ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

ଆବିର୍ଭାବ :- ୦୩-୧୦-୧୮୮୦
ତିରୋଧାନ :- ୧୮-୦୧-୧୯୬୨
ଜନ୍ମସ୍ଥାନ :- ମଣିଖମ୍ବ, ବାଲେଶ୍ୱର

ଜଣେ ବିବିଧ ପ୍ରତିଭାଧର ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଜଣେ ଲେଖକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ । ତତ୍କାଳୀନ ବାଲେଶ୍ୱର ଜିଲ୍ଲା ନିକଟସ୍ଥ ମଣିଖମ୍ବ ଗ୍ରାମରେ ଜନ୍ମିତ ଲକ୍ଷ୍ମୀନାରାୟଣ  ପିତା କ୍ଷେତ୍ରମୋହନ ସାହୁଙ୍କର ଥିଲେ ଏକମାତ୍ର ସନ୍ତାନ । ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ୍‍ କରିଥିଲେ । ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକଭାବେ କାର୍ଯ୍ୟ ଆରମ୍ଭ କରି ଅଳ୍ପ କିଛିଦିନ ପରେ ସେ ଏହି ଚାକିରି ପ୍ରତି ବୀତସ୍ପୃହ ହୋଇପଡ଼ିଥିଲେ ଏବଂ ଶିକ୍ଷାବୃତ୍ତିରେ  ଯୋଗଦାନ କରିଥିଲେ ।

ଜନଜାତି ସମ୍ପର୍କୀୟ ଲେଖା ଯୋଗୁଁ ଲକ୍ଷ୍ମୀନାରାୟଣ ଲୋକପ୍ରିୟ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୁଖନିସୃତ କାହାଣୀ ବିଷୟରେ ସେ ଲେଖୁଥିଲେ । ଓଡ଼ିଶାର ଗ୍ରାମ୍ୟ ନୃତ୍ୟ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ସେ ଓତଃପ୍ରୋତଭାବେ ଜଡ଼ିତ ଥିଲେ ଏବଂ ତାହାର ଉନ୍ନତି ତଥା ସ୍ଥାୟିତ୍ୱ ନିମନ୍ତେ ସଦାସର୍ବଦା ଚେଷ୍ଟିତ ଥିଲେ  ।

ଓଡ଼ିଆ ଛଡ଼ା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲକ୍ଷ୍ମୀନାରାୟଣଙ୍କର ପ୍ରବେଶ ଥିଲା । ଲେଖକ ଭାବରେ ଗଳ୍ପ ମଧ୍ୟରେ ‘ବୀଣା’, ‘ସୁଲତା’, ‘କଣ୍ଟ୍ରୋଲ ରୁମ୍’ ଓ କବିତା ମଧ୍ୟରେ ‘ପଶର’ ଓ ସାମାଜିକ ଗଳ୍ପ ‘ସ୍ପ୍ରିଙ୍ଗ ଅଫ୍ ଦ ସୋଲ୍’ ତାଙ୍କୁ ଯଶପ୍ରଦାନ କରିଥିଲା ।

ଲକ୍ଷ୍ମୀନାରାୟଣ ଓଡ଼ିଶା ଆସେମ୍ବ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର ସମ୍ବିଧାନ ସଭାର ସଭ୍ୟ ମଧ୍ୟ ଥିଲେ । ସେ ତାଙ୍କର ଅଗ୍ନିବର୍ଷୀ ଭାଷଣଦ୍ୱାରା ଭାରତୀୟ ସମ୍ବିଧାନର ଚିଠା ପ୍ରସ୍ତୁତି ସମୟରେ ଅକାଟ୍ୟ ଯୁକ୍ତି ଉଦସ୍ଥାପନ କରି ଆମ୍ବେଦକରଙ୍କ ପ୍ରଶଂସାଭାଜନ ହୋଇଥିଲେ ।

ମାନବସେବାକୁ ଲକ୍ଷ୍ମୀନାରାୟଣ ନିଜ ଜୀବନର ବ୍ରତଭାବେ ଗ୍ରହଣ କରିନେଇଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାରକରୂପେ ସେ ଉପବିତରେ ଥିବା ଛ’ ଖିଅର ପ୍ରକୃତ ଯଥାର୍ଥତା ଦର୍ଶାଇଥିଲେ ।

ସାହିତ୍ୟ ଓ ଶିକ୍ଷା ପ୍ରତି ତାଙ୍କର ଅବଦାନ ନିମନ୍ତେ ସନ ୧୯୫୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ-ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଭାରତ ଲୋକସେବକ ମଣ୍ଡଳର ସଭ୍ୟ ଥିଲେ । କଟକସ୍ଥିତ ଜଗତପୁରରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।

 


ରଚନାବଳୀ
କାବ୍ୟ
କବିତା ସଂକଳନ
ଉପନ୍ୟାସ
ପ୍ରବନ୍ଧ ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll