କବି, ନାଟ୍ୟକାର ତଥା ସଂପାଦକ ବୈଷ୍ଣବ କବିଚନ୍ଦ୍ରଙ୍କ ପ୍ରକୃତ ନାମ ବୈଷ୍ଣବ ରଥ । ନିଜର ଉଚ୍ଚକୋଟୀର ସୃଜନଶୀଳତା ପାଇଁ ସେ କବିଚନ୍ଦ୍ର ଓ ରାଜଗୁରୁ ଉପାଧିରେ ଭୂଷିତ ହୋଇଥିଲେ । ପୂର୍ବରୁ ତାଙ୍କ ପିତା ଜଗବନ୍ଧୁ ରଥ ମଧ୍ୟ କବିଚନ୍ଦ୍ର ଓ ରାଜଗୁରୁ ଉପାଧି ପ୍ରାପ୍ତ ହୋଇଥିଲେ । ପିତାମହ, ପ୍ରପିତାମହଙ୍କ ସମୟରୁ ଏହି ବଂଶରେ ସାହିତ୍ୟ ଚର୍ଚ୍ଚାର ପରଂପରା ରକ୍ତଗତ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ ବହୁ ରାଜଦରବାରରେ ସମ୍ମାନିତ ହୋଇଥିଲେ । ସେ ଉତ୍କଳ ସମ୍ମିଳନୀ ଓ ସ୍ଵତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜଣେ ଅଗ୍ରଣୀ ପୁରୋଧା ଥିଲେ । ବଡ଼ଖେମୁଣ୍ଡିରୁ ପ୍ରଥମେ ମାର୍କଣ୍ଡେୟ ତର୍କ ପଞ୍ଚାନନ ଏବଂ ପରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶିତ ସାପ୍ତାହିକ ‘ଗଞ୍ଜାମ ଗୁଣଦର୍ପଣ’ ପତ୍ରିକା ରାଜା ରାମଚନ୍ଦ୍ରଦେବଙ୍କ ପୃଷ୍ଠପୋଷକତାରେ ଏବଂ କବିଚନ୍ଦ୍ରଙ୍କ ସଂପାଦନାରେ ୧୯୩୭ ମସିହା ଦଶହରା ଦିନ ପୁନର୍ବାର ପ୍ରକାଶ ପାଇଥିଲା । ପତ୍ରିକାଟି ୧ ବର୍ଷ ୫ ମାସ ପ୍ରକାଶ ପାଇବା ପରେ ବିଭିନ୍ନ କାରଣରୁ ପୁଣି ବନ୍ଦ ହୋଇଯାଇଥିଲା । କାଳିଆ ପାଣିଗ୍ରାହୀ, ରାଜା ଲକ୍ଷ୍ମୀନାରାୟଣ ହରିଚନ୍ଦନ ଜଗଦ୍ଦେବ, କାଳିପ୍ରସନ୍ନ କବି, ବୈକୁଣ୍ଠନାଥ ଦାସ, ଶ୍ୟାମସୁନ୍ଦର ଦାସ ଗୋସ୍ଵାମୀ ଓ ନୀଳକଣ୍ଠ ରଥ ପ୍ରମୁଖ ଲେଖକମାନଙ୍କର ରଚନା ଏହି ପତ୍ରିକାକୁ ଏକ ସମୃଦ୍ଧ ରୂପ ଦେଇଥିଲା । ପତ୍ରିକା ସଂପାଦନା ସହିତ କବିଚନ୍ଦ୍ର ନିଜେ ମଧ୍ୟ ଥିଲେ ଜଣେ ସୁସାହିତ୍ୟିକ । ‘ଶାରଦ ସୁମନ’ (୧୯୧୧), ‘ରଘୁ ଦିଗ୍ବିଜୟ’ (୧୯୧୨), ‘ରତି ରୋଦନ’ (୧୯୧୩), ‘ବାସନ୍ତୀ’ (୧୯୬୩), ‘ସଙ୍ଗୀତ କଳ୍ପଲତା’ (୧୯୨୭) ପ୍ରଭୃତି କାବ୍ୟ ଏବଂ ‘ପ୍ରେମଲତା ପରିଣୟ’, ‘ହରିଶ୍ଚନ୍ଦ୍ର’, ‘ପ୍ରହ୍ଲାଦ’, ‘ଖାଣ୍ଡବ ଦହନ’ ପ୍ରଭୃତି ନାଟକ ତାଙ୍କୁ ଓଡ଼ିଆ ପାଠକ ତଥା ନାଟ୍ୟପ୍ରେମୀଙ୍କ ନିକଟରେ ଖୁବ୍ ଆପଣାର କରାଇପାରିଥିଲା ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ