ଆବିର୍ଭାବ :- ୧୧-୦୮-୧୮୮୬
ତିରୋଧାନ :- ୩୦-୦୯-୧୯୬୩
ଜନ୍ମସ୍ଥାନ :- ନାଗଣପୁର, ପାଟକୁରା, କଟକ
ଓଡ଼ିଶାର ସ୍ୱନାମଧନ୍ୟ ସାରସ୍ଵତ ସାଧକ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ପାଟକୁରା ଅନ୍ତର୍ଗତ ନାଗଣପୁର ଗ୍ରାମରେ (ଅଧୁନା କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ) ଜନ୍ମଗ୍ରହଣ କରିଥିଲେ । ଅଧ୍ୟାପନା ଓ ପ୍ରାଚୀନ ଓଡ଼ିଆ ସାହିତ୍ୟର ସଂଗ୍ରହ, ସମ୍ପାଦନା ଓ ସମୀକ୍ଷା ପାଇଁ ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ସେ ବେଶ୍ ଲୋକପ୍ରିୟ ଅଟନ୍ତି । କଟକର ମିଶନ ହାୟର ଇଂଲିଶ ସ୍କୁଲରେ ପ୍ରାଥମିକ ଶିକ୍ଷା, ତତ୍ପରେ ରେଭେନ୍ସା କଲେଜ (ସଂସ୍କୃତ ଅନର୍ସ) ଓ କଲିକତା ପ୍ରେସିଡେନ୍ସି କଲେଜରେ (ସଂସ୍କୃତରେ ଏମ୍.ଏ.) ଉଚ୍ଚଶିକ୍ଷା ପୂର୍ଣ୍ଣ କରିସାରିବା ପରେ ସେ ରେଭେନ୍ସା କଲେଜରେ ସଂସ୍କୃତ ଅଧ୍ୟାପକଭାବେ ଯୋଗଦାନ କରିଥିଲେ । ଆଠବର୍ଷ ପରେ ଆସିଷ୍ଟାଣ୍ଟ୍ ପ୍ରଫେସରଭାବେ ପଦୋନ୍ନତି ପାଇ ୧୯୪୭ ମସିହାରେ ବୃତ୍ତିରୁ ଅବସର ଗ୍ରହଣ କରିଥିଲେ ।
ଓଡ଼ିଆ ସାହିତ୍ୟର ଜଣେ ଉଚ୍ଚକୋଟୀର ଗବେଷକଭାବେ ପୁରାତନ ସାହିତ୍ୟକୁ ତାଳପତ୍ର ପୋଥିରୁ ଉଦ୍ଧାର କରି ସମ୍ପାଦନା ସହ ତାହାକୁ ଯତ୍ନର ସହିତ ମୁଦ୍ରଣ କରି ଲୋକଲୋଚନକୁ ଆଣିବା ଥିଲା ଡ. ମହାନ୍ତିଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ ଓ ସେହି ମହତ୍ ଉଦ୍ଦେଶ୍ୟ ନେଇ ସେ ଗଢ଼ିଥିଲେ “ପ୍ରାଚୀ ସମିତି” । ଏହି ସମିତି ଆପ୍ରାଣ ଉଦ୍ୟମ କରି ‘ମାଦଳାପାଞ୍ଜି’, ‘ଶିବ ସୁରୋଦୟ’, ‘ଜଗମୋହନ ଛାନ୍ଦ’, ‘ବ୍ରହ୍ମଶୀକୁଳି’ ଓ ‘ଅଣାକାର ସଂହିତା’ ଇତ୍ୟାଦି ୫୪ଖଣ୍ଡ ବହୁମୂଲ୍ୟବାନ୍ ପୋଥି ଏବଂ ‘ଲାବଣ୍ୟବତୀ’, ‘ବିଦଗ୍ଧ ଚିନ୍ତାମଣି’, ‘ରହସ୍ୟଜରୀ’, ‘ପ୍ରେମପଞ୍ଚାମୃତ’, ‘ରସକଲ୍ଲୋଳ’, ‘ରୁକ୍ମିଣୀ ବିଭା’, ‘ମଥୁରାମଙ୍ଗଳ’, ‘ଗୋପୀଭାଷା’, ‘ଶଶିରେଖା’ ଆଦି ୩୭ ଖଣ୍ଡ କାବ୍ୟଗ୍ରନ୍ଥର ମୂଳଲେଖା ବିଭିନ୍ନ ପୋଥିରୁ ଉଦ୍ଧାର କରି, ସେଗୁଡ଼ିକର ପାଠ ତୁଳନା କରି ସମ୍ପାଦନା ସହ ଶୁଦ୍ଧ ଲେଖା ପ୍ରକାଓ କରିଥିଲା । ତତ୍ସହିତ ଡଃ ମହାନ୍ତି ପ୍ରତି ସମ୍ପାଦିତ ଗ୍ରନ୍ଥର ଦୀର୍ଘ ମୁଖବନ୍ଧ ମଧ୍ୟ ଲେଖିଛନ୍ତି ଯେଉଁଥିରେ ମୂଳତଃ କବିଙ୍କ କାଳ ନିରୂପଣ, ଧର୍ମମତ ତଥା କାବ୍ୟକୃତିରେ ଧର୍ମୀୟ ସ୍ପର୍ଶର ସୂଚନା ଦେବା ସହ ସଂସ୍କୃତ କାବ୍ୟ ପରମ୍ପରାର ପ୍ରଭାବ ତଥା ବିଭିନ୍ନ କାବ୍ୟଧର୍ମର ବିଚାର କରାଯାଇଛି । ଡଃ ମହାନ୍ତିଙ୍କର ସବୁଠାରୁ ବଡ଼ ସଫଳତା ହେଉଛି ପୁରୀ ଶ୍ରୀମନ୍ଦିର ମାଦଳାପାଞ୍ଜିର ଶୁଦ୍ଧ ସଂସ୍କରଣ ଏବଂ ଏହାର ଟୀକା । ତାଙ୍କ ପ୍ରେରଣାରେ The Prachi ନାମକ ଇଂରାଜୀ ପତ୍ରିକା ପ୍ରକାଶ ପାଇଥିଲା ଓ ପରେ ଏହି ନାମରେ ପ୍ରେସ୍ ମଧ୍ୟ ଜନ୍ମ ନେଇଥିଲା । ପରବର୍ତ୍ତୀ କାଳରେ ‘ପ୍ରାଶାସନିକ ଶବ୍ଦକୋଷ’ ସଂକଳନ କରି ସେ ସର୍ବଜନାଦୃତ ହୋଇପାରିଥିଲେ । ତାଙ୍କର ପାଣ୍ଡିତ୍ୟ, ଅଧ୍ୟବସାୟ ତଥା ସାଧନାପାଇଁ ଆନ୍ଧ୍ର ରିସର୍ଚ୍ଚ ସୋସାଇଟି ପକ୍ଷରୁ ଡଃ ମହାନ୍ତିଙ୍କୁ ବିଦ୍ୟାଭୂଷଣ, ବ୍ରିଟିଶ ସରକାରଙ୍କ ପକ୍ଷରୁ ରାୟସାହେବ, ରାୟବାହାଦୂର, ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡି.ଲିଟ୍. ଉପାଧି ଅର୍ପଣ କରାଯାଇଥିଲା ।