ଶ୍ରୀ ବାଳକୃଷ୍ଣ ମହାନ୍ତି

ଆବିର୍ଭାବ :- ୦୫-୦୩-୧୯୦୦
ତିରୋଧାନ :- ୧୯ଶ ଶତାବ୍ଦୀ
ଜନ୍ମସ୍ଥାନ :- ପଳାଶୋଳ, ଜଗତସିଂହପୁର

ଓଡ଼ିଆ ନାଟ୍ୟାକାଶର ଜଣେ ଦୀପ୍ତିମାନ୍‍ ତାରକା ହେଉଛନ୍ତି ବାଳକୃଷ୍ଣ ମହାନ୍ତି । ସେ ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର (ଅଧୁନା ଜଗତସିଂହପୁର) ପଳାଶୋଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଦିବାକର ଓ ମାତାଙ୍କ ନାମ ଥିଲା ଲାବଣ୍ୟ ଦେବୀ । ମାତ୍ର ନବମ ଶ୍ରେଣୀଯାଏ ପାଠ ପଢ଼ି ଗାଁରେ ତେଜରାତି ଦୋକାନ ଖୋଲି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସାହିତ୍ୟ ସର୍ଜନାର ଅବିସ୍ମରଣୀୟ ଯାତ୍ରା ।

ପରବର୍ତ୍ତୀ କାଳରେ ନୀଳମଣି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଳକୃଷ୍ଣ ପ୍ରତିଷ୍ଠା କରିଥିଲେ ଜୟଦୁର୍ଗା ଯାତ୍ରାଦଳ । ସୌଭାଗ୍ୟବଶତଃ ଶ୍ରୀ ବ୍ରଜବନ୍ଧୁ ମହାନ୍ତି ଦଳରେ ନୃତ୍ୟଗୁରୁ ଭାବରେ ଯୋଗଦେଇଥିଲେ । ସର୍ବପ୍ରଥମେ ବାଳକୃଷ୍ଣ  ‘ଚୈତନ୍ୟ ଲୀଳା’ ଓ ତତ୍ପରେ ‘ଅମରବିଳାସ’ ନାଟକ ରଚନା କରିଥିଲେ । ଦୁର୍ଭାଗ୍ୟବଶତଃ ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ତାଙ୍କର ଜ୍ୟେଷ୍ଠପୁତ୍ର ଇହଧାମ ତ୍ୟାଗ କଲେ  । ମାତ୍ର ଏଥିରେ ସେ ସାମାନ୍ୟ ହତୋତ୍ସାହ ନହୋଇ ତାଙ୍କ ସାଧନାରେ ବ୍ରତୀ ହୋଇଥିଲେ ।

ସମୟକ୍ରମେ ବାଳକୃଷ୍ଣ ଯାତ୍ରାଦଳକୁ କଲିକତା ନେଇଯାଇଥିଲେ । ସେଠାରେ ତିନିବର୍ଷ ନାଟକ ମଞ୍ଚସ୍ଥ କରି ଖୁବ୍‍ ଲୋକପ୍ରିୟତା ଅର୍ଜନ କରିଥିଲେ । ଯାତ୍ରାର ବିଷୟବସ୍ତୁ, ଅଭିନେତାମାନଙ୍କର ଅଭିନୟ ଓ ନିର୍ଦ୍ଦେଶନା ତାଙ୍କୁ ସର୍ବଜନାଦୃତ କରିଥିଲା । ‘ହରିଶ୍ଚନ୍ଦ୍ର’, ‘ମଥୁରା ବିଜୟ’, ‘ଲଳିତା-ବିଦ୍ୟାପତି’, ‘ଗୁପ୍ତମନ୍ତ୍ର’, ‘ମନ୍ତ୍ରମୁଗ୍ଧ’ ଓ ‘ଶକୁନ୍ତଳା’ ପ୍ରଭୃତି ଅଗଣିତ ନାଟକର ଚିତ୍ତାକର୍ଷକ ଅଭିନୟ ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କଲା ।

ବାଳକୃଷ୍ଣ ମଞ୍ଚକ୍ଷେତ୍ରରେ ଅନେକ ଆକର୍ଷଣୀୟ ପରିବର୍ତ୍ତନ ଆଣିଥିଲେ । ମଞ୍ଚରେ ଧଳା ପରଦା ଉପରେ ମ୍ୟାଜିକ ଲଣ୍ଠନ ସାହାଯ୍ୟରେ ଅଭିନେତା ଅଭିନେତ୍ରୀମାନଙ୍କର ନାମ ଲିଖନଠାରୁ ଆରମ୍ଭ କରି ଡେଲାଇଟ୍ ତଥା କଳାକାରମାନଙ୍କ ପେଣ୍ଟିଂ ଓ ଡ୍ରେସିଂରେ ବିଭିନ୍ନ ନୂତନତା ସେ ପ୍ରବର୍ତ୍ତନ କରିଥିଲେ । ‘ପ୍ରୋସେନିୟମ୍ ମଞ୍ଚ’ ଓଡ଼ିଶା ଯାତ୍ରାଜଗତକୁ ବାଳକୃଷ୍ଣଙ୍କର ଅଭିନବ ଅବଦାନ । ପରବର୍ତ୍ତୀ କାଳରେ ଦଳରେ ମନୋମାଳିନ୍ୟ କାରଣରୁ ଏବଂ କଳାହାଣ୍ଡି ରାଜାଙ୍କ କୋପଦୃଷ୍ଟିର ଶିକାର ହୋଇ ସେ ସର୍ବସ୍ଵାନ୍ତ ହୋଇଥିଲେ ଏବଂ ଅନ୍ତିମ ଜୀବନରେ ବହୁ ଅଭାବ-ଅନଟନ ମଧ୍ୟରେ ଦେହତ୍ୟାଗ କରିଥିଲେ ।


ରଚନାବଳୀ
ଉପନ୍ୟାସ

Copyright © 2024 Odia Virtual Academy. All rights reserved      Total Visitors-   1

scroll