ଗୌରହରି ଦାସ

ଆବିର୍ଭାବ :- ୦୯-୧୦-୧୯୬୦
ଜନ୍ମସ୍ଥାନ :- ଷଣ୍ଡଗଡ଼ା, ଭଦ୍ରକ

(୯ ଅକ୍ଟୋବର, ୧୯୬୦): ଜନ୍ମସ୍ଥାନ- ଷଣ୍ଡଗଡ଼ା, ଚାନ୍ଦବାଲି, ଭଦ୍ରକ । ପିତା: ଗଜେନ୍ଦ୍ର ପ୍ରସାଦ ଓ ମାତା: ଶକୁନ୍ତଳା । ଓଡ଼ିଆରେ ଏମ୍.ଏ. ପରେ ସୁରେନ୍ଦ୍ର ମହାନ୍ତିଙ୍କ ସମ୍ପର୍କରେ ଗବେଷଣା କରି ପିଏଚ୍.ଡି. ପାଇଛନ୍ତି । ପରବର୍ତ୍ତୀକାଳରେ ସାମ୍ବାଦିକତାରେ ମଧ୍ୟ ସ୍ନାତକୋତ୍ତର ଶିକ୍ଷାଲାଭ କରି ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ଵର୍ଣ୍ଣପଦକ ପାଇଛନ୍ତି । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵକାଳ ଧରି ଦୈନିକ ‘ସମ୍ବାଦ’ରେ କାର୍ଯ୍ୟରତ ଶ୍ରୀ ଦାସ ମାସିକ ଗଳ୍ପ ପତ୍ରିକା କଥା’ର ସଂପାଦକ ଏବଂ ଜଣେ ପ୍ରତିଷ୍ଠାପ୍ରାପ୍ତ କଥାକାର ।

ଗଳ୍ପ ରଚନାରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ । ପରବର୍ତ୍ତୀ କାଳରେ ଜଣେ ଜନପ୍ରିୟ ସ୍ତମ୍ଭକାର ଭାବରେ ସେ ପାଠକ ମହଲରେ ଆଦୃତ । ‘ଜୀବନର ଜଳଛବି’ ସମ୍ବାଦ ପୃଷ୍ଠାରେ ନିୟମିତ ପ୍ରକାଶ ପାଇ ତାଙ୍କୁ ପରିଚିତି ଦିଆଇଛି । ନିଜ ସହ ନିଜର ଲଢ଼େଇ (୧୯୯୯), ଉପନ୍ୟାସପାଇଁ ୨୦୧୧ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଶ୍ରୀଦାସଙ୍କର ଆଉ ଚାରିଟି ଉପନ୍ୟାସ ‘ଛାୟାସୌଧର ଅବଶେଷ’ (୧୯୯୬), ଏଇଠୁ ଆରମ୍ଭ (୨୦୦୫), ‘ଆପଣଙ୍କ ଆଜ୍ଞାଧୀନ’ (୨୦୧୦) ଓ ‘କେତେରଙ୍ଗର ଜୀବନ’ (୨୦୧୩) ରହିଛି । ଏହା ବ୍ୟତୀତ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୨) ପ୍ରାପ୍ତ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ (୨୦୦୯) ସମେତ ସେ ‘ଜୁଆର ଭଟ୍ଟା’ (୧୯୮୧), ‘ଆଖଡ଼ାଘର' (୧୯୮୯),‘ ସ୍ଵପ୍ନ ପାଇଁ ରାତି ନାହିଁ (୧୯୯୧), ଭାରତବର୍ଷ (୧୯୯୪), ‘ମାଟି କଣ୍ଢେଇ’ (୧୯୯୫), ‘ପୁନରାବୃତ୍ତି’ (୧୯୯୬), ‘ଶେଷବାଜି’ (୧୯୯୭), ‘ମାୟା’ (୧୯୯୮), ‘ଘର’ (୨୦୦୦), ‘କାଗଜଡଙ୍ଗା (୨୦୦୨), ‘ଅହଲ୍ୟାର ବାହାଘର’ (୨୦୦୪), ‘ମଥୁରାର ମାନଚିତ୍ର’ (୨୦୦୭), ‘ଆକାଶ ଦିନେ ନୀଳ ଥିଲା’ (୨୦୧୦), ‘ଅଣଲେଉଟା ଓ ଅନ୍ୟାନ୍ୟ ଗଳ୍ପ (୨୦୧୫) ରଚନା କରିଛନ୍ତି । ପଚିଶ ବର୍ଷର ସ୍ମରଣୀୟ ଗଳ୍ପକୁ ନେଇ ‘ପିଛିଲା ପଚିଶ’ (୨୦୦୭) ନାମରେ ତାଙ୍କର ଅନ୍ୟ ଏକ ନିର୍ବାଚିତ ଗଳ୍ପ ପୁସ୍ତକ ପ୍ରକାଶ ପାଇଛି ।

ଗଳ୍ପ ଓ ଉପନ୍ୟାସ ବ୍ୟତୀତ ନାଟକ, ଅନୁବାଦ, ସମ୍ପାଦନା ଓ ସଂକଳନ, ସାକ୍ଷାତକାର ବର୍ଗରେ ମଧ୍ୟ ତାଙ୍କର କେତୋଟି ଉନ୍ନତମାନର ଗ୍ରନ୍ଥ ପ୍ରକାଶିତ । ଭ୍ରମଣକାହାଣୀ ରଚନାରେ ତାଙ୍କର ଅନେକ ଉଲ୍ଲେଖନୀୟ ପୁସ୍ତକ ରହିଛି । ସଙ୍ଗୀତ ନାଟକ ଏକାଡେମୀଦ୍ଵାରା ଯୁବ ନାଟ୍ୟକାର ଭାବରେ ସେ ପାଇଥିବା ପୁରସ୍କୃତ ନାଟକ 'ଅପରାଧ’ (୨୦୦୩), ଅନୁବାଦ ପୁସ୍ତକ 'ଯଶପାଲଙ୍କ କାହାଣୀ’ (୨୦୦୩) ‘ମିତ୍ର ମରଜାଣି’ (୨୦୦୪), ‘ଭଗବାନ ରଜନୀଶ’ (୨୦୦୮), 'ସେଇସବୁ ପିଲାଦିନ’ (୨୦୧୨), ‘ଗୋଟିଏ ଜୀବନ ଯଥେଷ୍ଟ ନୁହେଁ’ (୨୦୧୪), ଛେଳି ଚରାଇବାର ଦିନ’ (୨୦୧୬) । ‘ପିଲାଦିନ’ (୨୦୦୦), ‘ପ୍ରେମ’ (୨୦୦୧), ସୂର୍ଯ୍ୟାସ୍ତର ରଙ୍ଗ (୨୦୦୨), ‘ଭଲଗଳ୍ପ: ଭୂମି ଓ ଭୂମିକା’ (୨୦୦୪), ‘ସ୍ଵାଧୀନତୋତ୍ତର ଓଡ଼ିଆ କ୍ଷୁଦ୍ରଗଳ୍ପ’ (୨୦୧୪), ‘ଓଡ଼ିଆ ଗଳ୍ପ କାଲି, ଆଜି ଓ ଆସନ୍ତାକାଲି’ (୨୦୧୫), 'ଜଗଦୀଶ ମହାନ୍ତିଙ୍କ ଶ୍ରେଷ୍ଠଗଳ୍ପ’ (୨୦୧୫) ଓ ‘ନବଲେଖନ: ଓଡ଼ିଆ କ୍ଷୁଦ୍ରଗଳ୍ପ’ (୨୦୧୫) ଆଦିର ସମ୍ପାଦନା ସେ କରିଛନ୍ତି ।

ଆମେରିକା ଓ ଚୀନ୍ ଭ୍ରମଣ ଆଧାରରେ ତିନୋଟି ସୁଦୃଶ୍ୟ ଗ୍ରନ୍ଥ 'ପ୍ରଥମ ପ୍ରବାସ’ (୧୯୯୭), ‘ଦୁଇ ଦିଗନ୍ତ' (୨୦୦୩) ଓ ‘ଚିହ୍ନା ଅଚିହ୍ନା ଚୀନ୍’ । ସାକ୍ଷାତକାର ସଂକଳନ ‘କଥାବାର୍ତ୍ତା’ (୨୦୦୧), ଅଭିଭାଷଣ ସଂଗ୍ରହ “କଥା ସରି ନାହିଁ (୨୦୦୧), ପ୍ରବନ୍ଧ ପୁସ୍ତକ 'ଓଡ଼ିଶା ଡାଏରି' (୨୦୧୧) ଓ ‘କାହାର ଓଡ଼ିଶା’ (୨୦୧୨) ସହିତ ରାଜନୀତିକ ସ୍ତମ୍ଭ “ରାଜଧାନୀ ରାଜନୀତି’ (୧ମ ଓ ୨ୟ) ତାଙ୍କର ବିବିଧ ସୃଜନର ଆଉ କେତୋଟି ନିଦର୍ଶନ । ଗଳ୍ପ ପରି ଜୀବନର ବିବିଧ ଅନୁଭୂତିର ରୂପାୟନ ଆଧାରିତ ସ୍ତମ୍ଭ ‘ଜୀବନର ଜଳଛବି’କୁ ନେଇ ତାଙ୍କର ପୁସ୍ତକଗୁଡ଼ିକ ହେଉଛି ‘ଜୀବନର ଜଳଛବି’ (୧୯୯୪), ‘ଚିହ୍ନ ଚୌହଦି’ (୧୯୯୬), ‘ଭିନ୍ନ ଭୂମିକା’ (୧୯୯୮), ‘ପରିଚିତ ପରିଧି’ (୧୯୯୮), ‘ଅସମର୍ଥ ଈଶ୍ଵର’ (୨୦୦୭) ଓ ‘ହାତଲେଖା ଚିଠି’ । ଏହା ବ୍ୟତୀତ ‘ପାଉଁଶର ପାଣ୍ଡୁଲିପି” (୨୦୧୪) ନାମରେ ତାଙ୍କର ଏକ କବିତା ସଂକଳନ ମଧ୍ୟ ରହିଛି ।

ଶ୍ରୀ ଦାସଙ୍କର କେତେକ ଗ୍ରନ୍ଥ ଇଂରାଜୀ (ଦି ଲିଟିଲ୍ ମଙ୍କ ଆଣ୍ଡ ଅଦର ଷ୍ଟୋରିଜ୍ : ୨୦୧୧), କୋରାପୁଟ ଆଣ୍ଡ ଅଦର ଷ୍ଟୋରିଜ୍: ୨୦୧୭, ଦ ନେଲ୍ ଆଣ୍ଡ୍ ଅଦର ଷ୍ଟୋରିଜ୍: ୨୦୧୭, ସେଡ୍ସ ଅଫ୍ ଲାଇଫ୍: ୨୦୧୮, ଉପନ୍ୟାସ) ଓ ହିନ୍ଦୀଭାଷା (ଦୂର ଆକାଶ୍ କା ଫଖୀ:୨୦୦୮, ମଥୁରାକା ମାନଚିତ୍ର: ୨୦୧୭, ଝୁଟ୍ କା ପେଡ଼୍‍ ୨୦୧୭, କାଣ୍ଟା ଔର୍ ଅନ୍ୟ କାହାନୀଆଁ ୨୦୧୭ ) ରେ ଅନୂଦିତ ।

ଅତୀତପ୍ରୀତି, ଗ୍ରାମ୍ୟଜୀବନର ସ୍ମୃତି, ସମକାଳୀନ ଜୀବନ ସଂଗ୍ରାମ ଓ ସମ୍ବେଦନା ଗୌରହରିଙ୍କ କଥା ସାହିତ୍ୟର ମୁଖ୍ୟସ୍ଵର । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵକାଳ ଧରି କ୍ରମାଗତ ଲେଖନୀ ଚାଳନା ମଧ୍ୟ ତାଙ୍କର ଏକ ବିଶେଷତ୍ଵ ଏବଂ ଏଥିପାଇଁ ସେ ବହୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି ।

 


ରଚନାବଳୀ
ସମାଲୋଚନା
କ୍ଷୁଦ୍ରଗଳ୍ପ ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll