ଉନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଯେଉଁ ସାରସ୍ୱତ ସାଧକମାନେ ଓଡ଼ିଆ ସାହିତ୍ୟାକାଶକୁ ଦୀପ୍ତିମନ୍ତ କରିଥିଲେ ସେମାନଙ୍କ ମଧ୍ୟରେ ଭଦ୍ରକ ନିକଟବର୍ତ୍ତୀ ନଳାଙ୍ଗନିବାସୀ କବି ଜଗନ୍ନାଥ ପାଣି ଥିଲେ ଅନ୍ୟତମ । ଅସଂଖ୍ୟ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ ରଚନା କରି ସେ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଋଦ୍ଧିମନ୍ତ କରିବା ସହ ଓଡ଼ିଶାର ଆଦି-ଗୀତିନାଟ୍ୟକାର ଭାବରେ ଅଶେଷ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ତାଙ୍କର ଉତ୍ତୁଙ୍ଗ କବିତ୍ୱ, ଅସାଧାରଣ ନାଟ୍ୟପ୍ରତିଭାର ସ୍ଵୀକୃତି ଓ ସମ୍ମାନ କେବଳ ପଣ୍ଡିତ ସମାଜରେ ସୀମିତ ନଥିଲା; ଓଡ଼ିଶାର ପୁରପଲ୍ଲୀରେ ଅଗଣିତ ଅର୍ଦ୍ଧଶିକ୍ଷିତ, ନିରକ୍ଷର ଜନତାଙ୍କ ମଧ୍ୟରେ ମଧ୍ୟ ପରିବ୍ୟାପ୍ତ ହୋଇଥିଲା । ସେ ସମୟରେ ସେ ଅଂଚଳରେ ପ୍ରଚଳିତ ଯାବନିକ ସଂସ୍କୃତି ଉପରେ ପର୍ଯ୍ୟବସିତ ‘ମୋଗଲ ତାମସା’ର ପରିବେଷଣ ଫଳରେ ଓଡ଼ିଆ ସମାଜ ଓ ସଂସ୍କୃତି ଉପରେ ଏହାର କୁପ୍ରଭାବ ଲକ୍ଷ୍ୟ କରି ସେ ପ୍ରିୟମାଣ ହୋଇପଡ଼ିଥିଲେ ଏବଂ ନିଜସ୍ୱ ଯାତ୍ରା-ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଏବଂ ସମାଜକୁ ଅପସଂସ୍କୃତି କବଳରୁ ମୁକ୍ତ ରଖିବା ପାଇଁ ସେ ଏକ ବିପ୍ଲବୀର ଭୂମିକା ଗ୍ରହଣ କରିଥିଲେ । ଏହି ସ୍ୱଜାତିପ୍ରେମୀଙ୍କ ଏକନିଷ୍ଠ ସାଧନା ଫଳରେ ତାଙ୍କ ଲେଖନୀ ମୁନରୁ ନିସୃତ ହୋଇଥିଲା ଅମୃତମୟ ଅନୁପମ ଅଜସ୍ର ଗୀତିନାଟ୍ୟ, ଲୀଳା ଓ ସୁଆଙ୍ଗ । ନିଜସ୍ୱ ଯାତ୍ରାଦଳ ଗଠନ କରି ତାହାରି ମାଧ୍ୟମରେ ସ୍ୱରଚିତ ଗୀତିନାଟ୍ୟ ଓ ଗୀତାଭିନୟସବୁ ପରିବେଷଣ କରି ସେ ଓଡ଼ିଆ ଜନତାର ମନୋରଂଜନ କରିବାକୁ ସମର୍ଥ ହୋଇପାରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ବିଂଶ ଶତାବ୍ଦୀର ଅନ୍ତିମ ଭାଗରେ ତଥା ଏକବିଂଶ ଶତାବ୍ଦୀର ଦ୍ୱାରଦେଶରେ ଉପନୀତ ହୋଇ ମଧ୍ୟ ଆଧୁନିକ ପ୍ରେକ୍ଷାଳୟରେ ଅତ୍ୟାଧୁନିକ ନାଟକର ପରିବେଷଣ ସତ୍ତ୍ୱେ ଜଗନ୍ନାଥ ପାଣିଙ୍କ ଗୀତିନାଟ୍ୟର ଚମତ୍କାରିତା ତଥା ଲୋକପ୍ରିୟତା ଅଣୁମାତ୍ର କ୍ଷୁର୍ଣ୍ଣ ହୋଇନାହିଁ ।
ଜଗନ୍ନାଥ ପାଣି ସନ ୧୨୪୩ ସାଲ ବା ୧୮୩୬ ମସିହା ଏପ୍ରିଲ୍ ମାସ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିଲେ । ବହୁ ତପସ୍ୟାର ଫଳସ୍ୱରୂପ ପୁତ୍ରଟିଏ ଲାଭ ହୋଇଥିବାରୁ ପିତା ଭାଗବତ ଓ ମାତା ରଙ୍ଗବତୀ ଜଗନ୍ନାଥଙ୍କୁ ଅତ୍ୟନ୍ତ ଆଦର ଯତ୍ନରେ ଲାଳନ ପାଳନ କରିବାକୁ ଲାଗିଲେ ।
ପିତାମାତାଙ୍କର ସ୍ନେହ ସୌହାର୍ଦ୍ଦ୍ୟର ଆଧିକ୍ୟ ହେତୁ ଜଗନ୍ନାଥ ବୋଧହୁଏ ପାଠପଢ଼ାରେ ଆଦୌ ମନଯୋଗୀ ହୋଇପାରିଲେ ନାହିଁ । ଶୁଣାଯାଏ ବାଳକ ଜଗନ୍ନାଥ ବାରବର୍ଷ ବୟସ ପର୍ଯ୍ୟନ୍ତ ଚାହାଳିରେ ପାଠପଢ଼ି ମଧ୍ୟ ଓଡ଼ିଆ ବର୍ଣ୍ଣମାଳା ଆୟତ୍ତ କରିପାରି ନଥିଲେ । ଶୁଣାଯାଏ, ପିତାମାତା ଓ ଆତ୍ମୀୟସ୍ୱଜନଙ୍କ ନାନାଦି ତିରସ୍କାର ଓ କଟୁକ୍ତିର ଆଘାତରେ ନିଜ ପ୍ରତି ତାଙ୍କର ଭୀଷଣ ବିତୃଷ୍ଣା ଜନ୍ମିଲା ଏବଂ ବିଦ୍ୟାର୍ଜନ ନିମନ୍ତେ ସେ ପ୍ରତିଜ୍ଞାବଦ୍ଧ ହୋଇ ନିଜ ଗ୍ରାମସ୍ଥିତ ନଳେଶ୍ୱର ମହାଦେବଙ୍କ ମନ୍ଦିରରେ ପଞ୍ଚାକ୍ଷର ସରସ୍ୱତୀ ମନ୍ତ୍ର ଜପ କରିବାକୁ ଲାଗିଲେ । ଶେଷରେ ଦେବୀ ସରସ୍ଵତୀଙ୍କ ଅଭୟ ଏବଂ ନଳେଶ୍ଵର ଦେବଙ୍କ କୃପାଲାଭ କରି ମନ୍ତ୍ର, ଛାନ୍ଦ, ଅଳଙ୍କାର ଓ ସଂଗୀତ ପ୍ରଭୃତି ଏକବିଂଶ ବିଦ୍ୟାରେ ପାରଦର୍ଶିତା ଅର୍ଜନ କରିପାରିଥିଲେ । ସେତେବେଳକୁ କବି ଜଗନ୍ନାଥ ଚତୁର୍ଦ୍ଦଶ ବର୍ଷ ବୟସରେ ପଦାର୍ପଣ କରି ସାରିଥିଲେ ।
ସେ ସମୟରେ ସମଗ୍ର ଓଡ଼ିଶାରେ ଛାନ୍ଦ, ଚମ୍ପୁ, ଚୌପଦୀ ଆଦି ବେଶ୍ ଲୋକପ୍ରିୟତା ଲାଭ କରିଥିଲା । କବି ଜଗନ୍ନାଥ ପାଣି ତାଙ୍କର ପୂର୍ବସୁରୀ ଧନଞ୍ଜୟ ଭଂଜ, ନରସିଂହ ସେଣ, ଅର୍ଜୁନ ଦାସ, ଘନ ଭଂଜ, କବିସମ୍ରାଟ ଉପେନ୍ଦ୍ରଭଂଜ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ୟ ବଳଦେବ ରଥ ଓ ଗୋପାଳକୃଷ୍ଣ ଆଦି ରୀତିଯୁଗୀୟ କବିମାନଙ୍କର ପାଣ୍ଡିତ୍ୟପୂର୍ଣ୍ଣ ତଥା ସୁଲଳିତ ରଚନାବଳୀ ପ୍ରତି ଅତ୍ୟନ୍ତ ଅନୁରାଗୀ ହୋଇପଡ଼ିଲେ । ସେ କ୍ରମଶଃ ସାରସ୍ୱତ ଜ୍ଞାନର ଅଧିକାରୀ ହୋଇ ଖୁବ୍ ଅଳ୍ପ ସମୟ ମଧ୍ୟରେ ଅଳଙ୍କାର ଶାସ୍ତ୍ର, ବ୍ୟାକରଣ, ଅମରକୋଷ ଓ ଅନ୍ୟାନ୍ୟ ବହୁ ପୁରାଣଶାସ୍ତ୍ର ପଠନ ଅଭ୍ୟାସ ଆୟତ୍ତ କରିପାରିଥିଲେ । ଏତଦ୍ବ୍ୟତୀତ ଆଦିକବି ସାରଳା ଦାସଙ୍କ ଚଣ୍ଡୀପୁରାଣ, ମହାଭାରତ, ବିଲଙ୍କା ରାମାୟଣ, ଭକ୍ତକବି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ ଭାଗବତ, ବଳରାମ ଦାସଙ୍କ ଜଗମୋହନ ରାମାୟଣ, ପିତାମ୍ବର ଦାସଙ୍କ ନୃସିଂହ ପୁରାଣ ଓ ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ ଆଦି ଶାସ୍ତ୍ରପୁରାଣ ସବୁକୁ ଅଧ୍ୟୟନ କରି ଜଗନ୍ନାଥ ସାମଗ୍ରିକ ଭାବେ ସେ ସବୁର ଅର୍ଥ ଓ ତତ୍ତ୍ଵ ହୃଦୟଙ୍ଗମ କରିପାରିଥିଲେ । ଏ ସବୁ ଓଡ଼ିଆ ଶାସ୍ତ୍ର ପୁରାଣ ଆୟତ୍ତାଧୀନ ହେବାପରେ ସେ ଲେଖନୀ ଧାରଣ କରି କ୍ରମାଗତ ଭାବରେ କାବ୍ୟ କବିତା ଆଦି ରଚନା କରି ଚାଲିଲେ । ପୂର୍ବସୁରୀ କବିମାନଙ୍କ ପ୍ରଭାବରେ ବିଶେଷଭାବେ ପ୍ରଭାବିତ ହୋଇ ଏବଂ ସେହି ରୀତି ଅନୁସରଣ କରି ସ୍ୱୀୟ ସାଧନା ମାର୍ଗରେ ଅଗ୍ରସର ହେବା ପରେ ତାଙ୍କ ଲେଖନୀରୁ ଝରିପଡ଼ିଥିଲା ଅସୁମାରୀ କାବ୍ୟ, କବିତା, ଛାନ୍ଦ, ଚଉତିଶା, ଛାନ୍ଦନାଟ୍ୟ ଓ ଗୀତାଭିନୟ ।
ଲୋକକବି ଜଗନ୍ନାଥ ପାଣିଙ୍କର ସମୁଦାୟ ସାହିତ୍ୟକୃତି ଏ ଯାବତ୍ ଦୃଷ୍ଟିଗୋଚର ହୋଇନାହିଁ । ଶୁଣାଯାଏ, ତାଙ୍କ ରଚିତ ରାଶି ରାଶି କାବ୍ୟ କବିତା, ଜଣାଣ, ଭଜନ, ଚଉତିଶା, ପାଲା, ଲୀଳା, ସୁଆଙ୍ଗ, ଛାନ୍ଦନାଟ୍ୟ ମଧ୍ୟରୁ ଅନେକ ନଷ୍ଟବିନଷ୍ଟ ହୋଇଯାଇଥିବାବେଳେ ସଂରକ୍ଷଣ ଅଭାବରୁ ଅନେକ କୀଟଦଂଷ୍ଟ ହୋଇଯାଇଛି ଏବଂ ଅନେକ ଲେଖାର ସଠିକ୍ ସଂଧାନ ମିଳୁନାହିଁ ।
ଏଯାବତ୍ କବି ଜଗନ୍ନାଥ ପାଣିଙ୍କର ଯାହା ରଚନା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇଥିଲା ଏବଂ ଯାହା କବିଙ୍କ କନିଷ୍ଠ ପୌତ୍ର ଶ୍ରୀ ବ୍ରଜସୁନ୍ଦର ପାଣିଙ୍କଠାରୁ ପ୍ରାପ୍ତ ହୋଇଥିଲା, ତାହା ରାଜ୍ୟ ସଂସ୍କୃତି ବିଭାଗଦ୍ୱାରା ୩ଟି ଭାଗରେ ତିନିଖଣ୍ଡ ଗ୍ରନ୍ଥାବଳୀ ଆକାରରେ ପ୍ରକାଶିତ ହୋଇଛି । ପ୍ରଥମ ଖଣ୍ଡରେ ତାଙ୍କର ସତର ଗୋଟି ଛାନ୍ଦନାଟ୍ୟ ପ୍ରକାଶିତ ହୋଇଥିବାବେଳେ ୨ୟ ଖଣ୍ଡରେ କାବ୍ୟ, ଚୌପଦୀ, ଜଣାଣ, ଭଜନ ଓ ଗୋଟିଏ ପାଲା ପ୍ରକାଶିତ ହୋଇଛି ଏବଂ ତୃତୀୟ ଖଣ୍ଡରେ ଚାରିଗୋଟି ପାଲା, କବିଙ୍କ ରଚିତ ଅସଂପୂର୍ଣ୍ଣ ମହାଭାରତ ଓ କେଳାକେଳୁଣୀ ସୁଆଙ୍ଗ ଆଦି ପ୍ରକାଶ ପାଇଛି । ତାଙ୍କ ଲେଖା ଓ ଶୈଳୀ ପରବର୍ତ୍ତୀ ଅବସ୍ଥାରେ ଗଣକବି ବୈଷ୍ଣବ ପାଣିଙ୍କୁ ତାଙ୍କ ସାରସ୍ୱତ ସାଧନାରେ ବିଶେଷଭାବେ ପ୍ରଭାବିତ କରିଥିଲା । ବୈଷ୍ଣବ ପାଣି ତାଙ୍କ ଯାତ୍ରାଦଳ ଆରମ୍ଭ କାଳରେ ଜଗନ୍ନାଥ ପାଣିଙ୍କ ରଚିତ ମହୀରାବଣ ବଧ, ଦକ୍ଷଯଜ୍ଞ, ପାରିଜାତ ହରଣ ଓ ସୀତା ବନବାସ ଆଦି ତାଙ୍କର ପ୍ରଧାନ ସମ୍ବଳ ଥିଲା ବୋଲି ନିଜେ ସ୍ୱୀକାର କରିଯାଇଛନ୍ତି ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ