ଯୋଗଜନ୍ମା ସାରସ୍ୱତ ସାଧକ ସୁରେନ୍ଦ୍ର ମହାନ୍ତି ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ୧୯୨୨ ମସିହା ଜୁନ ୨୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସ୍ଵାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ସେ ଥିଲେ ଅନନ୍ୟ ସ୍ରଷ୍ଟା । ସାହିତ୍ୟ ସାଧନା ସହିତ ରାଜନୀତି, ସାମ୍ବାଦିକତା ଓ ଜନସେବାକୁ ସେ ଜୀବନର ବ୍ରତ କରି ନିଜର ବହୁମୁଖୀ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ରାଜନୀତି ତାଙ୍କ ସାହିତ୍ୟିକ ଜୀବନକୁ ସୁଦୂରପ୍ରସାରୀ କରିଥିଲା । ୧୯୪୫ ମସିହାରେ ତାଙ୍କର ରେଣୁକା ଦେବୀଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା ।
ସୁରେନ୍ଦ୍ରବାବୁ ୧୯୪୬ରେ ପ୍ରଥମ ଥର ପାଇଁ ‘ଗଣତନ୍ତ୍ର’ର ସମ୍ପାଦକ ପଦ ଗ୍ରହଣ କରିଥିଲେ ଓ ପରବର୍ତ୍ତୀ କାଳରେ ୧୯୫୫ ରୁ ୧୯୬୦ ପର୍ଯ୍ୟନ୍ତ ଦ୍ଵିତୀୟ ଥର ମଧ୍ୟ ଏହାର ସମ୍ପାଦକ ହୋଇଥିଲେ । ୧୯୬୨ରୁ ୧୯୭୧ ପର୍ଯ୍ୟନ୍ତ ସେ ‘କଳିଙ୍ଗ’ର ସମ୍ପାଦକ ପଦରେ ଅଧିଷ୍ଠିତ ହୋଇଥିଲେ । ୧୯୫୨ରୁ୧୯୫୬ ଯାଏଁ ସେ ରାଜ୍ୟସଭାର ସଭ୍ୟ ଥିଲେ । ୧୯୭୯ରୁ ୧୯୮୪ ଯାଏଁ ପୁନର୍ବାର ରାଜ୍ୟସଭାର ସଭ୍ୟପଦ ମଣ୍ଡନ କରିଥିଲେ ଏବଂ ୧୯୫୬ ରୁ ୧୯୬୨ ଓ ୧୯୭୧ରୁ ୧୯୭୬ ଯାଏଁ ସେ ଲୋକସଭାର ସଭ୍ୟ ଥିଲେ । ୧୯୫୬ରେ ସେ ଚୀନ୍ ଭ୍ରମଣରେ ଯାଇଥିଲେ ।
୧୯୫୯ରେ ସେ ସମ୍ମାନଜନକ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ସଙ୍ଗେ ସଙ୍ଗେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ୧୯୮୦ରେ ପ୍ରଥମ ଶାରଳା ପୁରସ୍କାର ଲାଭ କରିଥିଲେ । ୧୯୮୧ରୁ ୧୯୮୭ ଯାଏଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ଗ୍ରହଣ କରିଥିଲେ । ୧୯୮୪ରୁ ୧୯୮୭ ଯାଏଁ ଦୈନିକ ‘ସମ୍ବାଦ’ର ମୁଖ୍ୟ ସମ୍ପାଦକ ଦାୟିତ୍ଵ ବହନ କରିଥିଲେ ।
‘ପୃଥ୍ୱୀବଲ୍ଲଭ’, ‘କଲେଜ ବୟ’, ‘ବଧୂ ଓ ପ୍ରିୟା’, ‘ମହାନଗରୀର ରାତ୍ରି', ‘ଫକୀର ମୋହନ’, ‘କୃଷ୍ଣଚୂଡ଼ା’, ‘ସହସ୍ର ଶଯ୍ୟାର ନାୟିକା’, ‘ରୁଟି ଓ ଚନ୍ଦ୍ର’, ‘ଶେଷ କବିତା’, ‘ଫକୀରମୋହନ ସମୀକ୍ଷା’, ‘ସବୁଜ ପତ୍ର ଓ ଧୂସର ଗୋଲାପ', ‘ପେସିଂ ଡାଏରୀ', ଉତ୍କଳ ଯୁଗେ ଯୁଗେ', “ମରାଳର ମୃତ୍ୟୁ”, 'ଓଡ଼ିଆ ସାହିତ୍ୟର ଆଦିପର୍ବ', ‘ଅନ୍ଧ ଦିଗନ୍ତ', ସୁରେନ୍ଦ୍ର ସଞ୍ଚୟନ', ସୁରେନ୍ଦ୍ର ବିଚିତ୍ରା’, ନୀଳଶୈଳ’, 'ଓଡ଼ିଆ ସାହିତ୍ୟର ମଧ୍ୟପର୍ବ’, 'ଶତାବ୍ଦୀର ସୂର୍ଯ୍ୟ, ଦୁଇ ସୀମାନ୍ତ, 'ବାପୁ, ‘ମହାନିର୍ବାଣ', ‘ଓ! କାଲକାଟା’, କବି ଓ ନର୍ତ୍ତକୀ, ‘ପୁଂସଗୀତି', 'ମଧୁସୂଦନ ଦାସ’, 'ଓଡ଼ିଆ ସାହିତ୍ୟର କ୍ରମବିକାଶ’, ‘ସାହିତ୍ୟ ଓ ସମାଜ', 'ନୀଳାଦ୍ରି ବିଜୟ', ‘ମାଂସର କୋଣାର୍କ’, 'ଅଚଳାୟତନ', 'Lord Jagannath, 'କାଳାନ୍ତର', 'ନେତି ନେତି', 'ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ', 'Dinakrushna Das' Manograph’ , ‘କୃଷ୍ଣାବେଣୀରେ ସନ୍ଧ୍ୟା', ‘ପଥ ଓ ପୃଥିବୀ', 'ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ ', 'ଆଜୀବକର ଅଟ୍ଟହାସ’, ‘ଫଟାମାଟି', 'ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ’,'ଆମ୍ବେଦକର' ପ୍ରଭୃତି ଅଗଣିତ ବିଭିନ୍ନ ଶ୍ରେଣୀର ସାରଗର୍ଭକ ସାହିତ୍ୟ ସର୍ଜନା କରି ସେ ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ କରିଥିଲେ ।
ମଣିଷର କାମନା-ବାସନା, ଉନ୍ମାର୍ଗଗାମୀ ଚିନ୍ତାଧାରା, ପାଶବ ପ୍ରବୃତ୍ତି, ମନ ଗହନର ରହସ୍ୟ, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ, କ୍ଷୟିଷ୍ଣୁ ଗଣତାନ୍ତ୍ରିକ ବ୍ୟବସ୍ଥା, ସାମାଜିକ ବ୍ୟକ୍ତିର ନୈତିକ ସ୍ଖଳନ ଓ ଅସହାୟତା ମଧ୍ୟରେ ଜୀବନର ମୂଲ୍ୟବୋଧ ଅନୁସନ୍ଧାନ କରିବାରେ ସେ ଜଣେ ସୁଦକ୍ଷ ବିନ୍ଧାଣି ଥିଲେ । ପ୍ରତୀକଧର୍ମୀ ଭାଷା, ଚିତ୍ରଧର୍ମୀ ପ୍ରକାଶ ଭଙ୍ଗୀ, ପ୍ରଚଳିତ ଓ ଅପ୍ରଚଳିତ ଶବ୍ଦର ବ୍ୟବହାର, ପରିବେଶ ଚିତ୍ରଣ ଓ ମନୋବିଶ୍ଳେଷଣ କ୍ଷେତ୍ରରେ ସୁରେନ୍ଦ୍ର ମହାନ୍ତିଙ୍କ ରଚନାର ସ୍ଵାତନ୍ତ୍ର୍ୟ ଅନନ୍ୟ । ତେଣୁ ତାଙ୍କ ରଚନାର ସାଗରରେ ପ୍ରକଟିତ ଉତ୍ତାଳ ତରଙ୍ଗରେ ନୌକା ବିହାର କରି ତାର ସୁବିସ୍ତୃତି ଓ ମାଧୁର୍ଯ୍ୟକୁ ଅନୁଭବ କରିବା ବୈଚିତ୍ର୍ୟପୂର୍ଣ୍ଣ ଅନୁଭୂତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ ଏକାଡେମୀ