ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ

ଆବିର୍ଭାବ :- ୦୮-୦୨-୧୯୦୦
ତିରୋଧାନ :- ୨୩-୦୮-୧୯୩୮
ଜନ୍ମସ୍ଥାନ :- ଜଗଦଳପୁର, ଛତିଶଗଡ଼

ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତ ଅଧୁନା ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ତତ୍କାଳୀନ ବସ୍ତର ରାଜ୍ୟର ଜଗଦଳପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଡାନିଏଲ ସାବତ ଓ ମାତାଙ୍କ ନାମ ଥିଲା ମୋନିକା ସାବତ । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲିଯାଇଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲିଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ସେ ରହିଥିଲେ । ପରେ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ । ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ ସ୍ଵଳ୍ପଦିନ ପାଇଁ ଖୋର୍ଦ୍ଧାରେ ରହୁଥିଲେ ।

କୁନ୍ତଳାକୁମାରୀ ରେଭେନ୍ସା ବାଳିକା ବିଦ୍ୟାଳୟରେ ଶିକ୍ଷାଲାଭ କଲାପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ଅଧୁନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ । ସେ ସମୟରେ ନାରୀଶିକ୍ଷାର ପ୍ରସାର ନଥିଲା କହିଲେ ଚଳେ । ମାତ୍ର ତାଙ୍କର ଏହି ସଫଳତା ପଛରେ ତାଙ୍କ ମା’ଙ୍କର ପ୍ରତ୍ୟକ୍ଷ ପ୍ରୋତ୍ସାହନ ରହିଥିଲା । ମା’ ସର୍ବଦା ଚାହୁଁଥିଲେ ଝିଅ ଉଚ୍ଚଶିକ୍ଷିତ ହେଉ । କୁନ୍ତଳାକୁମାରୀ ଓଡ଼ିଆ ଭାଷା ଛଡ଼ା ବଙ୍ଗଳା, ଇଂରାଜୀ ଓ ବର୍ମା ଭାଷାରେ ବେଶ୍‍ ପାରଦର୍ଶିତା ଲାଭ କରିଥିଲେ । ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ ସେ କଟକରେ ରହି ଚିକିତ୍ସା ସେବା କରୁଥିଲେ । ତା’ ପରେ ସେ ନିଜେ ନିଜର ବ୍ୟବସାୟ ସେଇ କଟକରେ ହିଁ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍‌କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ । ଡଃ କୈଳାସ ଚନ୍ଦ୍ରଙ୍କୁ ବିବାହ ନିମନ୍ତେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ ମଧ୍ୟ ବିବାହ ସମ୍ଭବପର ହେଲା ନାହିଁ । ତା’ ପରେ ସେ ଆର୍ଯ୍ୟସମାଜୀ ହୋଇ ବ୍ରହ୍ମଚାରୀ କୃଷ୍ଣପ୍ରସାଦ ଦାସଙ୍କୁ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ ।

କୁନ୍ତଳାକୁମାରୀ ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ଆଜୀବନ ସ୍ୱରୋତ୍ତୋଳନ କରିଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ପୁରୁଷ-ମହିଳା ପ୍ରଭେଦ ବିରୁଦ୍ଧରେ ଲେଖା ହିଁ ତାଙ୍କୁ ଏକ ନୂତନ ପରିଚୟ ଦେଲା । ଏହାଛଡ଼ା ବିଧବା ବିବାହ ଓ ନାରୀ ସଶକ୍ତୀକରଣ ନିମନ୍ତେ ସେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ ।

ଓଡ଼ିଆ ପରି ହିନ୍ଦୀ ସାହିତ୍ୟରେ ମଧ୍ୟ କୁନ୍ତଳାକୁମାରୀ ବେଶ୍‍ ଲୋକପ୍ରିୟତା ହାସଲ କରିଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାଗୁଡ଼ିକ ସେ ସମ୍ପାଦନା କରିଥିଲେ ।  ଓଡ଼ିଆ ଭାଷାର ଉନ୍ନତି ଉଦ୍ଦେଶ୍ୟରେ ଦିଲ୍ଲୀରେ ସେ ‘ଭାରତୀ ତପୋବନ ସଂଘ’ ନାମରେ ଏକ ସମିତି ଗଢ଼ିଥିଲେ । ୧୯୨୫ ମସିହାରେ ‘ମହିଳା ବନ୍ଧୁ ସମିତି’ ତାଙ୍କୁ ‘ଉତ୍କଳଭାରତୀ’ ପଦବି ଅର୍ପଣ କରି  ସମ୍ମାନିତ କରିଥିଲା । କୁନ୍ତଳାକୁମାରୀ କାବ୍ୟକବିତା ସହ ବଳ୍ପ ମଧ୍ୟ ରଚନା କରିଛନ୍ତି ।  ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁଦିତ ହୋଇଛି ।


ରଚନାବଳୀ
ଶ୍ରାବ୍ୟ କବିତା

Copyright © 2024 Odia Virtual Academy. All rights reserved      Total Visitors-   1

scroll