ଆବିର୍ଭାବ :- ୧୦-୦୧-୧୫୧୦
ତିରୋଧାନ :- ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ
ଜନ୍ମସ୍ଥାନ :- ତିଳକଣା ଗ୍ରାମ, କଟକ
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଏକାଧାରରେ ଥିଲେ ଜଣେ ଯୋଗଜନ୍ମା ସାଧକ ତଥା ଉଚ୍ଚ କୋଟୀର ବୈଷ୍ଣବ ସନ୍ଥ । ଓଡ଼ିଆ ଭକ୍ତିଯୁଗର ଜଣେ ସ୍ୱନାମଧନ୍ୟ ଭକ୍ତିଶାସ୍ତ୍ର ରଚୟିତା ତଥା ଭକ୍ତି ସାଧନାର ଅନନ୍ୟ ମହାଯୋଗୀ ଭାବେ ସେ ଓଡ଼ିଶାର ଘରେ ଘରେ ପରିଚିତ । ଅଚ୍ୟୁତାନନ୍ଦ ଦାସ ବହୁ ପୁରାତନ ଯୋଗ ତଥା ପୁରାଣ ଶାସ୍ତ୍ର ସଂସ୍କୃତରୁ ଓଡ଼ିଆ ଭାଷାକୁ ଅନୁବାଦ କରିଛନ୍ତି । ଜାତିସ୍ମର ହୋଇଥିବା କାରଣରୁ ସେ ଭଗବତ୍ କୃପା ଲାଭ କରି ଆଗତ ଭବିଷ୍ୟତ ଆଧାରରେ ୨୫୦ରୁ ଉର୍ଦ୍ଧ୍ୱ ସଂହିତା, ଗୀତା, ମାଳିକା, ଭଜନ, ଚଉପଦୀ, ଜଣାଣ ଆଦି ରଚନା କରିଥିଲେ । ଅଚ୍ୟୁତାନନ୍ଦ ଜଣେ ରହସ୍ୟବାଦୀ କବିଭାବେ ମଧ୍ୟ ପ୍ରସିଦ୍ଧ । ପଞ୍ଚସଖାଙ୍କ ମଧ୍ୟରେ ସର୍ବକନିଷ୍ଠ ଅଚ୍ୟୁତାନନ୍ଦଙ୍କ ସମାଜ ସଂସ୍କାର ଉଦ୍ୟମ ତାଙ୍କ କୈବର୍ତ୍ତ ଗୀତା, କମାର ଗୀତା, ବରଣ ଚରିତ ଗୀତା ଓ ଗୋପାଳଙ୍କ ଓଗାଳ ଆଦି ପୁସ୍ତକରୁ ସ୍ପଷ୍ଟ ହୋଇଥାଏ ।
କୁହାଯାଏ, ଭଗବାନ ଗରୁଡ଼ଙ୍କ ଆଶୀର୍ବାଦରୁ ମାତା ପଦ୍ମାବତୀ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରୁ ଅଚ୍ୟୁତାନନ୍ଦ ଆଧୁନିକ କଟକ ଜିଲ୍ଲାର ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଯୋଗ ସାଧନା ଏବଂ କାବ୍ୟ ପ୍ରତିଭା ସୁବାସିତ ପୁଷ୍ପର ସୁଗନ୍ଧ ଭଳି ଚତୁର୍ଦ୍ଦିଗରେ ବ୍ୟାପିଯାଇଥିଲା । ଓଡ଼ିଆ ବୈଷ୍ଣବୀୟ ଧାରାର ଅନ୍ୟତମ ପ୍ରବର୍ତ୍ତକଭାବେ ପରିଚିତ ଅଚ୍ୟୁତାନନ୍ଦଙ୍କ ଅଗଣିତ ଆଧ୍ୟାତ୍ମିକ ରଚନା ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ପୃଷ୍ଠପୋଷକତାରେ ଓଡ଼ିଶାରେ ଜନାଦୃତ ହୋଇଥିଲା । ହରିବଂଶ ପୁରାଣ ତାଙ୍କର ଏକ ଅନବଦ୍ୟ ମୌଳିକ କୃତି । ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ପରେ ପ୍ରତି ଓଡ଼ିଆ ଘରେ ଏହାର ସ୍ଥାନ ଦ୍ୱିତୀୟରେ । କଳିଯୁଗ ମାଳିକା, କଳିଯୁଗ ଗୀତା, ବ୍ରହ୍ମ ସଂହିତା, ଶୂନ୍ୟ ସଂହିତା, ଅମର ଜୁମର ସଂହିତା, ଅନାହତ ସଂହିତା, ଜ୍ଞାନ ସଂହିତା, ଛୟାଳିଶ ପଟଳ, ଶୂନ୍ୟ ରାହାସ, ନିତ୍ୟ ରାହାସ, ମହାନିତ୍ୟ ରାହାସ, ପଦ୍ମବନ ରାସ, ଗୁରୁଭକ୍ତି ଗୀତା, ଗରୁଡ଼ ଗୀତା, ଅଷ୍ଟ ଗୁଜରୀ, ନବ ଗୁଜରୀ, କୁସୁମ କେଳି, ରାମରସ ବୋଲି, ସର୍ବାର୍ଥ ଚିନ୍ତାମଣି ବୋଲି, ମଥୁରାମଙ୍ଗଳ ବୋଲି, ବ୍ରହ୍ମଶାଙ୍କୁଳି, ବଟ ବର୍ଣ୍ଣନା, ଶାରିକା ବର୍ଣ୍ଣନା, ଚିତ୍ତବୋଧ, ଭବିଷ୍ୟ ପୁରାଣ, ହରିବଂଶ ପୁରାଣ, ଶିବକଳ୍ପ ଓ ଶାଳ୍ମଳୀ କଳ୍ପ ଭଳି ଅନେକ କାଳଜୟୀ ଗ୍ରନ୍ଥ ପାଇଁ ସେ ଓଡ଼ିଶାର ଗାଁ-ଗାଁରେ ପରିଚିତ । ଭବିଷ୍ୟତର ଧ୍ୱଂସଲୀଳା ଉପରେ ଆଧାରିତ ଏବଂ ପ୍ରାୟ ୧୦୦ଟି ଭବିଷ୍ୟ ମାଳିକାକୁ ନେଇ ଅଚ୍ୟୁତାନନ୍ଦ ମାଳିକାଭାବେ ବିଶେଷଭାବେ ଖ୍ୟାତ ଗ୍ରନ୍ଥ ପାଇଁ ପ୍ରତିଟି ଓଡ଼ିଆ ତାଙ୍କୁ ଜାଣେ । ତାଙ୍କର ଏହି ସମସ୍ତ ଦୁର୍ମୂଲ୍ୟ ସଂହିତା, କୋଇଲି, ମାଳିକା ବଚନ, ରାହାସ ତଥା ଗୁଜରୀମାଳା ପାଇଁ ସମଗ୍ର ଓଡ଼ିଆ ଜାତି ସବୁଦିନ ଲାଗି ତାଙ୍କୁ ମନେରଖିବ ।