ଶ୍ରୀ ଅଖିଳ ମୋହନ ପଟ୍ଟନାୟକ

ଆବିର୍ଭାବ :- ୧୮-୧୨-୧୯୨୭
ତିରୋଧାନ :- ୨୯-୧୧-୧୯୮୨
ଜନ୍ମସ୍ଥାନ :- ଖୋର୍ଦ୍ଧା

ବିଶିଷ୍ଟ ସାହିତ୍ୟ ସ୍ରଷ୍ଟା ଅଖିଳମୋହନ ପଟ୍ଟନାୟକ ତତ୍କାଳୀନ ଅବିଭକ୍ତ ପୁରୀ ଜିଲା ଅନ୍ତର୍ଗତ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସ୍ୱନାମଧନ୍ୟ ଶିକ୍ଷକ ବାଙ୍କନିଧି ପଟ୍ଟନାୟକ । ତାଙ୍କ ମାତାଙ୍କ ନାମ ଥିଲା ହାରାମଣି ଦେବୀ । ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଶିକ୍ଷା, ୧୯୪୮ରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦଳୟରୁ ସ୍ନାତକ ଶିକ୍ଷା ଏବଂ ୧୯୫୭ରେ କଟକ ମଧୁସୂଦନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ସଫଳତାର ସହିତ ସେ ସଂପୂର୍ଣ୍ଣ କରିଥିଲେ ।

ଅଖିଳମୋହନ ୧୯୫୭ ରୁ ଶେଷ ଜୀବନ ପର୍ଯ୍ୟନ୍ତ କଟକ, ଭୁବନେଶ୍ଵର ଓ ଖୋର୍ଦ୍ଧାରେ ସେ ଆଇନ ବୃତ୍ତି ସହ ସଂଶ୍ଳିଷ୍ଟ ଥିଲେ । ୧୯୪୮ରୁ ୧୯୫୩ ମଧ୍ୟରେ ସେ ବାମପନ୍ଥୀ ରାଜନୀତି ସହ ସମ୍ପୃକ୍ତ ରହି ଏକାଧିକବାର କାରାବରଣ କରିଥିଲେ । ୧୯୫୧ ମସିହା ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ସେ ଦୁଇଥର କଲେଜରୁ ବହିଷ୍କୃତ ହୋଇଥିଲେ ।

ଅଖିଳମୋହନ ୧୯୬୦ରେ ଭୁବନେଶ୍ଵରର ଗୋଦାବରୀଶ ସାହିତ୍ୟ ସଂସଦ ସହ ସମ୍ପୃକ୍ତ ହୋଇଥିଲେ ଏବଂ ତାହାର ମୁଖପତ୍ର ‘ମୂର୍ଚ୍ଛନା’ର ସମ୍ପାଦକଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୬୨ରେ ଓଡ଼ିଆ ସାହିତ୍ୟ ଯୁବ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେବା ସହ  ୧୯୬୪ରେ ସେ ଓଡ଼ିଆ ଯୁବଲେଖକ ସମ୍ମିଳନୀର ପ୍ରଥମ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହିପରି ଏକ ସାମାଜିକ, ସାହିତ୍ୟିକ ଓ ରାଜନୈତିକ ପୃଷ୍ଠଭୂମି ଉପରେ ଅଖିଳମୋହନଙ୍କ ସାରସ୍ୱତ-ସୌଧ ପ୍ରତିଷ୍ଠିତ ।

ଅଖିଳମୋହନଙ୍କ ପ୍ରଥମ ଗଳ୍ପ 'ସପନ’ ପ୍ରକାଶ ପାଇଥିଲା ୧୯୪୭ ମସିହାରେ ପ୍ରକାଶିତ ମାୟାଧର ମାନସିଂହଙ୍କ ‘ଶଙ୍ଖ’ରେ ଏବଂ ଶେଷଗଳ୍ପ ‘ସ୍ପାର୍ଟାକସ’ ୧୯୮୭ରେ ‘ସୁଚରିତା’ର ଲେଖକ ବିଶେଷାଙ୍କରେ ପ୍ରକାଶ ପାଇଥିଲା । ‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’ (୧୯୬୪) ତାଙ୍କର ପ୍ରଥମ ଗଳ୍ପ ସଂକଳନ । ଦ୍ଵିତୀୟ ଗଳ୍ପ ସଂକଳନ ‘ଓ ଅନ୍ଧଗଳି’ (୧୯୭୯) ୧୯୮୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ଓ ତତ୍ପରେ ତାଙ୍କର ବିୟୋଗ ଘଟିଥିଲା ।  ଦେହାନ୍ତ ପରେ  ପ୍ରକାଶ ପାଇଥିଲା ଶେଷ ଦୁଇଟି ସଂକଳନ – ‘ନଦୀର ନାମ ଗଣତନ୍ତ୍ର’ (୧୯୮୪) ଏବଂ ‘ପ୍ରଥମ ଓ ଶେଷ’ (୧୯୯୦) ।  ଅଖିଳମୋହନଙ୍କ ଚାରିଟିଯାକ ଗଳ୍ପ ସଂକଳନକୁ ନେଇ ‘ଅଖିଳାୟନ’ ନାମରେ ଏକ ଗଳ୍ପ-ସମଗ୍ର ୧୯୯୮ରେ ଅଖିଳମୋହନ ଫାଉଣ୍ଡେସନ ପକ୍ଷରୁ ପ୍ରକାଶ ପାଇଛି । ଅଖିଳମୋହନଙ୍କର ଆଉ ତିନିଟି ଗୁରୁତ୍ଵପୂର୍ଣ୍ଣ ଗ୍ରନ୍ଥ ହେଉଛି ‘ଅନାଗତ ଫାଲଗୁନ’ (ଲାର୍କ ବୁକ୍‌ସ, ୧୯୮୨), ‘ଅନ୍ୟଦେଶ’ (ଶିବାନୀ ପ୍ରକାଶନ, ୧୯୮୪) ଏବଂ ‘ବାଘରାଣୀ ଖଇରୀ’ (ଉତ୍କଳ ସମ୍ବାଦ ପ୍ରକାଶନ ପ୍ରା.ଲି. ୧୯୯୨) । ଏ ତିନିଟି ଯାକ ପୁସ୍ତକ ତାଙ୍କ ବିୟୋଗପରେ ପ୍ରକାଶିତ ।

‘ଅନ୍ୟ ଦେଶ’ ଅଖିଳମୋହନଙ୍କର ଇଉରୋପ ଭ୍ରମଣ ବୃତ୍ତାନ୍ତ । ୧୯୭୩ରେ ଇଣ୍ଡୋ-ଫ୍ରେଞ୍ଚ ସୋସାଇଟି ଅଫ୍ ଫ୍ରେଣ୍ଡସିପ ତରଫରୁ ସେ ଲଣ୍ଡନ, ଫ୍ରାନ୍ସ, ସୁଇଜରଲାଣ୍ଡ, ପ୍ୟାରିସ୍, ପଶ୍ଚିମ ଜର୍ମାନୀ ଆଦି ଇଉରୋପୀୟ ଦେଶ ଭ୍ରମଣ କରିଥିଲେ । ତାହାର ଅନୁଭୂତି ହେଉଛି ‘ଅନ୍ୟଦେଶ' । ୧୯୭୫-୭୬ ମସିହାରେ ଏହା ‘ନବରବି’ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଥିରେ ଚାକ୍ଷୁଷ ଅନୁଭୂତି ଓ ଆହୃତ ତଥ୍ୟକୁ ଅପୂର୍ବ କଥନକଳା ସ୍ପର୍ଶରେ ରସୋତ୍ତୀର୍ଣ୍ଣ କରିଦେଇଛନ୍ତି ଲେଖକ । ସେହିସବୁ ୟୁରୋପୀୟ ଚଳଣି ଓ ସାମାଜିକ ବ୍ୟବସ୍ଥା ସହିତ ଆମ ଚଳଣି ଓ ସାମାଜିକ ବ୍ୟବସ୍ଥାର ତୁଳନା କରି ତାଙ୍କ ଲେଖକୀୟ ସତ୍ତା ବ୍ୟଥିତ ମଧ୍ୟ ହୋଇଥିଲା । ତେବେ ସେଠାର କେତେକ ଶିଳ୍ପୀଙ୍କର ଜୀବନ ସଂଗ୍ରାମ ଓ ସାଧନାର ମାର୍ମିକ ଚିତ୍ର ଆଙ୍କିବାରେ ତାଙ୍କ ଲେଖନୀର ଅପୂର୍ବ ଦକ୍ଷତା ପ୍ରକାଶ ପାଇଛି । ଓଡ଼ିଆ ଭ୍ରମଣ ବୃତ୍ତାନ୍ତ ଭଣ୍ଡାରକୁ ଏହା ବହୁଭାବରେ ସମୃଦ୍ଧ କରିଛି ।

‘ବାଘରାଣୀ ଖଇରୀ’ ବି ଅଖିଳମୋହନଙ୍କର ଅନ୍ୟ ଏକ ଅନୁପମ ସୃଷ୍ଟି । ୧୯୭୮ ମସିହାଠାରୁ ‘ସମାବେଶ’ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଇ ଏହା ଉତ୍ସାହ ସୃଷ୍ଟି କରିଥିଲା । କାରଣ ମାନବୋତ୍ତର ପ୍ରାଣୀକୁ ନେଇ ସେପରି ଏକ ଜୀବନୀ ସେ ଯାଏ ଅକଳ୍ପନୀୟ ଥିଲା । ଖଇରୀକୁ ପାଳିଥିବା ସରୋଜ ରାୟଚୌଧୁରୀ ଓ ତାର ପାଳିକା ମାଆ ନିହାର ନଳିନୀଙ୍କ ପ୍ରତ୍ୟକ୍ଷ ଅନୁଭୂତିକୁ ନେଇ ସରୋଜବାବୁ ଇଂରାଜୀରେ ଯେଉଁ ଡାଇରି ଲେଖୁଥିଲେ, ‘ବାଘରାଣୀ ଖଇରୀ’ ଥିଲା ତାହା ଉପରେ ଆଧାରିତ । ତାହା ଅସମାପ୍ତ ଥାଇ ଲେଖକଙ୍କର ବିୟୋଗ ଘଟିବା ପରେ ଗବେଷକ ଅସିତ୍‍ ମହାନ୍ତି ସେହି ଡାଇରି ଆଧାରରେ ତାହାର ଶେଷ ଅଧ୍ୟାୟ ଲେଖି ପୁସ୍ତକଟିକୁ ସଂପୂର୍ଣ୍ଣ କରିଛନ୍ତି । ଏହା ଓଡ଼ିଆ ଜୀବନୀ ସାହିତ୍ୟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା ।

ତେବେ ଅଖିଳମୋହନଙ୍କ ସାରସ୍ଵତ-ଦାନ କେବଳ ଏତିକିରେ ଶେଷ ହୋଇନାହିଁ । ‘ସୁନ୍ଦର ବନରେ ହତ୍ୟାର ବିଭୀଷିକା' ନାମରେ ସେ ଏକ ଧାରାବାହିକ ଗୋଇନ୍ଦା ଉପନ୍ୟାସ ‘ସମାବେଶ'ରେ ଲେଖୁଥିଲେ । ‘ବାଲ୍ଲୀକି ରାମାୟଣ’ର ସାରାନୁବାଦ ମଧ୍ୟ ‘ଆସନ୍ତାକାଲି'ରେ ପ୍ରକାଶ କରୁଥିଲେ । ଆର୍ଥର କୋଏସ୍‍ଲଙ୍କ ‘ଡାର୍କନେସ୍ ଆଟ୍ ନୁନ’କୁ ‘ମଧ୍ୟାହ୍ନର ଅନ୍ଧକାର’ ଶିରୋନାମରେ ଅନୁବାଦ କରୁଥିଲେ । ଏ-ସବୁ ଅସମାପ୍ତ ଓ ଅସଂକଳିତ ଅବସ୍ଥାରେ ରହିଛି । ‘ସମାବେଶ’ର ‘କଚ୍ଛପାୟ’ ସ୍ତମ୍ଭ ଓ ‘ଶେଷପୃଷ୍ଠା’ ଶିରୋନାମାର ସଂପାଦକୀୟ, କିଛି ଗପ, ‘ନିର୍ଜନ ସଂଳାପ’ ଓ ‘ଶୈଶବର ଶବ’ ଶୀର୍ଷକ ଦୁଇଟି ଆତ୍ମଜୀବନୀମୂଳକ ରଚନା ଆଦି ମଧ୍ୟ ଅସଂକଳିତ ରହିଛି । ବାମପନ୍ଥୀ ଚିନ୍ତାଧାରାରେ ବିଶ୍ଵାସୀ ଅଖିଳମୋହନ ଈଶ୍ଵରବିଶ୍ଵାସୀ ନଥିଲେ କି ପ୍ରାୟ କୌଣସି ଧାର୍ମିକ ଆଚରଣ ବିଧି ପାଳନ କରୁନଥିଲେ । କିନ୍ତୁ ‘ଗଜ ଉଦ୍ଧାରଣ’ ଓ ‘ସ୍ପାର୍ଟାକସ’ ପରି ଶେଷ ଜୀବନର ଗଳ୍ପ ତାଙ୍କ ଭିତରେ ଫଲ୍‍ଗୁ ପରି ଅନ୍ତର୍ନିହିତ ଥିବା ଈଶ୍ୱର ବିଶ୍ୱାସର ସୂଚନା ଦିଏ ।

ଅଖିଳ ମୋହନ ୧୯୭୮ରେ ଗାଳ୍ପିକଭାବେ ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ଓ ୧୯୮୧ରେ ‘ଓ ଅନ୍ଧଗଳି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । କମ୍ ଆନୁଷ୍ଠାନିକ ପୁରସ୍କାର ପାଇଥିଲେ ମଧ୍ୟ ସେ ଅଧିକ ପାଠକୀୟ ଆଦୃତି ଲାଭ କରିଥିବା ଜଣେ ନିର୍ବିକଳ୍ପ ସ୍ରଷ୍ଟା ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll