ଶ୍ରୀ ଭଞ୍ଜକିଶୋର ପଟ୍ଟନାୟକ

ଆବିର୍ଭାବ :- ୧୩-୧୧-୧୯୨୨
ତିରୋଧାନ :- ୨୭-୧୧-୧୯୯୯
ଜନ୍ମସ୍ଥାନ :- ଛଣିପୁର, କଟକ

ପ୍ରଖ୍ୟାତ ନାଟ୍ୟକାର ଭଞ୍ଜକିଶୋର ପଟ୍ଟନାୟକ ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ଛଣିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସାଧୁଚରଣ ପଟ୍ଟନାୟକ ଓ ମାତାଙ୍କ ନାମ ସତ୍ୟଭାମା ଦେବୀ । ଶ୍ରୀ ପଟ୍ଟନାୟକ  ଏକାଧାରରେ ଜଣେ ଅଭିନେତା, କବି, ଔପନ୍ୟାସିକ ଏବଂ ନାଟ୍ୟକାର ଥିଲେ ଯାହାକି ତାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦିଏ । ସେ ତିରିଶରୁ ଅଧିକ ସଫଳ ଓ ଜନପ୍ରିୟ ନାଟକର ସ୍ରଷ୍ଟା । ବ୍ୟାବସାୟିକ ମଞ୍ଚର ସୁବର୍ଣ୍ଣଯୁଗରେ ସେ  ବେଶ୍ ଜନପ୍ରିୟ ଥିଲେ ।

ଭଞ୍ଜକିଶୋର ପଟ୍ଟନାୟକ ପ୍ରଗତିବାଦୀ ଚିନ୍ତାଧାରାର ମଣିଷ ଥିଲେ । ୧୯୩୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ସାମ୍ୟବାଦୀ କର୍ମୀ ସଂଘର ପ୍ରତିଷ୍ଠା, ୧୯୩୪ରେ  ‘ସାରଥି’ ପତ୍ରିକାର ପ୍ରକାଶନ, ୧୯୩୫ରେ ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠା, ୧୯୩୬ରେ ‘ଆଧୁନିକ’ ପତ୍ରିକାର ପ୍ରକାଶନ ଏବଂ ୧୯୩୮ରେ ‘କୃଷକ’ର ପ୍ରକାଶନ ସହ ସେ ସଂପୃକ୍ତ ଥିଲେ ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ବର୍ଷ ଭଞ୍ଜକିଶୋର ଲେଖିଥିଲେ ତାଙ୍କର ପ୍ରଥମ ନାଟକ ‘ଝଡ଼ ରାତି’ (ଅପ୍ରକାଶିତ) ।  ସେଥିରେ ସାମାଜିକ ପ୍ରତିବଦ୍ଧତାର ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳେ । କିନ୍ତୁ ତାହା ଏପର୍ଯ୍ୟନ୍ତ ଅପ୍ରକାଶିତ ରହିଛି । ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ହେଲାବେଳକୁ ତାଙ୍କ ରଚିତ ‘ଦେବୀ’ ଓ ‘ଗରିବ’ ନାଟକ ମଞ୍ଚସ୍ଥ ହୋଇଥିଲା । ଉଭୟ ନାଟକରେ ପୁଞ୍ଜିପତିଙ୍କ ଶୋଷଣ ଏବଂ ଆର୍ଥନୀତିକ ବୈଷମ୍ୟ ପରିବାରଗୁଡ଼ିକୁ କିପରି ଧ୍ୱସ୍ତବିଧ୍ୱସ୍ତ କରିଛି, ତାହାର ନିଖୁଣ ଚିତ୍ର ଏବଂ ପଲ୍ଲୀ ଜୀବନର ଆର୍ଥନୀତିକ ସଙ୍କଟ ବେଶ୍‍ ସୁନ୍ଦରଭାବେ ପ୍ରତିଫଳିତ ହୋଇଛି । ନୂତନ ଶୋଷଣପନ୍ଥୀ ଖଳନାୟକମାନଙ୍କର ଆବିର୍ଭାବ ‘ପହିଲି ରଜ’, ‘ସାଆନ୍ତ ଘର’ ଓ ‘ମାଣିକ ଯୋଡ଼ି’ ପ୍ରଭୃତି ନାଟକରେ ସୁନ୍ଦରଭାବେ ପ୍ରଦର୍ଶିତ ହୋଇଛି ।

‘ଆକାଶ ଯେଉଁଠି ମାଟି ଛୁଏଁ’ ଲେଖିଲାବେଳକୁ ଭଞ୍ଜକିଶୋର କେବଳ ସାମାଜିକ ସମସ୍ୟାର ଚିତ୍ର ଦେଇନଥିଲେ, ବରଂ ସମାଜ-ସଂସ୍କାରର ପନ୍ଥା ନିର୍ଦ୍ଦେଶ କରିଥିଲେ । ପାଶ୍ଚାତ୍ୟ ଶିକ୍ଷା ଓଡ଼ିଶାରେ ବହୁନାରୀ ସମ୍ଭୋଗର ଯେଉଁ ଆଦିମ ବୀଜଟି ବୁଣିଛି, ତାହାରି ଉପରେ ତାଙ୍କର ‘ଜୀବନ ଜୁଆ’ ନାଟକର ପରିକଳ୍ପନା । ଏହାର ନିଷ୍ଠୁର ପରିଣତି ସମ୍ପର୍କରେ ସମାଜକୁ ସେ ଜଣେଇଥିଲେ । ‘କୂଳବୋହୁ’ ନାଟକର ‘ସୁଭାଷୀ’, ‘ଦେବୀ’ ନାଟକର ‘ଦେବୀ’ ଏବଂ ‘ଏ ଯୁଗର ଝିଅ’ ନାଟକର ନାୟିକାମାନେ ନିଶ୍ଚିତଭାବେ ତତ୍କାଳୀନ ସାମାଜିକ ପ୍ରେକ୍ଷାପଟ୍ଟର ବିପ୍ଳବିଣୀ ଏବଂ ବିଭିନ୍ନ ପାରିବାରିକ ଓ ସାମାଜିକ ସମସ୍ୟାର ସାମ୍ନା କରି ବିଜୟିନୀ ହୋଇଥିବା କଥା ସେ ବର୍ଣ୍ଣନା କରିଛନ୍ତି । ‘ଏ ଯୁଗର ଝିଅ’ର ନାୟିକା ଅନୁପମା ଯୌତୁକ ବିରୋଧରେ ସଂଗ୍ରାମ କରି ଶ୍ଵଶୁରଘରକୁ ବୋହୂ ହୋଇ ଯିବାକୁ ପସନ୍ଦ କରିନି । ଅବିବାହିତା ରହି ପଲ୍ଲୀର ସାମାଜିକ ଉନ୍ନୟନ ପାଇଁ ସଂକଳ୍ପ ନେଇଛି ।  ସେହିପରି ‘ତୋଫାନ୍’ ନାଟକର ସାବିତ୍ରୀ ପୁରୁଷ ଜାତି ପ୍ରତି ପ୍ରତିହିଂସାପରାୟଣ ହୋଇଉଠିଛି ।

ମୋଟ ଉପରେ ଓଡ଼ିଶାର ଯେଉଁ ସାହିତ୍ୟିକ ପାଣିପାଗ ଭିତରେ ଭଞ୍ଜକିଶୋର ନାଟକ ବିଭାଗରେ ଲେଖନୀ ଚାଳନା କରିଛନ୍ତି, ସେଇ ପରିମଣ୍ଡଳରେ ଆଦର୍ଶବାଦୀ ଚରିତ୍ରଙ୍କ ସଂଖ୍ୟା ପ୍ରଚୁର । ‘ଜହର’ର ଜହର, ‘ବେନାମୀ’ର ସୀତାନାଥ, ‘ତୋଫାନ’ର ଚୁଡ଼ାମଣି, ‘ଜୟମାଲ୍ୟ’ର ବ୍ରଜ ଓ ‘ଅଗ୍ନିପରୀକ୍ଷା’ର ସାଗର ଆଦି ଚରିତ୍ରଙ୍କୁ ଲକ୍ଷ୍ୟ କଲେ ଜଣାଯାଏ, ତ୍ୟାଗ ଓ ଆଦର୍ଶକୁ ପାଥେୟ କରି ବହୁ ବ୍ୟକ୍ତିଗତ ଓ ସାମାଜିକ ସମସ୍ୟାର ସମାଧାନ କରାଯାଇପାରିବା ସମ୍ଭବ । ଭଞ୍ଜକିଶୋରଙ୍କ ନାଟକରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ପରେ ଓଡ଼ିଶାରେ ଘଟିଚାଲିଥିବା ବହୁ ସାମାଜିକ ସମସ୍ୟାର ଚିତ୍ର ମିଳିଥାଏ । ‘ଶିକାରୀ’ରେ ଜାଲ୍ ନୋଟ କାରବାର, ‘ସାଧବୀ’ରେ ଗୁପ୍ତଧନର ଲାଳସା ଏବଂ ଏ ସବୁର ପରିଣାମ ନିଖୁଣଭାବେ ଦର୍ଶାଯାଇଛି । ପଞ୍ଚମ ଦଶକର ଓଡ଼ିଶାରେ ଅଙ୍କୁରୋଦ୍‌ଗମ ହୋଇଉଠୁଥିବା ଅପରାଧ ପ୍ରବଣତାର ଚିତ୍ର ଏବଂ ‘ଦିଗ୍‌ଦର୍ଶନ’ରେ ସମକାଳୀନ ସମାଜରେ ଉତ୍କଟଭାବେ ବଢୁଥିବା ବେକାରି ସୁନ୍ଦରଭାବେ ବର୍ଣ୍ଣିତ ହୋଇଛି । ଏଥିରେ ଉଚ୍ଚଶିକ୍ଷିତ ବେକାର ଯୁବକର ସ୍ଵାଭିମାନ ଏବଂ ବଞ୍ଚିବାର ପନ୍ଥାଗୁଡ଼ିକ ମଧ୍ୟରେ ଘଟୁଥିବା ଦ୍ଵନ୍ଦ୍ୱର ଚିତ୍ରଣ ଅନୁଭବ୍ୟ । ତାଙ୍କର ସମସ୍ତ ନାଟକ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇ ବହୁ ପ୍ରଶଂସା ଅର୍ଜନ କରିଥିଲା ।

ଭଞ୍ଜକିଶୋରଙ୍କ ଏକାଙ୍କିକାଗୁଡ଼ିକ ମଧ୍ୟରେ ରହିଛି– ବାଣ ହରଣ, ଅଗ୍ନି ପତଙ୍ଗ, କୋଣାର୍କ, ଘରଣୀ, ମାଇଲ୍‍ଖୁଣ୍ଟ ଓ ବାଜିରାଉତ ଇତ୍ୟାଦି ।

ତାଙ୍କ ନାଟକ ‘ମାଣିକ ଯୋଡ଼ି’କୁ ୧୯୬୩ ମସିହାରେ ଚଳଚ୍ଚିତ୍ରର ରୂପ ଦିଆଯାଇଥିଲା । ‘ରାଜା ହରିଶ୍ଚନ୍ଦ୍ର’ ଓ ‘ଜୀବନସାଥୀ’ ଚଳଚ୍ଚିତ୍ର ପାଇଁ ସେ ସଂଳାପ ରଚନା କରିଥିଲେ ।  

ଜଣେ ସଫଳ ନାଟ୍ୟକାରଭାବେ ଭଞ୍ଜକିଶୋରଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା  ।  


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll