ଶ୍ରୀମତୀ ଆଶାପୂର୍ଣ୍ଣା ଦେବୀ

ଆବିର୍ଭାବ :- ୦୮-୦୧-୧୯୦୯
ତିରୋଧାନ :- ୧୨-୦୭-୧୯୯୫
ଜନ୍ମସ୍ଥାନ :- ପୋଟଳଡଙ୍ଗା, କଲିକତା

ସାହିତ୍ୟ ସାଧିକା ଶ୍ରୀ ଆଶାପୂର୍ଣ୍ଣା ଦେବୀ ୧୯୦୯ ମସିହା ଜାନୁଆରୀ ୮ ତାରିଖରେ ତତ୍କାଳୀନ କଲିକତା ଅନ୍ତର୍ଗତ ପୋଟଳଡଙ୍ଗା ଗ୍ରାମରେ ଏକ ବୈଦ୍ୟ ପରିବାରରେ ପିତା ହରେନ୍ଦ୍ର ନାଥ ଗୁପ୍ତା ଏବଂ ମାତା ସରଳା ସୁନ୍ଦରୀ ଦେବୀଙ୍କ ସୁଯୋଗ୍ୟ ସନ୍ତତି ରୂପେ ଭୂମିଷ୍ଠ ହୋଇଥିଲେ । ଏକ ରକ୍ଷଣଶୀଳ ପରିବେଶରେ ତାଙ୍କର ବାଲ୍ୟକାଳ ଅତିବାହିତ ହୋଇଥିଲା । କନ୍ୟା ସନ୍ତାନଙ୍କୁ ଶିକ୍ଷାଦାନକୁ ବିରୋଧ କରୁଥିବା ତତ୍କାଳୀନ ରୂଢିବାଦୀ ସମାଜର ଆକ୍ରୋଶର ଶିକାର ଫଳରେ ସେ ବାଲ୍ୟଶିକ୍ଷାରୁ ବଞ୍ଚିତ ହୋଇଥିଲେ । ମାତ୍ର ଶିଶୁ ଆଶାପୂର୍ଣ୍ଣା ତାଙ୍କ ଭାଇମାନଙ୍କଠୁ ଦେଖି ଶୁଣି ଅକ୍ଷର ଶିଖିଥିଲେ । ଆଶାପୂର୍ଣ୍ଣାଙ୍କ ପିତା "ହରେନ୍ଦ୍ର ନାଥ ଗୁପ୍ତା" କାଠ ଆସବାବପତ୍ରର ଡିଜାଇନର ଥିବା ବେଳେ ତାଙ୍କ ମା’ ସରଳା ସୁନ୍ଦରୀ ଜଣେ ପୁସ୍ତକପ୍ରେମୀ ମହିଳା ଥିଲେ । ମା'ଙ୍କ ପୁସ୍ତକ ପଢିବା ଅଭ୍ୟାସ ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀମାନଙ୍କୁ ବିଦ୍ୟାର୍ଜନ ପାଇଁ ପରୋକ୍ଷରେ ଉତ୍ସାହିତ କରିଥିଲା । ଧରାବନ୍ଧା ସ୍କୁଲ ଶିକ୍ଷା ଲାଭ କରିନଥିବା ସତ୍ତ୍ୱେ  ପିଲାଲାଦିନରୁ ଆଶାପୂର୍ଣ୍ଣା ସବୁପ୍ରକାର ବହି ପଢିଥିଲେ । ସେ ନିଜେ ଅକ୍ଷର ଶିଖି ବହି ପଢୁଥିଲେ । ଆଶାପୂର୍ଣ୍ଣାଙ୍କ କୈଶୋର କାଳ ନାନା ଅସ୍ଥିରତା ମଧ୍ୟରେ ବିତିଥିଲା । ସେ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ସ୍ୱାଧିନତା ସଂଗ୍ରାମ ଚାଲିଥିଲା । ୧୯୨୨ ମସିହାରେ ଆଶାପୂର୍ଣ୍ଣା "ବାଇରେର ଡାକ" ନାମକ ସ୍ଵରଚିତ କବିତା "ଶିଶୁ ସାଥୀ" ପତ୍ରିକାରେ ପ୍ରକାଶିତ ହୋଇଥିଲା । କବିତାର ମାଧୁର୍ଯ୍ୟରେ ମୋହିତ ହୋଇ ପତ୍ରିକାର ସମ୍ପାଦକ ରାଜକୁମାର ଚକ୍ରବର୍ତ୍ତୀ ତାଙ୍କୁ ପୁନଶ୍ଚ କବିତା ଲିଖନ ପାଇଁ ଅନୁପ୍ରାଣିତ କରିଥିଲେ । ଏହିପରି ଆଶାପୂର୍ଣ୍ଣାଙ୍କର କବୟିତ୍ରୀ ଜୀବନର ଆରମ୍ଭ ହୋଇଥିଲା । ୧୯୨୪ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଆଶାପୂର୍ଣ୍ଣା କାଳିଦାସ ଗୁପ୍ତାଙ୍କ ସହ ବୈବାହିକ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହପରେ ସେ ବହୁ ଘର ବଦଳେଇବା ପରେ ପ୍ରଥମେ ଭବାନୀପୁର ଓ ପରେ "ବେଲତାଲା ରୋଡ଼"ରେ ସ୍ଥାୟୀ ଭାବରେ ବସତି ସ୍ଥାପନ କରି ୧୯୬୦ ମସିହା ଯାଏଁ ରହିଥିଲେ । ବୟସର ଅପରାହ୍ନରେ ସେ ନିଜ ପୁତ୍ର ସୁଶାନ୍ତ, ବୋହୁ ନୂପୁର ଓ ନାତୁଣୀ ଶତରୂପାଙ୍କ ସହ "ଗୋଲପାର୍କ"ରେ ରହିବା ଆରମ୍ଭ କରିଥିଲେ । ୧୯୬୭ ମସିହାରେ ଶତଦୀପା ନାମରେ ତାଙ୍କର ଆଉ ଏକ ନାତୁଣୀ ହୋଇଥିଲା । ୧୯୭୦ ମସିହାରେ ଗରିଆଠାରେ ସେମାନେ ନିଜ ଘରକୁ ଚାଲି ଯାଇଥିଲେ ଓ ଆଶାପୂର୍ଣ୍ଣା ୧୯୯୫ ମସିହାରେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ସେହି ଘରେ ରହିଥିଲେ । କହିବା ବାହୁଲ୍ୟ ଯେ "ବାଇରେର ଡାକ" ତାଙ୍କର ପ୍ରଥମ କବିତା ଥିଲା । ଏହାପରେ ସେ ଆଜୀବନ ସାହିତ୍ୟ ସାଧନାରେ ବ୍ରତୀ ହୋଇ ୨୪୨ଟି ଛୋଟ ବଡ଼ ଉପନ୍ୟାସ, ୩୭ଟି କବିତା ସଂଗ୍ରହ ଓ ୬୨ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଥିଲେ । ଏହାଛଡ଼ା ସେ ୩୦୦୦ରୁ ଅଧିକ କ୍ଷୁଦ୍ରଗଳ୍ପ ଲେଖିଥିଲେ । ଲେଖାଲେଖି ଆରମ୍ଭବେଳକୁ ଆଶାପୂର୍ଣ୍ଣା କେବଳ ଶିଶୁମାନଙ୍କ ପାଇଁ ଲେଖୁଥିଲେ । ୧୯୩୮ ମସିହାରେ ପ୍ରକାଶ ପାଇଥିବା "ଛୋଟ ଠାକୁରଦାର କାଶୀ ଯାତ୍ରା" ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ୧୯୩୬ ମସିହାରେ ସେ ପ୍ରାପ୍ତବୟସ୍କମାନଙ୍କ ପାଇଁ ପ୍ରଥମ ଗଳ୍ପ "ପତ୍ନୀ ଓ ପ୍ରେୟସୀ" ଲେଖିଥିଲେ ଓ ଏହା "ଆନନ୍ଦ ବଜାର ପତ୍ରିକା"ର ପୂଜା ସଂକଳନରେ ପ୍ରକାଶ ପାଇଥିଲା । ୧୯୪୪ରେ ତାଙ୍କର ପ୍ରଥମ ପ୍ରାପ୍ତବୟସ୍କମାନଙ୍କ ଉପନ୍ୟାସ "ପ୍ରେମ ଓ ପ୍ରୟୋଜନ" ପ୍ରକାଶ ପାଇଥିଲା । ସାମାଜିକ ଅନ୍ୟାୟ, ଲିଙ୍ଗ ବୈଷମ୍ୟ ଓ ସଙ୍କୀର୍ଣ୍ଣତା ବିରୋଧରେ ସେ ନିଜ ଲେଖା ମାଧ୍ୟମରେ ସ୍ଵରୋତ୍ତଳନ କରିଥିଲେ । ତାଙ୍କ ପୁସ୍ତକ "ପ୍ରଥମ ପ୍ରତିଶୃତି" (୧୯୬୪), ସୂବର୍ଣ୍ଣଲତା (୧୯୬୭), ଓ "ବକୁଳ କଥା" (୧୯୭୪)ରେ ସେ ସ୍ତ୍ରୀମାନଙ୍କର ମାନବାଧିକାର ସଂଘର୍ଷ ବିଷୟରେ ଲେଖିଥିଲେ । ନିଜର ଉଚ୍ଚକୋଟିର ସାହିତ୍ୟ ସାଧନା ପାଇଁ ସେ ସମ୍ମାନସ୍ପଦ ଲୀଳା ପୁରସ୍କାର-୧୯୫୪ (କଲିକତା ବିଶ୍ୱବିଦ୍ୟାଳୟ), ମୋହିନୀ ଦାସୀ ସ୍ୱର୍ଣ୍ଣ ପଦକ - ୧୯୬୬ (ଭୂଟାନ), ରେନ୍‍ଡ୍ରମ ମେମୋରିଆଲ ସମ୍ମାନ - ୧୯୬୬ (ପଶ୍ଚିମବଙ୍ଗ ସରକାର) ଜ୍ଞାନପୀଠ ପୁରସ୍କାର - ୧୯୭୬ (ପ୍ରଥମ ପ୍ରତିଶୃତି ପାଇଁ), ହାରାନାଥ ଘୋଷ ପୁରସ୍କାର - ୧୯୮୮ (ବଙ୍ଗୀୟ ସାହିତ୍ୟ ପରିଷଦ), ଜଗତାରିଣୀ ସ୍ୱର୍ଣ୍ଣ ପଦକ - ୧୯୯୩ (କଲିକତା ବିଶ୍ୱ ବିଦ୍ୟାଳୟ)ରେ ଆଭୂଷିତା ହୋଇଥିଲେ ।


ରଚନାବଳୀ
ଅନୁବାଦ

Copyright © 2024 Odia Virtual Academy. All rights reserved      Total Visitors-   1

scroll