ଶ୍ରୀ ଧନେଶ୍ଵର ପାଣୀ

ଆବିର୍ଭାବ :- ୧୩-୦୬-୧୯୧୨
ଜନ୍ମସ୍ଥାନ :- ସାନ୍ଦା ଗ୍ରାମ, ପରଜଙ୍ଗ, ଢେଙ୍କାନାଳ

ଓଡ଼ିଆ ସାହିତ୍ୟ ଜଗତର ସ୍ଵନାମଧନ୍ୟ ସାହିତ୍ୟ ବିନ୍ଧାଣି ଶ୍ରୀ ଧନେଶ୍ଵର ପାଣୀ ଜଣେ ପ୍ରତିଭାବାନ କବି ରୂପେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ । ପ୍ରାକୃତିକ ଶୋଭାରେ ପରିବେଷ୍ଟିତ ତଥା ମହାନ ଶୈବକ୍ଷେତ୍ର କପିଳାସକୁ ସ୍ଵବକ୍ଷରେ ଧାରଣ କରି ଓଡ଼ିଶା ମାଟିର ପୌରାଣିକତାକୁ ପ୍ରତିପାଦିତ କରୁଥିବା ସୁପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାରେ ଶ୍ରୀ ପାଣୀ ଭୂମିଷ୍ଠ ହୋଇଥିଲେ । ଉତ୍କୃଷ୍ଟ ଉପସ୍ଥାପନା ଶୈଳୀ ତଥା ଓଡ଼ିଆ ଭାଷାର ଚାତୁର୍ଯ୍ୟପୂର୍ଣ୍ଣ ବିନିଯୋଗ ତାଙ୍କର କାବ୍ୟ ରଚନାକୁ ଏକ ସ୍ଵତନ୍ତ୍ର ଦୃଷ୍ଟିକୋଣ ପ୍ରଦାନ କରିଥିଲା । ନିଜର ବୈଚିତ୍ରମୟ କାବ୍ୟ ସଂରଚନା ଓ ମନମୁଗ୍ଧକର ଶିଶୁ ସାହିତ୍ୟ ସର୍ଜନା ପାଇଁ ସେ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲେ । କବି କର୍ଣ୍ଣ ବିରଚିତ “ଷୋଳପାଲା”ର ସଟୀକ ଓଡ଼ିଆ ଅନୁବାଦ ତାଙ୍କର ଏକ ଉଲ୍ଲେଖନୀୟ ସାରସ୍ଵତ କୃତି । ନିଷ୍ଠାପର ବାଣୀସାଧନା ପାଇଁ ସେ “ବାଳକୃଷ୍ଣ ସାହିତ୍ୟ ସଂସଦ”, “ଢ଼େଙ୍କାନାଳ ଜିଲ୍ଲା ଲେଖକ ସମ୍ମିଳନୀ”, “ଢ଼େଙ୍କାନାଳ ଜିଲ୍ଲା ସାହିତ୍ୟ ସଂସଦ”, “ଭୁବନଶ୍ରୀ” ଆଦି ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ । ଶ୍ରୀ ପାଣୀ ଆୟକର ବିଭାଗରେ କାର୍ଯ୍ୟ କରି ୧୯୭୪ ମସିହାରେ ଅବସର ଗ୍ରହଣ କରିଥିଲେ । ଏହା ଉପରାନ୍ତେ  ସେ ଢ଼େଙ୍କାନାଳ ଜିଲ୍ଲାରୁ ପ୍ରକାଶିତ “ସତ୍ୟଦୀପ ଧର୍ମ” ପତ୍ରିକାର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟରତ ଥିଲେ । ପଦ୍ୟ ସାହିତ୍ୟ କ୍ଷେତ୍ରରେ “କବିତାଞ୍ଜଳି”, “ପତିବ୍ରତା ସାବିତ୍ରୀ”, “କବିତା ଅର୍ଘ୍ୟ”, “କନ୍ୟାପ୍ରତି”, “ଦାଣ୍ଡ ପହଁରା ଓଷା”, “ସାୟଂକାଳ ଅନୁଚିନ୍ତା”, “ନେଉଳ ଭାଇର ବାହାଘର ଓ ମଜା କବିତା” ଇତ୍ୟାଦି ଓ ଗଦ୍ୟ ସାହିତ୍ୟ କ୍ଷେତ୍ରରେ “ବିଶ୍ଵାସେ ମିଳଇ କୃଷ୍ଣ”, “ଦଳା ପଥର”  ତାଙ୍କର ଶ୍ରେଷ୍ଠ କୃତି ରୂପେ ବିବେଚିତ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll