ଶ୍ରୀ ସୂର୍ଯ୍ୟନାରାୟଣ ଦାଶ

ଆବିର୍ଭାବ :- ୦୧-୦୭-୧୯୦୮
ତିରୋଧାନ :- ୧୧-୦୭-୧୯୮୨
ଜନ୍ମସ୍ଥାନ :- ଦଶରଥପୁର ଶାସନ, ଗଞ୍ଜାମ ଜିଲ୍ଲା

ଓଡ଼ିଆ ଭାଷା ସାହିତ୍ୟ ରୂପକ ଉପବନ ଯେଉଁ କତିପୟ ସାହିତ୍ୟ କୁସୁମମାନଙ୍କର ସୁରଭି ଦ୍ଵାରା ଅହୋରାତ୍ର ସୁଗନ୍ଧିତ ହୋଇଉଠିଛି ତନ୍ମଧ୍ୟରୁ  ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ଅନ୍ୟତମ ଅଟନ୍ତି । ସେ ଓଡ଼ିଶାର ସୁପ୍ରସିଦ୍ଧ ଜିଲ୍ଲା ଗଞ୍ଜାମ ଅନ୍ତର୍ଗତ ଦଶରଥପୁର ଶାସନରେ ଜନ୍ମଲାଭ କରିଥିଲେ । ଶ୍ରୀ ବାଲୁଙ୍କେଶ୍ଵର ଦାଶ ତାଙ୍କର ପିତା ଓ ଶ୍ରୀମତୀ କ୍ଷିତୀ ଦେବୀ ତାଙ୍କର ମାତା ଥିଲେ । ବହୁମୂଖୀ ପ୍ରତିଭାସମ୍ପନ୍ନ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ଏକାଧାରରେ ଜଣେ ସମାଜସେବୀ, ସାମ୍ବାଦିକ, ସାହିତ୍ୟ ସ୍ରଷ୍ଟା ତଥା ଭାଷାବିଜ୍ଞାନୀ ଭାବେ ସୁପରିଚିତ ଥିଲେ । ସେ ପିଉସା ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଥମେ ଗ୍ରାମ ଚାଟଶାଳୀ ଓ ତତ୍ପଶ୍ଚାତ ରାଜଗୁରୁ ସାହିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ପ୍ରାଥମିକ ଶିକ୍ଷାକୁ କୃତିତ୍ଵର ସହିତ ସମାପନ କରିଥିଲେ । ତତ୍କାଳୀନ ଗଞ୍ଜାମ ରାଜାଙ୍କଠାରୁ ରାଜବୃତ୍ତି ପାଇ ସେ ବିଜୟନଗର କଲେଜରୁ ସ୍ନାତକ ଶିକ୍ଷା ସମ୍ପନ୍ନ କରିଥିଲେ । ସେଠାରେ ଗଞ୍ଜାମ ଓ କୋରାପୁଟର ଛାତ୍ରମାନଙ୍କୁ ସେ ସଂଗଠିତ କରି “ବିଜୟନଗର ଓଡ଼ିଆ ଛାତ୍ର ସଂଘ”ର ପ୍ରତିଷ୍ଠା କରିବା ସହ ତାର ସଂପାଦକର ଦାୟିତ୍ଵ ନିର୍ବାହ କରିଥିଲେ । 
 
ସେହି ସମୟରୁ ହିଁ ସେ ସମ୍ବାଦପତ୍ରରେ ଲେଖାଲେଖି ଆରମ୍ଭ କରିଥିଲେ ବୋଲି ଶ୍ରୁତିଗୋଚର ହୁଏ । ସେହିସମୟରେ ପ୍ରଚଳିତ ବାଲ୍ୟବିବାହ ଭଳି ଘୃଣ୍ୟ ତଥା କୁଶ୍ଚିତ ପ୍ରଥାକୁ ସେ ନିଜର ଓଜସ୍ଵୀ ଲେଖା ମାଧ୍ୟମରେ କଠୋର ସମାଲୋଚନା ତଥା ତୀବ୍ର ବିରୋଧ କରିଥିଲେ । ବି.ଏ. ପାସ୍ ଉପରାନ୍ତେ ସେ ତତ୍କାଳୀନ ଓଡ଼ିଶାର ରାଜଧାନୀ ତଥା ଜ୍ଞାନ-ବିଜ୍ଞାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କଟକକୁ ନିଜର କର୍ମଭୂମି ରୂପେ ଗ୍ରହଣ କରିଥିଲେ । “ଭାରତ ସେବକ ସଂଘର ସଭ୍ୟ ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ ଓ ଅନ୍ୟମାନଙ୍କର ସଂସ୍ପର୍ଶରେ ଆସି ପ୍ରାକୃତିକ ବିପତ୍ତିରେ ଅସହାୟ ମାନଙ୍କ ସାହାଯ୍ୟ ନିମିତ୍ତ “ଓଡ଼ିଶା ବନ୍ୟା ଓ ଦୁର୍ଭିକ୍ଷ ସାହାଯ୍ୟ କମିଟି”ର ସଂପାଦକ ଭାବେ ୧୯୩୦ ମସିହାରୁ ୧୯୩୩ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ । 
 
ସାମ୍ବାଦିକ ଭାବରେ “ସମାଜ”, “ଦୈନିକ ଆଶା”, “ନିଉ ଓଡ଼ିଶା” ଓ ଅନ୍ୟାନ୍ୟ ସମ୍ବାଦପତ୍ରରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ସୁବିଖ୍ୟାତ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପରେ ସେଠାରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସେ କୃତୀତ୍ଵର ସହ ଏମ୍.ଏ. ପାସ୍ କରିଥିଲେ । ସାମ୍ବାଦିକମାନଙ୍କର ଏକତ୍ରୀକରଣ ଓ ତତ୍‍ସହିତ “ଉତ୍କଳ ସାମ୍ବାଦିକ ସଂଘ”ର ତାଙ୍କୁ ଏକ ଲୋକପ୍ରିୟ ବ୍ୟକ୍ତିତ୍ଵର ସଜ୍ଞା ଦେଇଥିଲା । ୧୯୪୭-୪୮ରେ ସେ ଏହାର ପ୍ରଥମ ସଭାପତି ହୋଇଥିଲେ । ସ୍ଵାଧୀନତା ପ୍ରାପ୍ତିପରେ ଓଡ଼ିଶା ସରକାରଙ୍କ ସ୍ଵାଧୀନତା ସଂଗ୍ରାମ ଇତିହାସ ପ୍ରଣୟନ ଉଦ୍ଦେଶ୍ୟରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ଵରେ ଗଠନ କରିଥିବା କମିଟିରେ ସେ ସଭ୍ୟ ହୋଇଥିଲେ । ୧୯୫୪ ମସିହାରେ “ଓଡ଼ିଶା ସରକାରୀ ଭାଷା ଆଇନ” ପାସ ହେବାପରେ ଅଧ୍ୟାପକ ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ “ଓଡ଼ିଆ ପରିଭାଷା କମିଟି”ରେ ସେ ସଦସ୍ୟ ହୋଇଥିଲେ । ପରବର୍ତ୍ତୀକାଳରେ ସେହି ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କ ଅଦମ୍ୟ ଚେଷ୍ଟା ଫଳରେ ୧୯୫୫ ମସିହାରେ ପ୍ରଥମେ “ଓଡ଼ିଶା ପ୍ରାଶାସନିକ ଶବ୍ଦକୋଷ” ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଏହାକୁ ରାଜଭାଷା ରୂପେ କୋର୍ଟ କଚେରୀ ଓ ସରକାରୀ ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାରର ମାର୍ଗ ସୁଗମ ହୋଇଥିଲା । ଅଭୂତପୂର୍ବ ମେଧାବୀ ଶ୍ରୀ ସୂର୍ଯ୍ୟନାରାୟଣ ଓଡ଼ିଶାର ସଂସ୍କୃତି ଓ ଇତିହାସ ଉପରେ ଅନେକ ଉପାଦେୟ ପ୍ରବନ୍ଧ ଲେଖିଥିଲେ । ତାଳପତ୍ର ପୋଥି ପଢ଼ିବାରେ ସେ ପାରଦର୍ଶିତା ଲାଭ କରିଥିଲେ । ବିଭିନ୍ନ ସୂତ୍ରରୁ ପୋଥି ସଂଗ୍ରହ କରି ସେଗୁଡ଼ିକର ସମୀକ୍ଷା କରିବା ତାଙ୍କର ଏକ ଅଦ୍ଭୁତ ନିଶା ଥିଲା । ତାଙ୍କ ବିରଚିତ ଶତାଧିକ ପୁସ୍ତକ ସାହିତ୍ୟ, ସଂସ୍କୃତି, ଧର୍ମ, ଇତିହାସ, ଜଗନ୍ନାଥ ତତ୍ତ୍ଵ ଇତ୍ୟାଦି ବିଭିନ୍ନ ବିଷୟ ଉପରେ ଆଧାରିତ ଅଟେ । “ଓଡ଼ିଆ ସାହିତ୍ୟର ଇତିହାସ” ତାଙ୍କର କାଳଜୟୀ ସୃଷ୍ଟି ବୋଲି ବିବେଚନା କରାଯାଏ । ଏହା ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଆଣିଦେଇଥିଲା । ଓଡ଼ିଆରେ ଏମ୍.ଏ. ପରୀକ୍ଷା ଦେଲାବେଳେ 'ଓଡ଼ିଆ ସାହିତ୍ୟର ଇତିହାସ' ପୁସ୍ତକଟିଏର ଅଭାବ ସେ ଅନୁଭବ ସେ କରି ସେ “ଓଡ଼ିଆ ସାହିତ୍ୟ ପରିଚୟ” (୨ୟ ଖଣ୍ଡ) ଲେଖିଥିଲେ । “ଓଡ଼ିଆ ସାହିତ୍ୟର ଇତିହାସ” ପୁସ୍ତକଟି ଏହାର ଏକ ପରିବର୍ଦ୍ଧିତ ରୂପେ କଳନା କରାଯାଏ । 
 
ସାହିତ୍ୟ ସମାଲୋଚନା ବ୍ୟତୀତ ଅନେକ ଉତ୍କୃଷ୍ଟ ଜୀବନୀ ପୁସ୍ତକ ଓ ଗଳ୍ପ ସଂଗ୍ରହ ତାଙ୍କ ଦ୍ଵାରା ସର୍ଜିତ । “ଶ୍ରୀ ନିମାର୍କ” (୧୯୫୨), “ଶ୍ରୀ ରାମାନୁଜ ଚରିତ” (୧୯୫୨), “ଜଗନ୍ନାଥ ଦାସ ଚରିତ”, “ପୃଥିବୀର ଅମର ମଣିଷ”, “ଶ୍ରୀ ବଳରାମ ଦାସ”, “ଦେଶପ୍ରାଣ ମଧୁସୂଦନ”, “ଉତ୍କଳମଣି ଗୋପବନ୍ଧୁ”, “ଯୁଗଜନକ ମହାତ୍ମାଗାନ୍ଧୀ”, ରାଜା ରାମ ମୋହନ ରାୟ କଥା ଓ କାହାଣୀମାଳା” (୭ ଖଣ୍ଡ), “ଆଦିବାସୀ ଗଳ୍ପ” ଇତ୍ୟାଦି ପୁସ୍ତକ ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ଏକ ଅବିସ୍ମରଣୀୟ ଅବଦାନ ଅଟେ । ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ଆଧାରିତ ତାଙ୍କ ଗବେଷଣା ପ୍ରସୃତ ରଚନାଗୁଡ଼ିକ ମଧ୍ୟରେ  “ଶ୍ରୀଜଗନ୍ନାଥ ମନ୍ଦିର”, “ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଜଗନ୍ନାଥ ତତ୍ତ୍ବ”, “ଦି ଟେମ୍ପଲ୍ ଅଫ୍ ଜଗନ୍ନାଥ” (ଇଂରେଜୀ) ଉଲ୍ଲେଖନୀୟ ଅଟେ । ସେହିପରି ଓଡ଼ିଶାର ଇତିହାସ ସଂପର୍କରେ “ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ”, “ପାଇକ ବିଦ୍ରୋହ”, “ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମର ଇତିହାସ”, “ଉନବିଂଶ ଶତାବ୍ଦୀର ଓଡ଼ିଶା”, “ଓଡ଼ିଶାରେ ବନ୍ୟା ଓ ଦୁର୍ବିପାକ”, “ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟ” ଇତ୍ୟାଦି ପୁସ୍ତକ ତାଙ୍କର ଉଚ୍ଚଶ୍ରେଣୀର ସାହିତ୍ୟ ସର୍ଜନା ତଥା ସାରଗର୍ଭତାକୁ ପ୍ରମାଣିତ କରେ । ଅତ୍ୟୁଚ୍ଚ ସାହିତ୍ୟ ସାଧନାପାଇଁ ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ତାଙ୍କ ପ୍ରତିଭାକୁ ସ୍ଵୀକୃତି ଦେଇଛନ୍ତି ।  କହିବା ବାହୁଲ୍ୟ ଯେ ସେ ସମ୍ମାନନୀୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାରରେ  ସମ୍ମାନିତ ହୋଇ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ସ୍ଵର୍ଣ୍ଣାଭ ଅଧ୍ୟାୟ ଗୁନ୍ଥିଛନ୍ତି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll