ଶ୍ରୀ ଅଜୟ କୁମାର ମିଶ୍ର

ଆବିର୍ଭାବ :- ୦୧-୦୩-୧୯୫୯
ଜନ୍ମସ୍ଥାନ :- ପଦ୍ମପୁର, ଜଗତସିଂହପୁର ଜିଲ୍ଲା

ଓଡ଼ିଆ ସାହିତ୍ୟ ସିନ୍ଧୁର ଉତ୍ତାଳ ତରଙ୍ଗରେ ତରଙ୍ଗାୟିତ କତିପୟ ସୂଦୃଢ଼ ନାବମାନଙ୍କ ମଧ୍ୟରେ ବିଶିଷ୍ଟ ସାରସ୍ଵତ ସାଧକ ଶ୍ରୀ ଅଜୟ କୁମାର ମିଶ୍ର ଅନ୍ୟତମ ଅଟନ୍ତି । ଆଜୀବନ ସାହିତ୍ୟ ସାଧନାକୁ ମୂଳମନ୍ତ୍ର ରୂପେ ଆଦରି ନେଇଥିବା ଶ୍ରୀ ମିଶ୍ର ସୁପ୍ରସିଦ୍ଧ ସାରଳା କ୍ଷେତ୍ର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଭୂମିଷ୍ଠ ହୋଇଥିଲେ । ପିତା ବଂଶୀଧର ମିଶ୍ର ଓ ମାତା ହାରାମଣି ଦେବୀଙ୍କ ସୁଯୋଗ୍ୟ ସନ୍ତାନ ଥିଲେ । ବାଲ୍ୟକାଳୁ ଶୟନେ ସପନେ ଜାଗରଣେ ଓଡ଼ିଆ ସାହିତ୍ୟ ପାଇଁ ଚରମ ଉତ୍କଣ୍ଠା ତାଙ୍କ ମନରେ ଜାଗି ଉଠିଥିଲା । କହିବା ବାହୁଲ୍ୟ ଯେ, ଓଡ଼ିଆ ଭାଷା ସହିତ ସେ ଅବିଛିନ୍ନତା ରକ୍ଷା କରିବା ପାଇଁ ଅଧ୍ୟାପନାକୁ ନିଜର ବୃତ୍ତି ରୂପେ ଗ୍ରହଣ କରିଥିଲେ । ଆଜୀବନ ସାହିତ୍ୟ ସାଧନାରେ ନିଜକୁ ନିର୍ଲିପ୍ତ କରି ସାହିତ୍ୟ ସମାଲୋଚନା, ବ୍ୟାକରଣ, ପ୍ରବନ୍ଧ, ଅନୁବାଦ, ଉପନ୍ୟାସ, ଗଳ୍ପ ଓ ଜୀବନୀ ଉପରେ ଆଧାରିତ ଅନେକ ସାହିତ୍ୟ ସର୍ଜନା କରିଥିଲେ । ତନ୍ମଧ୍ୟରୁ “ସାହିତ୍ୟର ଶରୀରତତ୍ତ୍ଵ” (୧୯୮୮), 'ଓଡ଼ିଆ ସାହିତ୍ୟର ଧରା ଓ ଧାରା’ (୧୯୮୯), ‘ସମୀକ୍ଷାର ସ୍ଵର’ (୧୯୯୩), ‘ଭାରତୀୟ କାବ୍ୟତତ୍ତ୍ଵ' (୧୯୯୩), ‘ସମାଲୋଚନା ସାହିତ୍ୟ (୧୯୯୪), ‘ଓଡ଼ିଆ ଲୋକସାହିତ୍ୟ ଓ ଲୋକ ସଂସ୍କୃତି’ (୧୯୯୫), ‘ଓଡ଼ିଆ ବ୍ୟାକରଣ’ (୧୯୯୬), ‘ଓଡ଼ିଆ ଯାତ୍ରା’, ‘ଉନ୍ମେଷ ଓ ଉତ୍ତରଣ’ (ମହା ନିବନ୍ଧ) ‘ନାଟ୍ୟକାର ରାମଚନ୍ଦ୍ର ମିଶ୍ର (୨୦୦୫), ‘ଚର୍ଚ୍ଚା: ପରିଚର୍ଚ୍ଚା’ (୨୦୦୫), ‘ଭିନ୍ନ ପ୍ରସଙ୍ଗ: ଭିନ୍ନ ଦୃଷ୍ଟି’ (୨୦୦୫); ‘ସମ୍ରାଟ ବିକ୍ରମାଦିତ୍ୟ’ (୧୦୦୫) ଓ ‘ରାଧା’ (୨୦୦୭), ‘କପିକାଫେ’ (୨୦୦୭), ଗେଣ୍ଡୁଆର ଗେଣ୍ଡୁମାଳ’ (୨୦୦୭), ‘ସରଳାଦେବୀ’, ‘ରାଧାନାଥ ରଥ’ ତାଙ୍କର କାଳଜୟୀ ସୃଷ୍ଟି ରୂପେ ବିବେଚିତ ହୁଏ । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ନିଜର ଉଚ୍ଚଶ୍ରେଣୀୟ ସର୍ଜନା ଶୈଳୀ ଓ ବହୁମୂଖୀ ପ୍ରତିଭାର ଚରମ ନିଦର୍ଶନ ପ୍ରଦାନ କରିବାରୁ ଚ୍ୟୁତ ହୋଇନାହାନ୍ତି । ବାସ୍ତବିକ ଏହିଭଳି ସାହିତ୍ୟ ସ୍ରଷ୍ଟାଙ୍କୁ ପାଇ ଓଡ଼ିଶା ମାଟି ଧନ୍ୟ ଅଟେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll