ଶ୍ରୀ କିଶୋରୀ ଚରଣ ଦାସ

ଆବିର୍ଭାବ :- ୦୧-୦୩-୧୯୨୪
ତିରୋଧାନ :- ୧୩-୦୮-୨୦୦୪
ଜନ୍ମସ୍ଥାନ :- କଟକ

ଓଡ଼ିଆ ଭାଷା-ସାହିତ୍ୟର ଅନ୍ୟତମ ଅଗ୍ରଣୀ ତଥା ଅପ୍ରତିଦ୍ଵନ୍ଦ୍ୱୀ ଯୋଦ୍ଧା କିଶୋରୀଚରଣ ଦାସ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ  ପିତା ଥିଲେ ବିପ୍ରଚରଣ ଦାସ ଓ ମାତା ସୀତାମଣି ଦେବୀ । ସେ ୧୯୪୨ରେ ବି.ଏ., ୧୯୪୪ରେ ପାଟଣା ବିଶ୍ଵବିଦ୍ୟାଳୟରୁ ଇତିହାସରେ ଏମ୍.ଏ. ଏବଂ ୧୯୪୭ରେ ଏଲ୍.ଏଲ୍.ବି. ଡିଗ୍ରୀ ଅଧ୍ୟୟନ ସମ୍ପାଦନ କରିଥିଲେ । ସେ ୧୯୫୦ରେ ଇଣ୍ଡିଆନ୍ ଅଡ଼ିଟ୍ ଏଣ୍ଡ ଆକାଉଣ୍ଟ୍‍ସ ସର୍ଭିସରେ ଯୋଗଦାନ କରିଥିଲେ । ସେ ୧୯୫୮ରେ ସାଇଗନ୍, ୧୯୬୧ରେ ୟୁ.ଏସ୍.ଏ., ୧୯୭୫ରେ ସାଉଥ୍ ଆଫ୍ରିକାକୁ କୃଷିର ବିକାଶ ସଂପର୍କରେ ଜ୍ଞାନ ହାସଲ ପାଇଁ ବିଦେଶ ଭ୍ରମଣ କରିଥିଲେ । ୧୯୮୨ରେ ସେ ଅବସର ଗ୍ରହଣ କରିଥିଲେ ।

କିଶୋରୀଚରଣ ଦାସ କିଶୋର ବୟସରେ କବିତା ଓ ପରେ ଗଳ୍ପ, ଉପନ୍ୟାସ ମାଧ୍ୟମରେ ପାଠକମାନଙ୍କ ନଜରକୁ ଆସିବା ସହ ଧୀରେ ଧୀରେ ପ୍ରତିଷ୍ଠାଲାଭ କରିଥିଲେ । ‘ଭଙ୍ଗା ଖେଳଣା’, ‘ଲକ୍ଷ ବିହଙ୍ଗ’, ‘ଘରବାହୁଡ଼ା, ‘ମଣିହରା’, 'ଠାକୁର ଘର, 'ନାଲିଗୁଲୁଗୁଲୁ ସାଧବ ବୋହୁ’, ‘ଗମନ’, 'ଖେଳର ନାମ ରଂଗ’, ‘ଭିନ୍ନ ପାଉଁଶ’, 'ଶୀତଲହରୀ’, ‘ତ୍ରୟୋବିଂଶ ମୃତ୍ୟୁ’, ‘ଲେଉଟାଣି’, 'ନିଜ ସଂଜ', ‘ଧବଳ ଆକାଶ’, ‘ଥରୁଟିଏ', ‘ତରଙ୍ଗ’, 'ଶେଷଗଳ୍ପ' ଏବଂ ‘ପରଦା ତଳେ ଓ ଅନ୍ୟାନ୍ୟ ଗଳ୍ପ' ପ୍ରଭୃତି ଗଳ୍ପଗ୍ରନ୍ଥ ତାଙ୍କର ଉଚ୍ଚକୋଟୀର ଗଳ୍ପଲିଖନ ଶୈଳୀର ପରିଚୟ ଦିଏ । ସେ  ‘ସାତଟି ଦିନର ସତୀ’, ‘ସକଳ ସନ୍ତାନ’, ‘ନେତା ଓ ନେତ୍ରମଣି, ‘ସ୍ଵର୍ଗସୀମା’, ‘ବିଦେଶିନୀ’, ‘ତୁମ ଆମ ଶତାବ୍ଦୀ’, ‘ଶେଷ ଅଂକ ପ୍ରଥମ ଦୃଶ୍ୟ’ ଓ ‘ନିଆଁ’ ପ୍ରଭୃତି ଉପନ୍ୟାସ ରଚନା କରିଥିଲେ ।  । ‘ଲେଖକଙ୍କର ସଂସାର’, 'କଥା ସାହିତ୍ୟର କଳା ଓ କାରିଗରି’, ‘ଲେଖକର ଦୁଃଖ’, ‘ମୋ ସମୟ ମୋ ସାହିତ୍ୟ’ ଓ ‘ସାହିତ୍ୟ ପ୍ରେମର ଶେଷକଥା’ ପ୍ରଭୃତି ପ୍ରବନ୍ଧ ଗୁଡ଼ିକରେ ତାଙ୍କର ମୌଳିକ ସାରସ୍ୱତ ଦୃଷ୍ଟି ଓ ବିଚାର ପ୍ରତିଫଳିତ ହୋଇଛି । ଲେଖକଙ୍କର ୭ ଖଣ୍ଡ ଗଳ୍ପଗ୍ରନ୍ଥ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଛି ।

କିଶୋରୀଚରଣ ଜଣେ ସାରସ୍ୱତ ପ୍ରତିନିଧିଭାବେ ଭାରତବର୍ଷ ପକ୍ଷରୁ ଅଷ୍ଟ୍ରେଲିଆର ଆଡିଲେଡଠାରେ ଆୟୋଜିତ ସମ୍ମିଳନୀ ଏବଂ ଓଡ଼ିଆ ଲେଖକ ପ୍ରତିନିଧି ଦଳର ମୁଖ୍ୟଭାବେ ବାଙ୍ଗାଲୋର ସମ୍ମିଳନୀରେ ଯୋଗଦାନ କରିଥିଲେ । ଜାତୀୟ କ୍ଷେତ୍ରରେ ସୁପ୍ରତିଷ୍ଠିତ ବିକାଶ ପବ୍ଲିସିଂ ହାଉସ୍ (ନୂଆଦିଲ୍ଲୀ), କେନ୍ଦ୍ର ସାହିତ୍ୟ ଏକାଡେମୀ (ନୂଆଦିଲ୍ଲୀ), ଜୟକୋ ପବ୍ଲିସିଂ ହାଉସ୍ (ମୁମ୍ବାଇ), ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ନୂଆଦିଲ୍ଲୀ) ତାଙ୍କ ରଚିତ ଏବଂ ତାଙ୍କଦ୍ଵାରା ଅନୁଦିତ ପୁସ୍ତକର ପ୍ରକାଶନ କରିଥିଲେ । ସେହିଭଳି ‘ଭାରତୀୟ ଜ୍ଞାନପୀଠ’, ‘ପୁଷ୍ପ ପ୍ରକାଶନୀ’ (ଏନ୍‍.ବି.ଟି. - ନୂଆଦିଲ୍ଲୀ) ଓ ନ୍ୟାସ୍‌ନାଲ ପବ୍ଲିସିଂ ହାଉସ୍‍ରେ ପ୍ରକାଶିତ ହିନ୍ଦୀ ସଂକଳନରେ ତାଙ୍କ ରଚନା ସ୍ଥାନିତ ହୋଇଥିଲା । ସେ ଏନ୍.ବି.ଟି. ଓ ଆଇ.ସି.ସି.ଆର୍.ଙ୍କ ପାଇଁ ପୂର୍ବଭାରତୀୟ ଗଳ୍ପ ଓ ଓଡ଼ିଆ ଗଳ୍ପର ଇଂରାଜୀ ଅନୁବାଦ ତଥା ସଂପାଦନା କରିଥିଲେ । ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ୱ ତୁଲାଇଥିଲେ । କିଶୋରୀଚରଣ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍., ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ‘ଉତ୍କଳଶ୍ରୀ’ ଉପାଧି ଲାଭ କରିଥିଲେ । ଓଡ଼ିଆ କଥା ସାହିତ୍ୟର ଶହେ ଦଶ ବର୍ଷର ପରିସୀମାରେ କିଶୋରୀଚରଣ ଦାସ ଏକମାତ୍ର କଥାକାର ଯିଏ ଚରିତ୍ରର ସୂକ୍ଷ୍ମାତିସୂକ୍ଷ୍ମ ମନୋବିଶ୍ଳେଷଣ ଜରିଆରେ ଗଳ୍ପବାର୍ତ୍ତା ସଂପ୍ରେକ୍ଷଣ କରିଥିଲେ । ଉଚ୍ଚ ମଧ୍ୟବିତ୍ତ ସମାଜର ଅକୃତ୍ରିମ ରୂପ ଏବଂ ନିଃସଙ୍ଗ ମଣିଷର ଚାରିତ୍ରିକ ରୂପାୟନରେ ସେ ସୁଦକ୍ଷ ଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll