କବିସୂର୍ଯ୍ୟ ବଳଦେବ ରଥ

ଆବିର୍ଭାବ :- ୧୭ଶ ଶତାବ୍ଦୀ
ତିରୋଧାନ :- ୧୮ଶ ଶତାବ୍ଦୀ
ଜନ୍ମସ୍ଥାନ :- ବଡ଼ଖେମୁଣ୍ଡି ଗଡ଼, ଗଞ୍ଜାମ

ଓଡ଼ିଆ ସାହିତ୍ୟରେ ଚମ୍ପୂ, ଚଉପଦୀ ଏବଂ ଚଉତିଶା ତଥା ଉଚ୍ଚକୋଟୀର ସାମାଜିକ-ବ୍ୟଙ୍ଗ କବିତା ପାଇଁ ପ୍ରସିଦ୍ଧ ରୀତିଯୁଗର ବିଶିଷ୍ଟ କବି କବିସୂର୍ଯ୍ୟ ବଳଦେବ ରଥ ୧୭୮୯ ମସିହାରେ ଆଧୁନିକ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି (ବର୍ତ୍ତମାନର ଦିଗପଯଣ୍ଡି)ରେ ଜନ୍ମଗ୍ରହଣ କରିଥିଲେ ।  ପିତାଙ୍କ ନାମ କବିରାଜ ବ୍ରହ୍ମା ଉଜ୍ଜ୍ୱଳ ରଥ । ଦଶବର୍ଷ ବୟସରେ ମାତୃବିୟୋଗ ଘଟିବାରୁ ଆଠଗଡ଼ ନିବାସୀ ତାଙ୍କ ଅଜା ତ୍ରିପୁରାରୀ ମିଶ୍ରଙ୍କଦ୍ୱାରା ସେ ପ୍ରତିପାଳିତ ହୋଇଥିଲେ, ଯିଏକି ତାଙ୍କୁ ଉଭୟ ଓଡ଼ିଆ ଓ ସଂସ୍କୃତରେ ଉପଯୁକ୍ତ ଶିକ୍ଷାଦାନ କରିପାରିଥିଲେ । ପନ୍ଦର ବର୍ଷ ବୟସରେ ଉଭୟ ଭାଷାରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରିବା ସହ ବଳଦେବ ପୁରାଣଶାସ୍ତ୍ର ଏବଂ ସମସାମୟିକ ସାହିତ୍ୟ ଅଧ୍ୟୟନ କରି  ଉଚ୍ଚକୋଟୀର ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ । ସଂସ୍କୃତ ଏବଂ ଓଡ଼ିଆରେ ଭକ୍ତି- ଓ ରତିରସାତ୍ମକ ଅଗଣିତ ଚମ୍ପୂ ଓ ଚଉପଦୀ ସୃଷ୍ଟି କରି ଓଡ଼ିଶାର ଜନ-ଭାବନାରେ ନୂତନ ରସର ତରଙ୍ଗ ସୃଷ୍ଟି କରିଥିଲେ । ପନ୍ଦର ବର୍ଷ ବୟସରେ ତାଙ୍କର ବିବାହ ସଂପନ୍ନ ହୋଇଥିଲା । ପିତାଙ୍କ ମୃତ୍ୟୁ ପରେ ସେ ନିକଟବର୍ତ୍ତୀ ଜଳନ୍ତର ରାଜ୍ୟକୁ ଚାଲିଯାଇଥିଲେ ।  ଜଳନ୍ତରର ରାଜା ରାମଚନ୍ଦ୍ର ଛୋଟରାୟ ତାଙ୍କ କବିପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ‘କବିସୂର୍ଯ୍ୟ’ ଉପାଧିରେ ଭୂଷିତ କରିଥିଲେ ।

କବିସୂର୍ଯ୍ୟ ଓଡ଼ିଶୀ ସଂଗୀତରେ ଗଭୀର ଜ୍ଞାନାର୍ଜନ କରିଥିବାରୁ ତଦନୁସାରେ ରାଗ, ତାଳ ଓ ଲୟରେ ଓଡ଼ିଆ ଚମ୍ପୂମାନ ରଚନା କରିଥିଲେ । ରାଧା-କୃଷ୍ଣ ମିଳନ ବିରହ ଉପରେ ଆଧାରିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ହେଉଛି ତାଙ୍କର ବିଶେଷ କୃତି । ଏହାକୁ ସେ ସଂସ୍କୃତରେ ମଧ୍ୟ ଲେଖିଥିଲେ । ଏହି ଚମ୍ପୂ ହେଉଛି ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ନୃତ୍ୟର ଆଧାରଶୀଳା । ଏହାଛଡ଼ା ତାଙ୍କର ଆଉ ଦୁଇଟି ଚମ୍ପୂ ସଂଗ୍ରହ ହେଉଛି ରତ୍ନାକର ଚମ୍ପୂ ଓ ପ୍ରେମୋଦୟ ଚମ୍ପୂ । ତାଙ୍କ ଲିଖିତ ଶହ ଶହ ଚଉପଦୀ, ଚଉତିଶା, ଭକ୍ତି ସଂଗୀତ, ଭଜନ, ଜଣାଣ ଓ ବ୍ୟଙ୍ଗ କବିତା କବିସୂର୍ଯ୍ୟ ଗ୍ରନ୍ଥାବଳୀ ଏବଂ କବିସୂର୍ଯ୍ୟ ଗୀତାବଳୀରେ ଅନ୍ତର୍ଭୁକ୍ତ ହୋଇଅଛି । କିଶୋରଚନ୍ଦ୍ରାନନ୍ଦ ଚମ୍ପୂ, ସର୍ପ ଜଣାଣ ଭଳି ଉଚ୍ଚକୋଟୀର ଜଣାଣ, ଜଗତେ କେବଳ ଜନେ ହସିବେ ଭଳି ପ୍ରଭାବଶାଳୀ ବ୍ୟଙ୍ଗ କବିତା, ଏବଂ ହାସ୍ୟକଲ୍ଲୋଳ ଭଳି ଗଦ୍ୟ ରଚନା କରି ସେ ଚିରଞ୍ଜୀବୀ ହୋଇ ରହିଛନ୍ତି ଓଡ଼ିଶାର ଅଗଣିତ ଜନମାନସରେ ।

ଢୁମ୍ପା ଗୀତ ହେଉଛି କବିସୂର୍ଯ୍ୟଙ୍କ ସାହିତ୍ୟ ସାଧନାର ଅନବଦ୍ୟ ସିଦ୍ଧି । ଏହାର ବାଦ୍ୟ ଓ ସଙ୍ଗୀତର ଶୈଳୀ ମଧ୍ୟ ଅନବଦ୍ୟ । ସେ ସମୟରେ ଚମ୍ପୂ ଭଳି ଏହି ଗୀତ ଖୁବ୍‍ ଲୋକପ୍ରିୟ ହୋଇପାରିଥିଲା । ପରବର୍ତ୍ତୀ ସମୟରେ ନୟାଗଡ଼ ଅନ୍ତର୍ଗତ ଖଣ୍ଡପଡ଼ା ଗଡ଼ର ପଠାଣି ସାମନ୍ତଙ୍କ ପୁତ୍ର ଗଦାଧର ସିଂହ ସାମନ୍ତ ବହୁ ଢୁମ୍ପା ଗୀତ ରଚନା କରି ପ୍ରସିଦ୍ଧି ଅର୍ଜନ କରିଥିଲେ ।  

ଜନଶ୍ରୁତି ଅଛି ଯେ ଦାରୁଣ ବସନ୍ତ ରୋଗରେ ପଡ଼ି ୧୮୪୫ ମସିହାରେ ସେ ଆଠଗଡ଼ରେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କ ସ୍ମୃତିରେ ଗଞ୍ଜାମ ଜିଲ୍ଲାର ତତ୍‍କାଳୀନ ବୋଇରାଣୀକୁ କବିସୂର୍ଯ୍ୟ ନଗରଭାବେ ନାମିତ କରାଯାଇଛି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll