ଶ୍ରୀ ଜ୍ଞାନୀନ୍ଦ୍ର ବର୍ମା

ଆବିର୍ଭାବ :- ୨୧-୦୨-୧୯୧୬
ତିରୋଧାନ :- ୧୯ଶ ଶତାବ୍ଦୀ
ଜନ୍ମସ୍ଥାନ :- କୁସୁପୁର, କଟକ

ଓଡ଼ିଆ ଭାଷା-ସାହିତ୍ୟର ଅଗ୍ରଣୀ ବ୍ୟକ୍ତିତ୍ୱ ଜ୍ଞାନୀନ୍ଦ୍ର ବର୍ମା ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ସୁପ୍ରସିଦ୍ଧ ବିରୁପା ନଦୀ ତଟବର୍ତ୍ତୀ କୁସୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବର୍ମାଙ୍କ ସାରସ୍ଵତ ସଂସାର ଉପରେ ନନ୍ଦକିଶୋର ବଳଙ୍କ ଉତ୍କୃଷ୍ଟ ଭାଷାଶୈଳୀ ଓ ଅଭୂତପୂର୍ବ ସାହିତ୍ୟ ସର୍ଜନାର ଗଭୀର ଛାପ ପଡ଼ିଥିଲା । ବର୍ମା ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ ଏବଂ ପରବର୍ତ୍ତୀ କାଳରେ ସାମ୍ବାଦିକତାକୁ ନିଜର ଜୀବିକାରୂପେ ଗ୍ରହଣ କରିଥିଲେ । ‘ସମାଜ’, ‘କଳିଙ୍ଗ’ ଓ ‘ନ୍ୟୁଜ ଅଫ ଦ ୱାର୍ଲ୍ଡ’ ଆଦି ଦୈନିକ ସମ୍ବାଦପତ୍ରର ସଂପାଦନା ସହିତ ସେ ସଂପୃକ୍ତ ରହିଥିଲେ । ସେ 'ଉତ୍କଳ ସାହିତ୍ୟ’ ପତ୍ରିକାର ନବପ୍ରସ୍ଥ ସଂପାଦନା କରିଥିଲେ । ବ୍ୟକ୍ତିଗତ ଜୀବନ ଓ ସାହିତ୍ୟ ସାଧନାରେ ମାୟାଧର ମାନସିଂହଙ୍କ ନିବିଡ଼ ସଂପର୍କରେ ସେ ଆସିଥିଲେ । ମାନସିଂହ ଶ୍ରୀ ବର୍ମାଙ୍କୁ ଜଣେ ସ୍ଵାଧୀନ ଚିନ୍ତକ ଭାବେ ସ୍ୱୀକୃତି ଦେଇଛନ୍ତି । ୧୯୩୫ ମସିହାରୁ ବର୍ମାଙ୍କ ଧାରାବାହିକ ସାଧନାର ପରିଚୟ ମିଳିଥିଲା । ସେ ହ୍ଵିଟମ୍ୟାନ, ଏଲିୟଟ୍ ଓ ଏଜରା ପାଉଣ୍ଡଙ୍କ କବିତାର  ଅନୁବାଦ କରିଥିଲେ ଏବଂ ବିବିଧ କାବ୍ୟକୃତିର ସର୍ଜନା କରିଥିଲେ । ତାଙ୍କ କାବ୍ୟକୃତି ଭିତରେ ‘କଲରେଇ ଫୁଲ’, ‘ବୋଲେ ହୁଁଟି’, ‘ଏକରାତ୍ରି’, ‘ଏକ ଛୋଟ ସହରର କାହାଣୀ’, ‘ଜ୍ଞାନୀନ୍ଦ୍ର କବିତାବଳୀ’, ‘ଜୟଦେବର ନୂତନ କବିତା’, ‘ବୃହନ୍ନଳା ଓ ଚନ୍ଦ୍ରର ଫସିଲ’, 'ରେନାଂସା ଓ ଡିକାଡେନ୍‍ସର ଏପିକ୍’, ‘ଅନନ୍ୟ ପରିକ୍ରମା’ ଓ ‘ଉତ୍ତରକ୍ରାନ୍ତି’ ଆଦି ପ୍ରଧାନ । ପ୍ରଥମରୁ ସେ ଥିଲେ ରୋମାଣ୍ଟିକ୍ ଶିଳ୍ପୀ । ‘ସୀମାରେଖା’ କବିତାରେ ସେ ପରଂପରା ଓ ଆଧୁନିକତାର ଦ୍ଵନ୍ଦ୍ଵକୁ ଲକ୍ଷ୍ୟ କରିଥିଲେ । ‘କଲରେଇ ଫୁଲ’  ଓ ‘ବୋଲେ ହୁଁଟି’ ଲୋକସଂସ୍କୃତିଭିତ୍ତିକ ଦୁଇଟି କାବ୍ୟ-ନାଟିକା । ମାର୍କ୍ସଚେତନା ସହିତ ଯୌନାବେଗ ଏହାର ପୃଷ୍ଠଭୂମି ବୋଲି କହିବା ବାହୁଲ୍ୟ ହେବ । ଦ୍ୱିତୀୟ ପୃଥିବୀ ମହାସମରର ଘନଘଟା ଭିତରେ ଲୋକସଂସ୍କୃତିର କଥା-କାହାଣୀ ଭିତରୁ କବି ଏହା ଆବିଷ୍କାର କରିବା ତାତ୍ପର୍ଯ୍ୟପୂର୍ଣ୍ଣ । ତେବେ ସେ ପରଂପରାର ନିର୍ବିଚାର ଅନୁସରଣ ନକରି, ପରିବର୍ତ୍ତନ ମାଧ୍ୟମରେ ସ୍ଵକୀୟ ମୌଳିକତା, ମନନଧର୍ମିତା ଓ ଆଧୁନିକତାର ପରିଚୟ ଦେଇଥିଲେ । ତାଙ୍କର ‘ଏକରାତ୍ରି’ ଓ ‘ଜ୍ଞାନୀନ୍ଦ୍ର କବିତାବଳୀ’ର ପ୍ରଥମଭାଗ ‘ପୂର୍ବକବିତା’ରେ 'ଯୌବନପୂଜା' ଏକ ସ୍ଵତନ୍ତ୍ର ରଚନା । କବିତାରେ ନାରୀର ବିଭିନ୍ନ ରୂପକଳ୍ପ ନାନାଭାବେ ଫୁଟିଉଠିଛି । ‘ପ୍ରିୟାର ଗାଁ’ ତାଙ୍କର ଏକ ସାର୍ଥକ ପଲ୍ଲୀଚେତନା-ଭିତ୍ତିକ କବିତା । ଓଡ଼ିଆ କବିତାରେ ସମକାଳୀନ ଯୁଗ ଥିଲା ମାର୍କ୍ସବାଦୀ ବାସ୍ତବତାର ଯୁଗ । ବର୍ମାଙ୍କ ବହୁ କବିତାରେ ଏହାର ସ୍ପଷ୍ଟ ମୁଦ୍ରାଙ୍କନ ରହିଛି । ବାସ୍ତବ ଅନୁଭୂତି ଭିତ୍ତିରେ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ଛୋଟ ସହର ସମ୍ବଲପୁରରେ ଗରିବ ଓ ଆଦିବାସୀମାନଙ୍କ ଉପରେ ଶୋଷଣଜନିତ ସମସ୍ୟା ଓ ସଙ୍କଟ ଆଦିକୁ ଭିତ୍ତି କରି ସେ 'ଏକ ଛୋଟ ସହରର କାହାଣୀ' ଲେଖିଥିଲେ ।  ଗଙ୍ଗାଧର ମେହେରଙ୍କ ପୌରାଣିକ ପରମ୍ପରାର ମୌନ ପ୍ରତିବାଦ ଭାବରେ ଏହାକୁ ଗ୍ରହଣ କରାଯାଇପାରେ । ଜ୍ଞାନୀନ୍ଦ୍ର କବିତାବଳୀ ଅନ୍ତର୍ଗତ ‘ଉତ୍ତର କବିତା’ର ‘ବୁଦ୍ଧଂ ଶରଣଂ’, ‘ଧୂସର ନାୟିକା’, ‘କବିତାର ଆତ୍ମା’, ‘ବ୍ୟଥିତ ଆଷାଢ଼’, ‘ଲିରିକ୍, ‘ବାମପଥ’, ‘ମୂର୍ତ୍ତି ଓ ମନ୍ଦିର’, ‘ଜଡ଼ବାଦ’, ‘ପାରାଦୀପ’, ‘ଚାରଣ କବିର ମୃତ୍ୟୁ’, ‘ଆତ୍ମାର କବିତା’, ‘ଅତୀତର ମାୟା’ ଏବଂ ‘ବୁଦ୍ଧ ଓ କାର୍ଲ ମାର୍କ୍ସ’ ଆଦି ବହୁ କବିତା ବୈପ୍ଳବିକତା, କବିବୋଧ, ଆଧୁନିକତା ଓ ପରୀକ୍ଷାଧର୍ମିତାର ପରିଚାୟକ । କାର୍ଲମାର୍କ୍ସ ଓ ଭୌତିକବାଦଦ୍ୱାରା ସେ ନିବିଡ଼ ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ପରମ୍ପରା ଓ ସାମାଜିକ ବାସ୍ତବତାରୁ ଦୂରେଇଯାଇନଥିଲେ । ‘କଳାପାହାଡ଼’, ‘ହିରଣ୍ୟକଶିପୁ’ ଓ ‘ଚନ୍ଦ୍ରସେଣାର ବାର୍ତ୍ତା’ ଆଦି କବିତା ଇତିହାସ ଓ ମିଥ୍‍ର ନବମୂଲ୍ୟାୟନ ପ୍ରବୃତ୍ତି ଭିତରୁ ଜନ୍ମଗ୍ରହଣ କରିଛି । ‘ହିରଣ୍ୟକଶିପୁ’ କବିତାରେ ବାସ୍ତବବାଦ ପରିପ୍ରେକ୍ଷୀରେ ସେ ହିରଣ୍ୟକଶିପୁ ଚରିତ୍ରର ଆଲେଚନା କରିଥିବାବେଳେ ‘ଚନ୍ଦ୍ରସେଣାର ବାର୍ତ୍ତା’ରେ ଚନ୍ଦ୍ରସେଣାର ପୌରୁଷ ଦାବି ନୂତନ ଭାବଚେତନାର ସୂଚନା ପ୍ରଦାନ କରିଛି । ‘ପ୍ରମିଳାର ସ୍ମୃତି’ ତାଙ୍କର ଏକମାତ୍ର କନ୍ୟାର ମୃତ୍ୟୁରେ ରଚିତ ଏକ ଶୋକଗୀତି । କେତେକ କବିତାରେ ସାମ୍ବାଦିକତାସୁଲଭ ବାର୍ତ୍ତାଧର୍ମିତା ଯୋଗୁଁ ସାବଲୀଳତାର ଅଭାବ ପରିଦୃଷ୍ଟ ହୁଏ । ଜ୍ଞାନୀନ୍ଦ୍ର ବର୍ମା କାଳିଦାସଙ୍କ 'ମେଘଦୂତ' ଅନୁବାଦ କରିଥିଲେ । କିନ୍ତୁ କବିତା କ୍ଷେତ୍ରରେ ତାଙ୍କର ଉତ୍ତର ପର୍ଯ୍ୟାୟରେ ସୃଷ୍ଟି ହୋଇଥିବା କାବ୍ୟଗୁଡ଼ିକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଜୟଦେବର ନୂତନ କବିତାଠାରୁ ଉତ୍ତରକ୍ରାନ୍ତି ଓ ଅନ୍ୟାନ୍ୟ ପରିକ୍ରମା ଆଦି ଗ୍ରନ୍ଥ ଆଧୁନିକ କବିତାରେ ପ୍ରତିଷ୍ଠିତ ଦୀର୍ଘ କବିତାର ଏକ ଏକ ଦୃଷ୍ଟାନ୍ତ ବୋଲି କହିବା ବାହୁଲ୍ୟ । ଜ୍ଞାନୀନ୍ଦ୍ର ବର୍ମାଙ୍କର ଦଶଟିରୁ ଅଧିକ ଉପନ୍ୟାସ ରହିଛି । ସେଗୁଡ଼ିକ ମଧ୍ୟରୁ ‘ଶତାବ୍ଦୀର ସ୍ଵପ୍ନଭଙ୍ଗ’, 'ଲାଲଘୋଡ଼ା', 'ଭୂମିକା', 'ଜୀବନ ଛନ୍ଦ', 'ତନୁ ଓ ଅତନୁ', 'ଶେଷ ଅଭିସାର', 'ଅପରାହ୍ନର ଆକାଶ', 'ଅରଣ୍ୟର ଜୁଜ୍‌ଝଟିକା’, 'ତିନୋଟି ହୃଦୟର କାହାଣୀ' ଓ 'ତମସୋ ମାଂ ଜ୍ୟୋତିର୍ଗମୟ' ଇତ୍ୟାଦି ବେଶ୍‍ ଲୋକପ୍ରିୟ । ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟର ପରିବେଶ ଓ ପୃଷ୍ଠଭୂମିରେ ଏହି ଉପନ୍ୟାସଗୁଡ଼ିକ ରଚିତ । କଥାବସ୍ତୁ, ଚରିତ୍ରଚିତ୍ରଣ ଓ ଭାଷାଶୈଳୀ ଦୃଷ୍ଟିରୁ ତାଙ୍କ ଉପନ୍ୟାସଗୁଡ଼ିକ ସାର୍ଥକ ସୃଷ୍ଟି ରୂପେ ବିବେଚିତ ହୋଇଛି । ତେବେ 'ଭୂମିକା' ତାଙ୍କର ଶ୍ରେଷ୍ଠ ଉପନ୍ୟାସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ‘ସ୍ଵର୍ଣ୍ଣଯୁଗର ସନ୍ଧ୍ୟା’ ବର୍ମାଙ୍କର ପୁରସ୍କୃତ ନାଟକ । ଏହା ବୌଦ୍ଧ ସଂସ୍କୃତିକୁ ନେଇ ସୃଷ୍ଟି । ସେ କେତେକ ବୈପ୍ଳବିକ ଲୋକପ୍ରିୟ ପ୍ରବନ୍ଧ ମଧ୍ୟ ରଚନା କରିଥିଲେ ।


ରଚନାବଳୀ
ପ୍ରବନ୍ଧ

Copyright © 2024 Odia Virtual Academy. All rights reserved      Total Visitors-   1

scroll