ଶ୍ରୀ ଗୋପାଳ ଦାଶ

ଆବିର୍ଭାବ :- ଫାଲ୍‌ଗୁନ କୃଷ୍ଣ ପଞ୍ଚମୀ, ୧୮୭୬
ତିରୋଧାନ :- ଫାଲ୍‌ଗୁନ କୃଷ୍ଣ ସପ୍ତମୀ, ୧୯୩୮
ଜନ୍ମସ୍ଥାନ :- ପଳାସିଂହା, ପଟ୍ଟାମୁଣ୍ଡାଇ, କଟକ

ନାଟ୍ୟକାର ଗୋପାଳ ଦାସ କଟକ ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପଳାସିଂହା ଗ୍ରାମରେ ୧୨୮୩ ସାଲ ଫାଲ୍‌ଗୁନ କୃଷ୍ଣପଞ୍ଚମୀ ୧୮୬୭ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କହ୍ନାଇ ଦାଶ । ପିତାଙ୍କ ନାଟ୍ୟଦଳରୁ ପ୍ରେରଣା ପାଇ ସେ ଯାତ୍ରାନାଟ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ  ଯାତ୍ରାନାଟ୍ୟ ଲେଖକ, ସଙ୍ଗୀତ ଶିକ୍ଷକ, ନିର୍ଦ୍ଦେଶକ, ନୃତ୍ୟ ଶିକ୍ଷକ ଓ ଅଭିନେତାରୂପେ ନିଜକୁ ଗଢ଼ି ପାରିଥିଲେ । ୧୯୧୧ରେ ସେ ନିଜର ଯାତ୍ରାଦଳ ଗଠନକରିବା ପରେ ତାଙ୍କ ଯାତ୍ରାର ଲୋକପ୍ରିୟତା ତାଙ୍କ ଆତ୍ମବିଶ୍ଵାସକୁ ବହୁଗୁଣିତ କରିଥିଲା । ଓଡ଼ିଶାରେ ନିଜକୁ ସୀମିତ ନ ରଖି ଗୋପାଳ ପଡ଼ୋଶୀ ବଙ୍ଗ, ବିହାରରେ ମଧ୍ୟ ଯାତ୍ରା ଅନୁଷ୍ଠାନ କରି ଦର୍ଶକମାନଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । 

ଯାତ୍ରା ପରମ୍ପରାରେ ସଂସ୍କାର ଓ ନୂତନତା ତାଙ୍କ ଖ୍ୟାତିର ପ୍ରଧାନ କାରଣ ଥିଲା । ପୂର୍ବରୁ ବ୍ୟବହୃତ ଗିନି, ପଖାଉଜ ଓ ବେହେଲା ବାଦ୍ୟଯନ୍ତ୍ର ସହିତ ହାରମୋନିୟମ, ଡୁଗିତାବଲ, କ୍ଲାରିଓନେଟ୍‍ର ସଂଯୋଗ, ରୁଚିସମ୍ପନ୍ନ ବେଶପୋଷାକ, ଅଳଙ୍କାର ବ୍ୟବହାର, ଶାସ୍ତ୍ରୀୟ ଓ ଓଡ଼ିଶୀ ରାଗରାଗିଣୀ-ସମୃଦ୍ଧ ଗୀତ ସହିତ ଆଞ୍ଚଳିକ ଲୋକପ୍ରିୟ ସ୍ୱର ସଂଯୋଜନା ଦକ୍ଷ କଳାକାରମାନଙ୍କ ସମ୍ପୃକ୍ତି ଏବଂ ଆପଣା ରଚିତ ରଙ୍ଗ ସଭା, କଂସଜନ୍ମ, ଶ୍ଵେତବସନ୍ତ, ଜୟନ୍ତ ଜୟପାଲ, ଦାନବଲୀଳା, କାଞ୍ଚି କାବେରୀ, କର୍ଣ୍ଣବଧ, ଜାନୁଭଗ୍ନ, ରୁକ୍ମିଣୀ ବିଭା, ସୀତା ବିବାହ, ରାମ ବନବାସ, ଦୁଷ୍ମନ୍ତ ଶକୁନ୍ତଳା ପ୍ରଭୃତି ୭୦ ଖଣ୍ଡ ନାଟକରେ ଗୀତ ଓ ସଂଳାପର କଳାତ୍ମକ ସମୀକରଣ ଥିଲା ତାଙ୍କ କଳା-ଅବବୋଧର ନିଦର୍ଶନ । ଏତଦ୍‍ବ୍ୟତୀତ, ସେ କେତେକ ଫାର୍ଶ ମଧ୍ୟ ରଚନା କରିଛନ୍ତି । ୧୯୨୬ରେ କଟକର ବାରବାଟୀଠାରେ ଅନୁଷ୍ଠିତ ରାଜକୀୟ ଦରବାରରେ ସେ ନିଜ ରଚିତ ରଙ୍ଗସଭା ଅଭିନୀତ କରାଇ କମିଶନରଙ୍କଠାରୁ ପ୍ରଶଂସାପତ୍ର ଓ ପଦକ ଲାଭ କରିଥିଲେ । ତାଙ୍କ ଯାତ୍ରାଦଳ ୧୯୩୭ ପର୍ଯ୍ୟନ୍ତ ବଞ୍ଚିରହିଥିଲା । ସେ ୧୩୪୫ ସାଲ ଫାଲ୍‌ଗୁନ କୃଷ୍ଣ ସପ୍ତମୀ ୧୯୩୮ରେ ପରଲୋକ ଗମନ କରିଥିଲେ ।


ରଚନାବଳୀ
ଗୀତିକବିତା

Copyright © 2024 Odia Virtual Academy. All rights reserved      Total Visitors-   1

scroll