ଶ୍ରୀ ଜଗବନ୍ଧୁ ସିଂହ

ଆବିର୍ଭାବ :- ୧୫-୦୨-୧୮୭୬
ତିରୋଧାନ :- ୧୭-୦୫-୧୯୪୯
ଜନ୍ମସ୍ଥାନ :- ଭୁବନପୁର, ପୁରୀ

ଓଡ଼ିଆ ଭାଷାର ଜଣେ ବିଶିଷ୍ଟ ପ୍ରାବନ୍ଧିକରୂପେ ପରିଚିତ ଜଗବନ୍ଧୁ ସିଂହ ଆଧୁନିକ ପୁରୀ ଜିଲ୍ଲାର ନିମାପଡ଼ା ନିକଟବର୍ତ୍ତୀ ଭୁବନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଗୌରହରି ସିଂହ ଓ ମାତାଙ୍କ ନାମ ଚନ୍ଦ୍ରମଣି । ଆଇନ ବିଦ୍ୟାରେ ସ୍ନାତକ ଅର୍ଜନ କରି ମଧୁବାବୁଙ୍କ ପରାମର୍ଶରେ ସେ ପୁରୀରେ ଓକିଲାତି ଆରମ୍ଭ କରିଥିଲେ । ଓଡ଼ିଶାର ଇତିହାସ ଓ ପୁରାତତ୍ତ୍ଵକୁ ଆଧାର କରି ସେ ରଚନା କରିଥିଲେ ଅନେକ ପ୍ରବନ୍ଧ । ପରବର୍ତ୍ତୀ କାଳରେ ତାହା ‘ପ୍ରାଚୀନ ଉତ୍କଳ’ ଶୀର୍ଷକ ପୁସ୍ତକରେ ଦୁଇଟି ଭାଗରେ ସଂକଳିତ ହୋଇଥିଲା ଓ ବହୁ ଲୋକପ୍ରିୟତା ହାସଲ କରିଥିଲା । ପ୍ରାଚୀନ ଓଡ଼ିଶାର ବୈଶିଷ୍ଟ୍ୟ, ଓଡ଼ିଆ ଓ ସଂସ୍କୃତ ସାହିତ୍ୟ, ପୁରାଣ, ଜ୍ୟୋତିଷଶାସ୍ତ୍ର, ଶିକ୍ଷା, ଶିଳ୍ପ, ବାଣିଜ୍ୟ ଏବଂ ସଙ୍ଗୀତ ଉପରେ ଜଗବନ୍ଧୁ ରଚନା କରିଥିଲେ ‘ପ୍ରାଚୀନ ଉତ୍କଳ’ । ସଂସ୍କୃତ ଶ୍ଳୋକର ସରଳ ଅନୁବାଦ କରିବାରେ ଜଗନ୍ନାଥ ଦାସଙ୍କ ସାମର୍ଥ୍ୟ ପ୍ରମାଣ ନିମନ୍ତେ ମୂଳ ସଂସ୍କୃତ ଶ୍ଳୋକ “ନିଗମ କଳ୍ପତରୋର୍ଗଳିତଂ” ଶ୍ଳୋକର ଓଡ଼ିଆ ଅନୁବାଦ ଅଂଶ ଶ୍ରୀ ଜଗବନ୍ଧୁଙ୍କର ଏକ ଅବିସ୍ମରଣୀୟ କୀର୍ତ୍ତି ବୋଲି କହିବାକୁ ହେବ । ପବିତ୍ର ଧର୍ମଗ୍ରନ୍ଥ ଗୀତାର କର୍ମଯୋଗକୁ ଆଧାର କରି କର୍ମବିମୁଖ ପରାଧୀନ ମାନବକୁ କର୍ମପଥରେ ଅଗ୍ରସର କରାଇବା ଲକ୍ଷ୍ୟ ନେଇ ଶ୍ରୀ ଜଗବନ୍ଧୁଙ୍କ ରଚନା କରିଥିଲେ ‘କର୍ମଫଳ’ ଓ ‘ଧର୍ମବଳ’ ଶୀର୍ଷକ ଦୁଇଟି ସୁନ୍ଦର ତଥା ଶିକ୍ଷଣୀୟ ପ୍ରବନ୍ଧ । ବାସ୍ତବରେ ଜଗବନ୍ଧୁ ସିଂହଙ୍କ ପରି ଓଜସ୍ଵୀ ସାରସ୍ଵତ ସାଧକଙ୍କ ପାଇଁ ଓଡ଼ିଶା ଗର୍ବିତ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll