ଆବିର୍ଭାବ :- ୧୩-୦୫-୧୯୧୩
ତିରୋଧାନ :- ୨୮-୦୮-୨୦୦୪
ଜନ୍ମସ୍ଥାନ :- Gurujang, Khurdha
ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଶ୍ରୀ ପ୍ରସନ୍ନ କୁମାର । ସେ ଓଡ଼ିଆ ସାହିତ୍ୟରେ କ୍ରାନ୍ତିକାରୀ ସ୍ରଷ୍ଟା ଭାବେ ପରିଚିତ । ଛାତ୍ର ଜୀବନରୁ ଗଡ଼ଜାତ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ଓ କୃଷକ ଆନ୍ଦୋଳନ ସହିତ ଯୋଗଦେଇଥିଲେ । ମହାତ୍ମାଗାନ୍ଧୀଙ୍କ ଜାତୀୟ ଆନ୍ଦୋଳନରେ ଯୋଗ ଦେଇ ସ୍କୁଲରୁ ମଧ୍ୟ ବିତାଡ଼ିତ ହୋଇଛନ୍ତି । ୧୯୬୨ ମସିହାରେ କର୍ମକ୍ଷେତ୍ର କଲିକତା ଛାଡ଼ି ଓଡ଼ିଶା ଆସି ଓ ମୃତ୍ୟୁ ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ସାହିତ୍ୟ ସାଧନା କରିଥିଲେ । କିଛିବର୍ଷ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦରେ ଅଳଙ୍କୃତ ହୋଇଥିଲେ ।
ସେ ତାଙ୍କ ଜୀବନକାଳରେ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ସେଗୁଡ଼ିକ ମଧ୍ୟରେ ୧୯୬୨ ମସିହାରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ସମ୍ମାନ, ‘କବିତା ୧୯୬୨’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୭ରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ୧୯୭୮ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍ ସମ୍ମାନ, ୧୯୮୬ରେ ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ‘ଜ୍ଞାନପୀଠ’, ୧୯୯୬ରେ ସାହିତ୍ୟ ଭାରତୀ ସମ୍ମାନ, ୧୯୮୮ରେ ବିଭୂତି ବନ୍ଦୋପାଧ୍ୟାୟ ସମ୍ମାନ, ୧୯୯୮ରେ ପ୍ରାଣନାଥ ସମ୍ମାନ, ୧୯୯୪ରେ ଉତ୍କଳରତ୍ନ ଉପାଧି, ୧୯୬୪ରେ ସୋଭିଏତ୍ ଲ୍ୟାଣ୍ଡ ନେହେରୁ ପୁରସ୍କାର ଓ ସମ୍ମାନ ପ୍ରଧାନ । ରାଉରକେଲା ଓ କଟକରେ ‘ମହାକବି’ ଭାବେ ସେ ସୁପରିଚିତ । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ଓ ଆତ୍ମଜୀବନୀ ଲେଖକ ।