇ ନାନା ଆନୁଗତ୍ୟମୟ ସେବା କରିଥାଆନ୍ତି । ଗୋପାଳକୃଷ୍ଣ ଶ୍ରୀରାଧାଙ୍କ ଅନ୍ୟ ପ୍ରଧାନ ସଖୀ ମଧ୍ୟରୁ ତୁଙ୍ଗବିଦ୍ୟା ସଖୀଙ୍କ ଯୁଥରେ ସୁମଞ୍ଜରିକା ନାମ୍ନୀ ସଖୀଭାବେ ନିଜକୁ ପରିକଳ୍ପନା କରିଛନ୍ତି ।
କବିଙ୍କ ବିରଚିତ ୬୧୯ଟି ବିବିଧ ଗୀତିକାକୁ ନେଇ ଏକ ସଂକଳନ ପ୍ରକାଶ ପାଇଛି । ଏଥିମଧ୍ୟରେ ଅଛି ଭଜନ, ଜଣାଣ, ମନୋଶିକ୍ଷା, ଲୌକିକ ଚୌପଦୀ ଓ ପଦାବଳୀ । ରୂପଗୋସ୍ଵାମୀ ବିରଚିତ ‘ଚାଟୁ ପୁଷ୍ପାଞ୍ଜଳି’ ଏବଂ ବିଶ୍ଵନାଥ ଚକ୍ରବର୍ତ୍ତୀଙ୍କ ପ୍ରଣୀତ ‘ସଂକଳ୍ପ କଳ୍ପଦ୍ରୁମ’ ଗ୍ରନ୍ଥର ଅନୁବାଦ ମଧ୍ୟ ଏହାର ଅନ୍ତର୍ଗତ । କବି ସମକାଳୀନ ରାଜା ଗଜପତି ଜଗନ୍ନାଥ ନାରାୟଣ ଦେବ, ପ୍ରତାପ ନାରାୟଣ ଦେବ ଏବଂ ନିଜ ଗୁରୁ ଲୋକନାଥ ଦାସଙ୍କ ନାମରେ କିଛି ଗୀତ ଭଣିତା କରିଛନ୍ତି । ରାଧାକୃଷ୍ଣ ଲୀଳାବିଷୟକ ବିବିଧ କାର୍ଯ୍ୟରେ ସେ କଳ୍ପନାରେ ଫୁଲ-ବିଞ୍ଚଣା ସେବା, ତାମ୍ବୁଳ ସେବା, କେଶପ୍ରସାଧନ ସେବା ପ୍ରଭୃତି କରିବାରେ ମନପ୍ରାଣ ଢାଳିଦେଇଛନ୍ତି । ଏପରିକି ରାଧାକୃଷ୍ଣ ମିଳନକୁଞ୍ଜରେ ପହୁଡ଼ ହେଲାମାତ୍ରେ ସେ ଫୁଲତାଟି ଆଉଜାଇ ନେଇ ବିନିଦ୍ର ପ୍ରହରୀଭାବେ କୁଞ୍ଜସେବାରେ ଲାଗିଛନ୍ତି । ଜଣେ ନିଷ୍ଠାପର ସାଧକ ଓ ସେବକ ରୂପରେ ଗୋପାଳକୃଷ୍ଣ ବୈଷ୍ଣବ ରସତତ୍ତ୍ଵକୁ ସଂପୂର୍ଣ୍ଣ ଅନୁଭବ କରିଛନ୍ତି । ଏଣୁ ତାଙ୍କ ରଚନାରେ ବୈଷ୍ଣବୀୟ ବିଲକ୍ଷଣ ଦେଖାଯାଏ ନାହିଁ । ସେ ଶ୍ରୀରାଧାଙ୍କୁ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତିଭାବେ ଗ୍ରହଣ କରିଛନ୍ତି । ‘ଶ୍ରୀଗୋବିନ୍ଦ ମୋହିନୀ ସ୍ତବ’ରେ ରୂପ ଗୋସ୍ଵାମୀ-ବର୍ଣ୍ଣିତ ଶ୍ରୀରାଧାଙ୍କ ରୂପ, ଗୁଣ ଓ ଆଭରଣ ତାଲିକାକୁ ପଦ ଆକାରରେ ରଚନା କରିଯାଇଛନ୍ତି । ବୈଷ୍ଣବ ଦର୍ଶନରେ ଚତୁର୍ବର୍ଗ ଫଳକୁ ନିଷେଧ କରାଯାଇଛି । ସେମାନଙ୍କ ମତରେ ବୈଷ୍ଣବ ମୋକ୍ଷ ଚାହାନ୍ତି ନାହିଁ । କାରଣ ମୋକ୍ଷ ପରେ ଭଗବତ୍ ଆକର୍ଷଣ ଓ ପ୍ରୀତିନିଷ୍ଠା ହଜିଯାଏ । ପକ୍ଷାନ୍ତରେ ସେମାନେ (ଭଗବତ୍) ପ୍ରେମକୁ ପୁରୁଷାର୍ଥଭାବେ ଗ୍ରହଣ କରନ୍ତି ।
‘ଲୀଳାମୃତ ପଦାବଳୀ’ରେ ଗୋପାଳକୃଷ୍ଣଙ୍କ ପ୍ରକୃତ କବିତ୍ଵ ପ୍ରକାଶପାଇଛି । ସେ ପ୍ରାୟତଃ ପୂର୍ବରାଗ, ମାନ, ଆକ୍ଷେପାନୁରାଗ ଏବଂ ମାଥୁର ଶୀର୍ଷକ ବହୁ ପଦ ରଚନା କରିଛନ୍ତି । ମିଳନାନ୍ତକ ପଦ୍ୟସଂଖ୍ୟା ସ୍ଵଳ୍ପ । ସେ ପୂର୍ବରାଗର କବି । ଏହି ଶୀର୍ଷକ ଶତାଧିକ ପଦରେ ସେ ଶ୍ରୀରାଧାଙ୍କର ଯେଉଁ ମନୋବିଶ୍ଳେଷଣ କରିଛନ୍ତି, ତାହା ଅନନ୍ୟ । କେତେବେଳେ କୃଷ୍ଣପ୍ରେମ-ପାଗଳିନୀ ଶ୍ରୀରାଧା ଚନ୍ଦନ ଭଳି ଶ୍ୟାମ ଅପବାଦକୁ ଅଙ୍ଗରେ ବୋଳି ହୋଇଛନ୍ତି ତ ପୁଣି କେତେବେଳେ ଶ୍ୟାମପ୍ରୀତିକୁ ଗଳାହାର କରି କୁଳରୁ ବାହାର ହୋଇଯାଇଛନ୍ତି । କେତେବେଳେ ଶ୍ୟାମ ପ୍ରେମରେ ମଜ୍ଜି ରହିଛନ୍ତି ତ ଅନ୍ୟ କେତେବେଳେ କୃଷ୍ଣଙ୍କ ତୁଳନାରେ ନିଜକୁ ହୀନ ମନେକରିଛନ୍ତି । କବି ଚୈତନ୍ୟ ବନ୍ଦନା ଓ ଚୈତନ୍ୟ ଲୀଳା ଶୀର୍ଷକ କେତୋଟି ପଦ ରଚନା କରିଛନ୍ତି ଏବଂ ଚୈତନ୍ୟଙ୍କୁ କଳିଯୁଗରେ ଭଗବାନଙ୍କ ଅବତାର ବୋଲି ମାନିଛନ୍ତି । ଏହି ଭାବନା ତାଙ୍କଠାରେ ଗୁରୁ ପରମ୍ପରା କ୍ରମେ ସ୍ଫୁରିତ ହୋଇଛି । କାରଣ ସେହି ସମୟରେ ବୈଷ୍ଣବ ଦୀକ୍ଷାଧାରୀ ଗୁରୁମାନେ ଅଧିକାଂଶ ବଙ୍ଗୀୟ ଥିଲେ । ତଥାପି ବଙ୍ଗଦେଶରେ ପ୍ରସାର ଲାଭ କରିଥିବା କୃଷ୍ଣଲୀଳାନୁସାରୀ ଗୌରଲୀଳା-ଚେତନା ଗୋପାଳକୃଷ୍ଣଙ୍କୁ ସ୍ପର୍ଶ କରିନାହିଁ । ଏହାର କାରଣ, ଉତ୍କଳରେ ଜଗନ୍ନାଥଙ୍କୁ ମହତ୍ତ୍ଵ ପ୍ରଦାନ କରାଯାଏ । ପୁଣି ସେ ଉତ୍କଳବାସୀ ଚୈତନ୍ୟଙ୍କୁ ଦେଖିଛନ୍ତି ଏବଂ ଗୋପଲୀଳାକୁ ପ୍ରତ୍ୟକ୍ଷ କରିଛନ୍ତି ।
ଗୋପାଳକୃଷ୍ଣ ପ୍ରଥମେ କବି ଏବଂ ପରେ ଭକ୍ତ । ନିଜର ଅସାଧାରଣ କବି ପ୍ରତିଭାବଳରେ ସେ ବୈଷ୍ଣବ ଦର୍ଶନକୁ କାବ୍ୟାୟିତ କରିଛନ୍ତି । ଜଣେ ସରଳ, ନିରାଡ଼ମ୍ବର ସ୍ରଷ୍ଟା ଏବଂ ଅନୁଭବୀ ଭକ୍ତ ହୋଇଥିବାରୁ ତାଙ୍କ ବିରଚିତ ବହୁ ପଦ ଆଜି ସୁଦ୍ଧା ଲୋକମୁଖରେ ଜୀବନ୍ତ । ଅସଂଖ୍ୟ ପ୍ରତିଭାବାନ୍ କଣ୍ଠଶିଳ୍ପୀଙ୍କ କଣ୍ଠନିସୃତ ତାଙ୍କ ଭକ୍ତିରସୋତୀର୍ଣ୍ଣ ସଂଗୀତର ମଧୁର ମୁର୍ଚ୍ଛନା ଏବେ ବି ଶ୍ରୋତାମାନଙ୍କୁ ମୁଗ୍ଧବିଭୋର କରୁଛି । କାଳ କାଳ ଧରି ଗୋପାଳକୃଷ୍ଣଙ୍କ ଲଳିତ ସଂଗୀତର ପ୍ରଭାବ ପ୍ରତିଟି ଓଡ଼ିଆର ହୃଦୟରେ ଆଜି ଭଳି ଅନୁରଣିତ ହେଉଥିବ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ