କୃପାସାଗର ସାହୁ

ଆବିର୍ଭାବ :- ୧୬-୦୭-୧୯୫୨
ଜନ୍ମସ୍ଥାନ :-

ସାରସ୍ଵତ ସାଧକ ଶ୍ରୀ କୃପାସାଗର ସାହୁ ଓଡ଼ିଶାର ସୁପ୍ରସିଦ୍ଧ କପିଳାସ କ୍ଷେତ୍ର ଢେଙ୍କାନାଳ ଜିଲ୍ଲାସ୍ଥ ମଠକରଗୋଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାତା ସୀତା ସାହୁ ଓ ପିତା ଶିବଚରଣ ସାହୁଙ୍କ ସୁଯୋଗ୍ୟ ସନ୍ତାନ ରୂପେ ସେ ୧୯୫୨ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ହୋଇଥିଲେ । ସେ ୧୯୭୨ ମସିହାରେ ରେଭେନ୍ସା କଲେଜରୁ ସ୍ନାତକ ଡିଗ୍ରୀ ଏବଂ ୧୯୬୮ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରି ଜଣେ ମେଧାବୀ ଛାତ୍ର ଭାବେ ପରିଚିତି ଲାଭ କରିଥିଲେ । ଅଧ୍ୟୟନ ସାରିବା ପରେ କିଛି କାଳ ଅଧ୍ୟାପକ ଭାବେ କାର୍ଯ୍ୟ କରି ସର୍ବଭାରତୀୟ ରେଳ ସେବାରେ ଉଚ୍ଚ ପଦାଧିକାରୀ ଭାବେ ଯୋଗ ଦେଇଥିଲେ । ୧୯୯୦  ମସିହାରେ ପ୍ରକାଶିତ “ଉପରେ ଫର୍ଚ୍ଚା ଆକାଶ” ତାଙ୍କର ପ୍ରଥମ ପୁସ୍ତକ । ତାଙ୍କ ରଚନାରେ ମଣିଷ, ପ୍ରକୃତି ଓ ପ୍ରାଣୀ ଜଗତ ପ୍ରତି ସମ୍ବେଦନାଶୀଳତା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ । ଉପନ୍ୟାସ ବ୍ୟତୀତ ସେ ଗଳ୍ପ ଓ କବିତା ରଚନା କ୍ଷେତ୍ରରେ ମଧ୍ୟ ଜଣେ ଯଶସ୍ଵୀ ସ୍ରଷ୍ଟ ଭାବେ ସ୍ୱୀକୃତିଲାଭ କରିଥିଲେ । “ତଳେ ବସୁମାତା”, “ଜ୍ୟୋତି ଓ ତମସା”,” ନାଁ ମୋ ରେଳଗାଡ଼ି”, “ଅରଣ୍ୟ ଅଜଗର ଓ ଅନ୍ୟାନ୍ୟ କାହାଣୀ”, “ହଂସଧ୍ଵନୀ”, “ଶୁଆ କହେ ସାରୀଲୋ”, “ଶେଷ ଶରତ”, “ଗଡ଼ଜାତ ଗଳ୍ପ”, “କଇଁ ପୋଖରୀରେ ପ୍ରେମ”, “ଝରାପତ୍ରରେ ଝଡ଼” ତାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତି । ଅବିସ୍ମରଣୀୟ ସାହିତ୍ୟ କୃତି ପାଇଁ ସେ “ପ୍ରବାସୀ ବନ୍ଧୁ ସମ୍ମାନ”, “ଅଖିଳଚକ୍ର ସମ୍ମାନ”, “କଳିଙ୍ଗପ୍ରଭା ଗଳ୍ପ ପୁରସ୍କାର”, “ରାଜୀବଗାନ୍ଧୀ ସଦ୍ଭାବନା ସମ୍ମାନ”, “ପ୍ରିୟପତ୍ର ସମ୍ମାନ”, “ମଲ୍ଲିକା ସମ୍ମାନ”, “ତପସ୍ଵିନୀ ସମ୍ମାନ”ରେ ସମ୍ମାନିତ ହୋଇଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll