ଗିରିଜା ଶଙ୍କର ରାୟ ୧୮୮୬ ମସିହା ଅକ୍ଟୋବର ୨୨ ତାରିଖ ଦିନ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଦୀକ୍ଷିତ ପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କର୍ମଯୋଗୀ ଗୌରୀଶଙ୍କର ରାୟଙ୍କ ବଂଶଜ ଏବଂ ନାଟ୍ୟକାର ରାମଶଙ୍କର ରାୟଙ୍କ ପୁତ୍ର ।
ଶ୍ରୀ ରାୟ ରେଭେନ୍ସା କଲେଜ ଇଂରାଜୀ ବିଭାଗରେ ଅଧ୍ୟାପକଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ଓ ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜର ଅଧ୍ୟକ୍ଷଭାବେ ଅବସର ଗ୍ରହଣ କରିଥିଲେ । ଇଂରାଜୀ ସାହିତ୍ୟ ଅଧ୍ୟାପନାରେ ଜୀବନ ଅତିବାହିତ କରିଥିଲେ ମଧ୍ୟ ସେ ଓଡ଼ିଆ ସମାଲୋଚନା ସାହିତ୍ୟର ଅନ୍ୟତମ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଥିଲେ । ପ୍ରାଚ୍ୟ ସାହିତ୍ୟତନ୍ତ୍ର ବିଚାର ଓ ଆଲୋଚନାର ଏକ ଶାସ୍ତ୍ରୀୟ ପରଂପରା ଥିଲେ ମଧ୍ୟ ସେ ପାଶ୍ଚାତ୍ୟ, ବିଶେଷତଃ ଇଂରାଜୀ ସାହିତ୍ୟତତ୍ତ୍ୱ-ଆଧାରିତ ରଚନାଦ୍ଵାରା ପ୍ରଭାବିତ ହୋଇ ୧୯୩୩ରେ ଓଡ଼ିଆରେ ‘ସାହିତ୍ୟ ସନ୍ଦର୍ଭ’ ନାମକ ପୁସ୍ତକ ରଚନା କରିଥିଲେ । ସାହିତ୍ୟ ସୃଷ୍ଟିର ମୂଳ ରହସ୍ୟ, ଏହାର ଭାବବସ୍ତୁ, ସୃଷ୍ଟିରେ କଳ୍ପନା ଓ ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ସଂପର୍କିତ କେତେକ ଆଲୋଚନା, ଏହି ପୁସ୍ତକରେ ସନ୍ନିବେଶିତ । ‘ସରଳ ଭାଷାତତ୍ତ୍ୱ', 'ରଚନା ବିଚାର’ ଓ ‘ଓଡ଼ିଆ ନାଟ୍ୟକଳା’ ଶୀର୍ଷକ କେତେକ ସମୀକ୍ଷାଧର୍ମା ପୁସ୍ତକର ସେ ରଚୟିତା । ‘ସରଳ ଭାଷାତତ୍ତ୍ୱ’ରେ ସେ ଭାଷାର ସ୍ୱରୂପ ଓ ପ୍ରାଣଧର୍ମ, ଉତ୍ପତ୍ତି ଏବଂ ଭାବ ପ୍ରକାଶରେ ଏହାର ଉପଯୋଗିତା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ‘ରଚନା ବିଚାର'ରେ ସାହିତ୍ୟ ସୃଷ୍ଟିର ଅନ୍ତଃସ୍ୱର ନିରୂପଣ ଏବଂ ଏହାର ରଚନା କୌଶଳର ବୈଶିଷ୍ଟ୍ୟ ଓ ମହତ୍ତ୍ଵ- ଅବଧାରକ ସୂତ୍ର ବ୍ୟାଖ୍ୟାନ କରିଛନ୍ତି । ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ମଧ୍ୟ ସେ ‘ସାହିତ୍ୟରେ ସୌନ୍ଦର୍ଯ୍ୟ ତତ୍ତ୍ୱ’, ‘ସମାଲୋଚନାର ଧାରା ଓ ଲକ୍ଷ୍ୟ’ ଶୀର୍ଷକ ପ୍ରବନ୍ଧମାନ ଲେଖିଛନ୍ତି । ‘ଓଡ଼ିଆ ନାଟ୍ୟକଳା’ ଗିରିଜାଶଙ୍କରଙ୍କ ଐତିହାସିକ ଅନୁସନ୍ଧାନ ଓ ସମୀକ୍ଷାବୃତ୍ତିର ପରିଚାୟକ । ଯେଉଁ ନାଟ୍ୟକାରମାନେ ନାଟକ ରଚନା କ୍ଷେତ୍ରରୁ ୧୯୪୦ ବେଳକୁ ଅପସରିଯାଇଥିଲେ, ‘ଓଡ଼ିଆ ନାଟ୍ୟକଳା’ ପୁସ୍ତକରେ ସେମାନଙ୍କ ସଂପର୍କରେ ବିଶଦଭାବେ ଆଲୋଚନା କରାଯାଇଛି । ଆଲୋଚନାଗୁଡ଼ିକ ତଥ୍ୟପୂର୍ଣ୍ଣ ଓ ପ୍ରଣାଳୀବଦ୍ଧ । ଭାଷାତତ୍ତ୍ୱର ସାଧାରଣ ନିୟମ, ନାଟକ ଆଲୋଚନା ଅବସରରେ ଉପନ୍ୟାସ ଓ ନାଟକ ମଧ୍ୟରେ ନିହିତ ସାମ୍ୟ ଓ ବୈଷମ୍ୟ ଚିତ୍ତାକର୍ଷକଭାବେ ନିରୂପିତ ହୋଇପାରିଛି । ମାର୍ଜିତ ଭାଷା ଓ ଗମ୍ଭୀର ଗଦ୍ୟ ଶୈଳୀର ପ୍ରୟୋଗ, ତାଙ୍କ ଆଲୋଚନାଗୁଡ଼ିକୁ ସୁଖପାଠ୍ୟ କରିପାରିଛି
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ